ଝାରସୁଗୁଡ଼ା : ଶିଳ୍ପ ଏବଂ ଖଣିରେ ସମୃଦ୍ଧ ଝାରସୁଗୁଡା ଜିଲ୍ଲା ରାଜ୍ୟ ଓ କେନ୍ଦ୍ର ରାଜକୋଷକୁ ବିଭିନ୍ନ ଆଳରେ ସମୃଦ୍ଧ କରିବାରେ ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାରେ ରହିଛି ଅନେକ ଛୋଟ ବଡ଼ ଶିଳ୍ପ କାରଖାନା। ଜିଲ୍ଲାର ବିକାଶ ପାଇଁ ଅର୍ଥ ବାଧକ ମଧ୍ୟ ନୁହେଁ। ମାତ୍ର ଜିଲ୍ଲା ଉଚ୍ଚ ଶିକ୍ଷାକ୍ଷେତ୍ର ପ୍ରତି ରାଜନୈତିକ ଦୃଷ୍ଟିଭଙ୍ଗି ନୈରାଶ୍ୟଜନକ। ସରକାରୀ କଲେଜଟିଏ ଜିଲ୍ଲାରେ ସ୍ଥାପନ ନ ହେବା ଏହାର ଜ୍ୱଳନ୍ତ ଉଦାହରଣ।l ରାଜ୍ୟ ସରକାର ଏହି ଜିଲ୍ଲା ପ୍ରତି ଉପେକ୍ଷା କରି ଗୋଟିଏ ହେଲେ କଲେଜକୁ ସରକାରୀ କଲେଜର ମାନ୍ୟତା ପ୍ରଦାନ କରି ନାହାନ୍ତି ବୋଲି ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଅଭିଯୋଗ କରିଆସୁଛି।

Advertisment

୧୯୯୪ ମସିହାରେ ସମ୍ବଲପୁର ଜିଲ୍ଲା ଠାରୁ ଅଲଗା ହୋଇ ଝାରସୁଗୁଡା ଜିଲ୍ଲା ଗଠନ ହେଇଥିଲା। ସେ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାଏକ ଝାରସୁଗୁଡାଠାରେ ସରକାରୀ କଲେଜ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଜିଲ୍ଲାରେ ଥିବା ୩ ଟି ପ୍ରମୁଖ କଲେଜ ଲକ୍ଷ୍ମୀ ନାରାୟଣ କଲେଜ, ମହିଳା କଲେଜ ଓ ବ୍ରଜରାଜନଗର କଲେଜରେ ଯୁକ୍ତ ୨ରୁ ଯୁକ୍ତ ୩ ପର୍ଯ୍ୟନ୍ତ ରହିଛି। ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି କଲେଜରେ ପିଜି ପାଠ୍ୟକ୍ରମ ନାହିଁ। ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଲକ୍ଷ୍ମୀନାରାୟଣ କଲେଜକୁ ୫୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି କଲେଜକୁ ସରକାରୀ ମାନ୍ୟତା ମିଳିନାହିଁ କି ଏଠାରେ ପିଜି ପାଠ୍ୟକ୍ରମ ଖୋଲି ପାରିନାହିଁ। ଅନେକ ସମୟରେ ଏହି କଲେଜକୁ ସରକାରୀ କଲେଜ କରିବାକୁ ଦାବି କରି ଝାରସୁଗୁଡ଼ାବାସୀ ନିରାଶ ହୋଇଛି।

ସେହିପରି ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିବା ମହିଳା କଲେଜ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇଁ ନାହିଁ। ଜିଲ୍ଲା ସଦର ମହକୁମା ଠାରୁ ୧୦ କିମି ଦୂରରେ ଥିବା ବ୍ରଜରାନଗର କଲେଜ ୧୯୭୮ ମସିହାରେ ସ୍ଥାପନ ହେଇଥିଲା। ମାତ୍ର  ସରକାରଙ୍କ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହେଇଥିଲେ ମଧ୍ୟ ସରକାରୀ ମାନ୍ୟତା ପାଇଁ ନାହିଁ। ସେହିପରି ଜିଲ୍ଲାରେ ଥିବା ଏକମାତ୍ର ସରକାରୀ ଯାନ୍ତ୍ରିକ ସ୍କୁଲ ୧୯୫୫ ମସିହାରେ ସ୍ଥାପନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଯାନ୍ତ୍ରିକ ଡିଗ୍ରି କଲେଜ ହୋଇପାରିଲା ନାହିଁ। ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀନାରାୟଣ କଲେଜକୁ ସରକାରୀ କଲେଜର ମାନ୍ୟତା ସହ ପିଜି ପାଠ୍ୟକ୍ରମର ବ୍ୟବସ୍ଥା କରିବା, ଲଖନପୁର ବ୍ଲକ୍‌ର ୧୯ ଖଣ୍ଡ ମୌଜାରେ ଯୁକ୍ତଦୁଇ ବିଜ୍ଞାନ ଓ ଯୁକ୍ତତିନି ପର୍ଯ୍ୟନ୍ତ କଲେଜ ସ୍ଥାପନ, ଲଇକେରା ପଂଚାୟତ ସମିତି କଲେଜରେ ଯୁକ୍ତତିନି ବିଜ୍ଞାନ ବିଭାଗ ଖୋଲିବା ଏବଂ କିର୍ମିରା ଶୋଭମ ମେମୋରିଆଲ କଲେଜରେ ଯୁକ୍ତଦୁଇ ବିଜ୍ଞାନ ବିଭାଗ ଖୋଲିବା, କୋଲାବିରା ବ୍ଲକ୍‌ ସମlସିଂହା ସ୍ଥିତ ବସୁମତି ଯୁକ୍ତ ୨ ବିଜ୍ଞାନ କଲେଜରେ ସ୍ନାତକ ବିଜ୍ଞାନ କଲେଜରେ ପରିଣତ କରିବା ଆଦି ୬ଦଫା ଦାବିକୁ ନେଇ ଗୁରୁବାର ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ସାମ୍ମୁଖ୍ୟ ଆସନ୍ତା ୨୭ ତାରିଖଠାରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ। ‌

ଏହି ଆନ୍ଦୋଳନ ପାଇଁ ଦସ୍ତଖତ ଅଭିଯାନ କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ନଚେତ୍‌ ଆଗାମୀ ଦିନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଏହା ଏକ ବଡ଼ ପ୍ରସଙ୍ଗ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ସଂଯୋଜକ ଜିତେନ୍ଦ୍ରିୟ ଧୁରୁଆ, ସହ- ସଂଯୋଜକ ଅସୀମ ପଟେଲ, ରୂପେଶ ଟପ୍ପୋ, ମନୋଜ କିସାନ, ନିଗମ ନାଏକ, ଭୁବନ କିସାନ ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିଲେ। ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ଏବଂ ଏଲ୍‌ ଏନ୍‌. କଲେଜର ପରିଚାଳନା କମିଟିର ସଦସ୍ୟ ରତ୍ନାକର ପ୍ରଧାନ ମଧ୍ୟ ସମର୍ଥନ ଦେଇ ଉପସ୍ଥିତ ରହିଥିଲେ।