ଝାରସୁଗୁଡ଼ା: ଦ୍ରୁତ ଶିଳ୍ପାୟନ ସହିତ ଏକାଧିକ ସରକାରୀ ଓ ଘରୋଇ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ଯୋଗୁ ଝାରସୁଗୁଡ଼ା ଜିଲ୍ଲା ରାଜ୍ୟର ଶକ୍ତି କେନ୍ଦ୍ର ଭାବେ ପରିଚିତ। ଯାହାକି ରାଜ୍ୟ ରାଜକୋଷ ପାଇଁ ମଧ୍ୟ ଏକ ବୃହତ୍ ଅଂଶୀଦାର ପାଲଟିଛି। ତେବେ ଦ୍ରୁତ ଶିଳ୍ପାୟନ ଓ ଏଥିରୁ ନିର୍ଗତ ଶିଳ୍ପବର୍ଜ୍ୟ ଜିଲ୍ଲାକୁ ଧୀରେ ଧୀରେ ପ୍ରଦୂଷଣ ବଳୟ ଭିତରକୁ ଟାଣିନେଉଛି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ମାଟିର ସଂଜ୍ଞା ହିଁ ବଦଳିଯିବ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ୬୧୩୬ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଯାହା ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଣ କରାଯାଉଛି। ଏହି କେନ୍ଦ୍ରଗୁଡ଼ିକରେ କୋଇଲା ଦହନରୁ ବିଜୁଳି ଉତ୍ପାଦନ ହେଉଥିବା ବେଳେ କୋଇଲା ପୋଡ଼ିରୁ ନିର୍ଗତ ପାଉଁଶ ବା ଫ୍ଲାଏ ଆସ୍ ଜିଲ୍ଲାରେ ରହିଯାଉଛି। ସରକାରୀ ତଥ୍ୟ ଅନୁସାରେ, ଜିଲ୍ଲାର ୭ଟି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ମାସିକ ହାରାହାରି ୧୨ ଲକ୍ଷ ୫୦ ହଜାର ମେଟ୍ରିକ୍ ଟନ୍ ପାଉଁଶ ନିର୍ଗତ ହେଉଛି। କିଛି ପରିମାଣର ଫ୍ଲାଏ ଆସ୍ ପରିବହନ ହୋଇ ସମ୍ବଲପୁର ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତ ଜିଲ୍ଲା ରାୟଗଡ଼କୁ ଯାଉଥିବା ବେଳେ ଏହାର ସିଂହଭାଗ ଝାରସୁଗୁଡ଼ାରେ ହିଁ ପରିଚାଳନା କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ନିର୍ଗତ ଶତ ପ୍ରତିଶତ ଫ୍ଲାଏ ଆସ୍ର ଠିକ ପରିଚାଳନା କରାଯାଉଛି।
ହେଲେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ। ରାସ୍ତା ନିର୍ମାଣ, ଇଟା ଓ ସିମେଣ୍ଟ ପ୍ରସ୍ତୁତିରେ ଏହି ସବୁ ପାଉଁଶର ବ୍ୟବହାର କରାଯିବା କଥା। କିନ୍ତୁ ବର୍ଷର ସବୁ ସମୟରେ ଯଥେଷ୍ଟ ପରିମାଣର ଫ୍ଲାଏ ଆସ୍ ବିନିଯୋଗ ହେବା ଭଳି ନିର୍ମାଣ କାମ ହେଉନଥିବାରୁ ଏହାକୁ ଲୋ ଲ୍ୟାଣ୍ଡ୍ ଫିଲିଂ ନାଁ’ରେ ମାଟି ଖୋଳି (ପାଉଁଶ) ପୋତି ଦିଆଯାଉଥିବା ନିତିଦିନ ମାଳମାଳ ଅଭିଯୋଗ ସାମନାକୁ ଆସୁଛି। ଆଜି ଆଖି ଆଗରେ ଦେଖା ଯାଉଥିବା ପଡ଼ିଆଟି ରାତି ପାହିଲା ବେଳକୁ ଖୋଳି ସେଠାରୁ ମାଟିକାଢ଼ି ନିଆଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ସେଠାରେ ପାଉଁଶ ପୋତି ପୂର୍ବ ସ୍ଥିତିକୁ ଅଣାଯିବା ପରେ କିଛି ପରିମାଣର ମାଟି ଉପରେ ଢାଙ୍କି ଦିଆଯାଉଛି। ଇଣ୍ଟର୍ନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜିରେ ପ୍ରକାଶିତ ଏକ ରିପୋର୍ଟକୁ ଅନୁଶୀଳନ କଲେ ଏହି ପାଉଁଶରେ ୟୁରାନିୟମ୍, ଥୋରିୟମ୍, ରେଡିୟମ୍ ଭଳି ତେଜସ୍କ୍ରିୟ ଧାତୁ ସହିତ ମାଙ୍ଗାନିଜ, ଶିଶା, ତମ୍ବା ଭଳି ଖଣିଜ ମଧ୍ୟ ରହିଥାଏ। ତେଜସ୍କ୍ରିୟ ଧାତୁ ରହିବା କାରଣରୁ ଏହା ମାରାତ୍ମକ ବିକିରଣ ସୃଷ୍ଟି କରିବା ସହ ମାଟିରେ ଥିବା ବିଭିନ୍ନ ଜୀବଜନ୍ତଙ୍କୁ ବଞ୍ଚିବାର ବି ସୁଯୋଗ ଦେଉନି। କେବଳ ସେତିକି ନୁହେଁ, ଏହି ରାସାୟନିକ ପଦାର୍ଥର ପ୍ରତିକ୍ରିୟା ଫଳରେ ମୃତ୍ତିକାର ପ୍ରକୃତ ଗୁଣଧର୍ମ ମଧ୍ୟ ନଷ୍ଟ ହୋଇଯାଉଛି।