ଭୁବନେଶ୍ୱର : କିଛି ନା କିଛି ବାହାନା କରି ସରକାର ଗତ ୪ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନକୁ ଟାଳି ଆସୁଛନ୍ତି। ଏବର୍ଷ ମଧ୍ୟ ସରକାର କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି। ଏହାକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ଭିତରେ ଅସନ୍ତୋଷ ଦେଖାଦେଇଛି। ତେଣୁ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ବୋଲି ଦାବି କରି ଆଜି ଦୁଇ ସଂଗଠନ ପଦାକୁ ଆସିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଶୀଘ୍ର ଘୋଷଣା କରିବାକୁ ଦାବି କରିଥିବା ବେଳେ ସର୍ବଭାରତୀୟ ଛାତ୍ର ସଂଘ(ଏଆଇଏସ୍ଏଫ୍) ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ମର୍ମରେ ଏକ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛି। ଚଳିତବର୍ଷ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଦୁଇ ଅନୁଷ୍ଠାନ ଦାବି କରିଛନ୍ତି।
ଏବିଭିପିର ସାମ୍ବାଦିକ ସମ୍ମିଳନୀ ଓ ଏଆଇଏସଏଫ୍ର ବିକ୍ଷୋଭ
‘ରାଜ୍ୟ ସରକାର ନେତୃତ୍ବର ଭ୍ରୂଣ ହତ୍ୟା କରୁଛନ୍ତି’
ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ତୃଣମୂଳସ୍ତରରେ ନେତୃତ୍ବର ଭ୍ରୂଣ ହତ୍ୟା କରୁଛନ୍ତି। ନିର୍ବାଚନ ବନ୍ଦ କରି କ୍ୟାମ୍ପସ୍ରେ ସୁସ୍ଥ ଶୈକ୍ଷିକ ବାତାବରଣ ଆଣିବା କଥା ରାଜ୍ୟ ସରକାର କହୁଛନ୍ତି। ହେଲେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନାକ୍ ମାନ୍ୟତା ହ୍ରାସ ପାଇବା କ’ଣ ଶୈକ୍ଷକ ବାତାବରଣ ଉଦାହରଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ମହର୍ଷି ମହାବିଦ୍ୟାଳୟ, ବିଜେବି କଲେଜରେ ଅଣଛାତ୍ରମାନଙ୍କ ଆତଙ୍କରାଜ, ଗଞ୍ଜାମର ବିନାୟକରାଜ କଲେଜରେ ରୢାଗିଂ ଘଟଣାରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି କନ୍ଭେନ୍ର୍ଙ୍କ ସମ୍ପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏଆଇଏସ୍ଏଫ୍ ନିଜ ଦାବିପତ୍ରରେ ଦର୍ଶାଇଛି ଯେ ଗତ ୨୦୧୮ମସିହାରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି। ୨୦୨୦ ମସିହାରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ପ୍ରଣୟନ କରି ସିନେଟ୍ ଓ ସିଣ୍ଡିକେଟରେ ଛାତ୍ର ପ୍ରତିନିଧି ବ୍ୟବସ୍ଥା ବନ୍ଦ କରାଯାଇଛି। ସେହିଭଳି ଜାତୀୟ ଶିକ୍ଷାନୀତି ୨୦୨୦ରେ ଛାତ୍ର ସଂସଦ ଗଠନ ସମ୍ପର୍କରେ ଉଲ୍ଲେଖ ହୋଇନାହିଁ। ଭାରତୀୟ ସଂସଦୀୟ ଗଣତନ୍ତ୍ର, ନେତୃତ୍ୱ ବିକାଶ, ସାମାଜିକ ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ୱର ମୂଳ ଭିତ୍ତି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଗଣତନ୍ତ୍ରକୁ ଦୁର୍ବଳ କରିବାର ଷଡ଼୍ଯନ୍ତ୍ର କରାଯାଇଛି। ତେଣୁ ଛାତ୍ର ସମାଜର ହକ୍ ଏବଂ ଅଧିକାର ହାସଲ ପାଇଁ ଚଳିତ ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ଏଆଇଏସ୍ଏଫ୍ ଦାବି କରିଛି। ବିକ୍ଷୋଭରେ ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସମ୍ପାଦକ କାହ୍ନୁ ଚରଣ ପରିଡ଼ା, ରାଜାରାମ ବଙ୍ଗରୁ, ମନୋରଞ୍ଜନ ରାଉତ, ଅମରେଶ ପରିଡ଼ା ପ୍ରମୁଖଙ୍କ ନେତୃତ୍ବରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଥିଲା।