ପୁରୀ : ପାହାଡ଼ ଚଢ଼ିବା ତାଙ୍କର ନିଶା। କିନ୍ତୁ ମହାପ୍ରଭୁଙ୍କ ରଥରେ ଚିତ୍ର ଆଙ୍କିବା ତାଙ୍କର ଅନ୍ତରର ସବୁଠୁ ସୁଖଦ ଅନୁଭବ। ନିକଟରେ ଆଫ୍ରିକାର ତାଞ୍ଜାନିଆସ୍ଥିତ ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜା ଆରୋହଣ କରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ପୁରୀ ରଘୁରାଜପୁରର ପୁଅ ଚିନ୍ମୟ ମହାରଣା ନିଜେ ଏକଥା ସ୍ବୀକାର କରିଛନ୍ତି। ୧୯୩୪୧ ଫୁଟ ଗିରିଶୃଙ୍ଗରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ ପ୍ରଦର୍ଶନ କରିଥିବା ଚିନ୍ମୟ ପର୍ବତାରୋହୀ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ ହେଁ ରଥଯାତ୍ରା ଆସିଲେ କେଉଁ ଶୃଙ୍ଗ ତାଙ୍କୁ ଅଟକାଇପାରେ ନାହିଁ। ରଥଯାତ୍ରା ବେଳ ଆସିଲେ ଯେଉଁଠି ଥାଆନ୍ତି, ରଥରେ ଚିତ୍ର ଆଙ୍କିବାକୁ ସେ ନିଜ ଜନ୍ମମାଟିକୁ ଛୁଟିଆସନ୍ତି।
ଗତ ୩ ତାରିଖରେ ସେ କିଲିମାଞ୍ଜା ଆରୋହଣ ଯାତ୍ରା ଆରମ୍ଭ କରିଥିବା ବେଳେ ୧୩ ତାରିଖରେ ସଫଳତାର ସହ ଯାତ୍ରା ଶେଷ କରି ଫେରିଥିଲେ। ମାତ୍ର କିଛିଦିନର ବିଶ୍ରାମ ପରେ ସେ ଆସି ଚିତ୍ରକର ଭାବେ ନିଜର ସେବା ଦେବା ଆରମ୍ଭ କରିଛନ୍ତି। ଚିନ୍ମୟଙ୍କ କହିବା ମୁତାବକ, ଯେବେଠୁ ସେ ନିଜକୁ ଚିହ୍ନିଲେ ସେବେଠୁ ସେ ଚିତ୍ରକର ଦୁନିଆ ଭିତରକୁ ପ୍ରବେଶ କରିଥିଲେ। ବାପା, ଦାଦାମାନେ ମହାପ୍ରଭୁଙ୍କ ରଥରେ ଚିତ୍ର ଆଙ୍କୁଥିବା ବେଳେ ସେମାନଙ୍କଠାରୁ ଦେଖିଦେଖି ଏହି କଳା ଆହରଣ କରିଛୁ। ମହାପ୍ରଭୁଙ୍କ ରଥରେ ଚିତ୍ର ଆଙ୍କିବା ବେଳେ ଯେଉଁ ଅନୁଭବ ପାଇଛନ୍ତି ତାକୁ ନେଇ ସେ ଏତେ ବଡ଼ ଗିରିଶୃଙ୍ଗ ଚଢ଼ିବାରେ ସଫଳ ହୋଇପାରିଛନ୍ତି ବୋଲି କହିଛନ୍ତି। ଚିନ୍ମୟଙ୍କ କୁହନ୍ତି, ମହାପ୍ରଭୁ ସ୍ବୟଂ ଏ ସଂସାରର ପାଳନ କର୍ତ୍ତା। ତେଣୁ ତାଙ୍କ ରଥକୁ ଆମେ ରଙ୍ଗିନ କରୁଛୁ ବୋଲି କେବେ ମନକୁ ଆସେ ନାହିଁ। ବରଂ ଆମେ ଭାବୁ ସେଇ ବିଶ୍ବନିୟନ୍ତା ହିଁ ସବୁ କରୁଛନ୍ତି। ମହାପ୍ରଭୁଙ୍କ ନିକଟରେ ଏହି ସମର୍ପଣ ଭାବ ହିଁ ଆମ କାମରେ କେବେ ବିଘ୍ନ ହେବାକୁ ଦେଇନାହିଁ। ଯେଉଁ ଅନୁଭବକୁ ପାଥେୟ କରି ସେ ଆଜି ବି ସେବା ଦେଇ ଆସୁଛନ୍ତି।
ତାଙ୍କ ମତରେ ପାହାଡ଼ ଚଢ଼ିବା ବେଳେ ପାହାଡ଼ ନିକଟରେ ସମର୍ପଣ ହିଁ ମୋତେ ୧୯୩୪୧ ଫୁଟ ପର୍ଯ୍ୟନ୍ତ ଟାଣି ନେବାକୁ ସାହସ ଦେଇଥିଲା। ମହାପ୍ରଭୁଙ୍କ ରଥରେ ଚିତ୍ର ଆଙ୍କିବା ବେଳେ ସେଇ ସମର୍ପଣ ଭାବକୁ ପୁଞ୍ଜି କରି ମୁଁ ଏହି ସଫଳତା ଅର୍ଜନ କରିପାରିଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ସେ ୧୫ରୁ ଅଧିକ ପାହାଡ଼ ଚଢ଼ି ସାରିଥିବା ବେଳେ ୧୨ ବର୍ଷ ହେଲା ମହାପ୍ରଭୁଙ୍କ ରଥରେ ଚିତ୍ର ଆଙ୍କି ଆସୁଛନ୍ତି। ଯେଉଁ ପର୍ବତାରୋହଣ କରନ୍ତି ତାଙ୍କ ସହ ଯେପରି ଜଗନ୍ନାଥଙ୍କ ଆଶୀର୍ବାଦ କୌଣସି ନା କୌଣସି ରୂପରେ ନିହିତ ଥାଏ। ୨୦୨୧ ଅଗଷ୍ଟ ୧୫ରେ ୟୁନମ୍ରେ ୭୫ ମିଟରର ଜାତୀୟ ପତାକା ଉଡ଼ାଯାଇଥିବା ବେଳେ ସେ ବି ଏହି ପତାକା ସାଙ୍ଗରେ ମହାପ୍ରଭୁଙ୍କ ବାନା ଉଡ଼ାଇଥିଲେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/puri-rw1.jpg)