ପ୍ରସନ୍ନ ପଟ୍ଟନାୟକ

Advertisment

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଭୂତଳ ଜଳସ୍ତର ଚିତ୍ର ସାଂଘାତିକ ରୂପ ଧାରଣ କଲାଣି। କୂଅ, ପୋଖରୀ ଶୁଖିଲା ପଡ଼ିଲାଣି। ୧୦୦ ଫୁଟ ଖୋଳିଲେ ବି ନଳକୂଅରୁ ପାଣି ଆସୁନି। ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ପ୍ରଦୂଷଣ ଆଦି ଏହାର କାରଣ ବୋଲି କୁହାଯାଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ସରକାରୀସ୍ତରରେ ଭୂତଳ ଜଳସ୍ତର ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କରାଯାଉଛି, କିନ୍ତୁ ସେଥିରୁ ଆଶା ଅନୁଯାୟୀ ସଫଳତା ମିଳିପାରୁନି। ଗତ ୧୦ ବର୍ଷର ବିଭାଗୀୟ ପରିସଂଖ୍ୟାନକୁ ଦେଖିଲେ ଭୂତଳ ଜଳସ୍ତର ୨.୩  ମିଟର ତଳକୁ ଖସିଯାଇଛି। ଏଥିରୁ ଜିଲ୍ଲାରେ ଆଗାମୀ ଦିନରେ ଜଳ ସମସ୍ୟା ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି। ଏକ ଦଶନ୍ଧି ଧରି ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ଦୀର୍ଘ ମିଆଦି ଯୋଜନା କରାଯାଇ ପାରୁ ନଥିବାରୁ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୨୪ ମସିହାର କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ପ୍ରାକ୍‌ ମୌସୁମୀ ଓ ମୌସୁମୀ ପରବର୍ତ୍ତୀ ଭୂତଳ ଜଳସ୍ତର ପତନ ହେଉଛି। ପରିବର୍ତ୍ତିତ ମୌସୁମୀ, ଅନିୟମିତ ବର୍ଷା, ନଦୀନାଳ, ଜଳାଶୟ ଶୁଖିଯିବା, ମାତ୍ରାଧିକ ବୋର୍‌ୱେଲ୍‌ ଖନନ ଓ ଘରୋଇ ବ୍ୟବହାର କ୍ଷେତ୍ରରେ ଜଳର ଅପଚୟ ମଧ୍ୟ ଏହାର କାରଣ ବୋଲି ମତପ୍ରକାଶ ପାଇଛି। ସେହିପରି କଳକାରଖାନାଗୁଡ଼ିକ ବ୍ୟାପକ ଭୂତଳ ଜଳ ଶୋଷିବା ସହ ଜଙ୍ଗଲ କ୍ଷୟ ମଧ୍ୟ ଭୂତଳ ଜଳସ୍ତର ହ୍ରାସର କାରଣ ପାଲଟିଛି।

ବିଭାଗୀୟ ସୂଚନା ଅନୁଯାୟୀ, ମୌସୁମୀ ପରବର୍ତ୍ତୀ କ୍ଷେତ୍ରରେ ୧.୮ ମିଟର ଜଳସ୍ତର ହ୍ରାସ ପାଉଛି। ୨୦୧୫ ମସିହାରେ ପ୍ରାକ୍‌ ମୌସୁମୀ ଜଳସ୍ତର ୫.୮ ମିଟର ରହିଥିବା ବେଳେ ମୌସୁମୀ ପରବର୍ତ୍ତୀ ଜଳସ୍ତର ୩.୯ ମିଟର ଥିଲା। ୨୦୧୬ ମସିହାରେ ପ୍ରାକ୍‌ ମୌସୁମୀ ଜଳସ୍ତର ୬.୦ ମିଟର ରହିଥିବା ବେଳେ ମୌସୁମୀ ପରବର୍ତ୍ତୀ ଭୂତଳ ଜଳସ୍ତର ୪.୧ ମିଟର ଥିଲା। ୨୦୧୭ ମସିହାରେ ପ୍ରାକ୍‌ ମୌସୁମୀ ଜଳସ୍ତର ୬.୩ ମିଟର ରହିଥିବା ବେଳେ ମୌସୁମୀ ପରବର୍ତ୍ତୀ ଜଳସ୍ତର ୪.୪ ମିଟର ରହିଲା। ୨୦୧୮ରେ ଜଳସ୍ତର ୬.୫ ମିଟରରୁ ମୌସୁମୀ ପରବର୍ତ୍ତୀ କ୍ଷେତ୍ରରେ ୪.୬ ମିଟରକୁ ଆସିଥିଲା। ସେହିପରି ୨୦୧୯ ମସିହାରେ ମୌସୁମୀ ପୂର୍ବରୁ ଜଳସ୍ତର ୬.୮ ମିଟର ରହିଥିବା ବେଳେ ମୌସୁମୀ ପରବର୍ତ୍ତୀ ସମୟରେ ୪.୯ ମିଟର ରହିଲା। ୨୦୨୦ ମସିହାରେ ଜଳସ୍ତର ୭.୦ ମିଟର ରହିଥିବା ବେଳେ ମୌସୁମୀ ପରେ ଜଳସ୍ତର ୫.୧ ମିଟର ରହିଲା। ୨୦୨୧ ମସିହାରେ ଜଳସ୍ତର ୭.୩ ମିଟରରୁ ମୌସୁମୀ ପରେ ୫.୪ ମିଟରକୁ ଆସିଥିଲା। ୨୦୨୨ ମସିହାରେ ପ୍ରାକ୍‌ ମୌସୁମୀ ଜଳସ୍ତର ୭.୫ ମିଟର ରହିଥିବା ବେଳେ ମୌସୁମୀ ପରବର୍ତ୍ତୀ କ୍ଷେତ୍ରରେ ୫.୬ ମିଟର ରହିଥିଲା। ୨୦୨୩ ରେ ପ୍ରାକ୍‌ ମୌସୁମୀ ଜଳସ୍ତର ୭.୮ ମିଟରରୁ ମୌସୁମୀ ପରେ ୫.୮ମିଟରକୁ ଖସିଥିଲା।  ୨୦୨୪ ମସିହାରେ ପ୍ରାକ୍‌ ମୌସୁମୀ ଭୂତଳ ଜଳସ୍ତର ୮.୧ ମିଟର ରହିଥିବା ବେଳେ ମୌସୁମୀ ପରେ ୬.୧ ମିଟର ରହିଥିବା ପରିସଂଖ୍ୟାନରୁ ଜଣାଯାଇଛି। 

ଏ ସଂପର୍କରେ ଜଳସମ୍ପଦ ଉପ ନିର୍ଦ୍ଦେଶକ ଦୋଳମଣି ସାହୁ କୁହନ୍ତି ଯେ, ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ କଂକ୍ରିଟ, ପିଚୁ ରାସ୍ତା ଯୋଗୁଁ ବ୍ୟାପକ ଗଛ କଟାଯାଉଛି। ବହୁ ଜଳାଶୟ ପୋତାଯିବା, ଶିଳ୍ପ ପ୍ରତିଷ୍ଠାନ ଆଦି ବିଭିନ୍ନ କାରଣ ଯୋଗୁଁ ସଂପ୍ରତି ଭୂତଳ ଜଳସ୍ତର ନିୟମିତ ଭାବେ କମିବାରେ ଲାଗିଛି। ଅନ୍ୟପାଖେ ଯେଉଁ ପରିମାଣରେ ଭୂତଳ ଜଳ ସରଂକ୍ଷଣ ହେବା କଥା ତାହା ହୋଇପାରୁନାହିଁ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଜଳସମ୍ପଦ ବିଭାଗ ମାଧ୍ୟମରେ ଜଳ ସରଂକ୍ଷଣ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ଷାଋତୁରେ ସରକାରୀ ଗୃହର ଛାତ ଉପରେ ‘ରୁଫ୍‌ ଟପ୍‌ ବର୍ଷାଜଳ ଅମଳ’ ଯୋଜନା ଓ  ‘ରିଚାର୍ଜ ସାଫ୍‌’ ଯୋଜନାରେ ପୋଖରୀ, ଜଳାଶୟଗୁଡ଼ିକ ନିକଟରେ କୂଅ, ବୋରୱେଲ୍‌ ମାଧ୍ୟମରେ ବଳକା ଜଳକୁ ସଂଗ୍ରହ କରାଯାଇ ଛଡ଼ା ଯାଉଛି। ସେହିପରି ବେସରକାରୀ ଛାତରୁ ଜଳ ସରଂକ୍ଷଣ ଯୋଜନା ୨୦୨୩ ମସିହାରୁ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ସବ୍‌ସିଡି ମାଧ୍ୟମରେ ଗୃହକର୍ତ୍ତାମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ‘ଛାତ’ ପୋର୍ଟାଲ୍‌ ମାଧ୍ୟମରେ ଏଥିପାଇଁ ଅନ୍‌ଲାଇନରେ ଆବେଦନ କଲେ ସେହି ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।