ଭୁବନେଶ୍ବର: ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନକ୍ସଲଙ୍କୁ ସମୂଳେ ନିପାତ କରାଯିବ। କେନ୍ଦ୍ର ସରକାରଙ୍କ ଏହି ଅଭିଯାନକୁ ଗୁରୁତ୍ବର ସହ ନିଆଯାଇଛି ଏବଂ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ଅଭିଯାନରେ ହେବାକୁ ଥିବା ନିର୍ଣ୍ଣାୟକ ଲଢ଼େଇକୁ ଆହୁରି ଅଧିକ ଶାଣିତ କରାଯିବ। ଓଡ଼ିଶାରେ ସକ୍ରିୟ ନକ୍ସଲଙ୍କ ମଧ୍ୟରୁ ଅଧିକାଂଶ ଅଣଓଡ଼ିଆ ଏବଂ ବହୁ କମ୍ ସଂଖ୍ୟକ ଓଡ଼ିଆ ଯୁବକଯୁବତୀ ଅଛନ୍ତି। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ନିବେଦନ କରାଯାଉଛି। କିନ୍ତୁ ଆତ୍ମସମର୍ପଣ ନ କଲେ, ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ନକ୍ସଲଙ୍କ ଉଦ୍ଦେଶ୍ୟରେ ଆଜି ଆଣ୍ଟି ନକ୍ସଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡା ଏଭଳି କଡ଼ା ଚେତାବନୀ ଦେଇଛନ୍ତି।
ଆଣ୍ଟି ନକ୍ସଲ ଅପରେସନ୍ ଓ ସ୍ପେସାଲ୍ ଇଣ୍ଟେଲିଜେନ୍ସ ଵିଙ୍ଗ୍ର ଦାୟିତ୍ବ ନେବା ପରେ ଆଇପିଏସ୍ ଶ୍ରୀ ପଣ୍ଡା କହିଛନ୍ତି ଯେ ଆଗକୁ ନକ୍ସଲ ଅପରେସନ୍ ଜୋର୍ଦାର କରାଯିବ। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାରେ ଡିଭିଏଫ୍, ସିଆର୍ପିଏଫ୍ ଭଳି ସେଣ୍ଟ୍ରାଲ୍ ଆର୍ମଡ୍ ପୁଲିସ ଫୋର୍ସ ସହିତ ମିଶି ଓଡ଼ିଶା ପୁଲିସ ମିଳିତ ଅପରେସନ୍ କରିବେ। ବଡ଼ କଥା ହେଉଛି ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ଟୋଲ୍ ଫ୍ରି ନମ୍ବର ଜାରି ହେବ ଏବଂ ସୂଚନାଦାତାଙ୍କ ତଥ୍ୟ ଗୋପନ ରହିବ। ନୂଆ ପୁଲିସ କ୍ୟାମ୍ପ୍ କରାଯାଉଛି। ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସହ ମିଶି ଚାଲୁଥିବା ଯୁଗ୍ମ ଅପରେସନ୍କୁ ଆହୁରି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ନକ୍ସଲ ଦମନ କ୍ଷେତ୍ରରେ ଓଡ଼ିଶା ଅତୀତ ରେକର୍ଡ ଭଲ ରହିଛି। କିନ୍ତୁ ନିର୍ଣ୍ଣାୟକ ଲଢ଼େଇ ଆହୁରି ଅଧିକ ଶାଣିତ ହେବ।