ଲିଙ୍କ୍‌ରୋଡ୍‌ ନିର୍ମାଣ ଦାବି ଜୋର୍‌ ଧରିଲା

ବାଲେଶ୍ବର: ବାଲେଶ୍ୱର ସହର ଉପକଣ୍ଠରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ରାସ୍ତାରୁ ତାମୁଳିଆ ଓଭରବ୍ରିଜ୍‌ ତଳ ପର୍ଯ୍ୟନ୍ତ ଲିଙ୍କ୍‌ରୋଡ଼ ପ୍ରତିଶ୍ରୁତିକୁ ତୁରନ୍ତ ପୂରଣ କରିବା ନେଇ ଦାବି ଜୋର୍‌ ଧରିବାରେ ଲାଗିଛି। ସୋମବାର ଅପରାହ୍‌ଣରେ ମେଘଡମ୍ବରୁ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ପ୍ରମୁଖ ନେତୃତ୍ବଙ୍କ ଆଗରେ ଏହି ଦାବି ଉପସ୍ଥାପନ କରାଯାଇଥିଲା।

ପରିଷଦର ଆବାହକ ମହେଶ୍ୱର ବେହେରା ଏହି ସଭାରେ ଅଧ୍ୟକ୍ଷତା କରି କହିଥିଲେ ପାତ୍ରପଡ଼ା ଛକରୁ କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲ ପର୍ଯ୍ୟନ୍ତ ହେଉଥିବା ପ୍ରତିରକ୍ଷା ବିଭାଗର ରାସ୍ତାରୁ ତାମୁଳିଆ ଓଭରବ୍ରିଜ୍‌ ତଳ ଦେଇ ବାଲେଶ୍ବର ସହରକୁ ଏକ ଲିଙ୍କ୍‌ରୋଡ଼ ହେବା ଲାଗି ଜବରଦଖଲ ଉଚ୍ଛେଦ କରାଯିବା ସହ ଅନେକ ଲୋକ ନିଜ ଜାଗା ଓ ଘର ହରାଇଛନ୍ତି। ଏହି ରାସ୍ତା ହେଲେ କୁରୁଡ଼ା ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଉପକୃତ ହେବେ। ହେଲେ ଦୁଭାର୍ଗ୍ୟର ବିଷୟ ଏବେ ମୁଖ୍ୟରାସ୍ତାର ନିର୍ମାଣ ସରିଆସୁଥିବା ବେଳେ ପ୍ରସ୍ତାବିତ ଲିଙ୍କ୍‌ରୋଡ଼ ପାଇଁ ଏ ପର୍ଯ୍ୟନ୍ତ ମାଟି ମୁଠାଏ ମଧ୍ୟ ପଡ଼ିପାରିଲା ନାହିଁ। ଏପରିକି ଆଗକୁ ଏହି ରାସ୍ତା ହେବ କି ନାହିଁ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ନା ଜିଲ୍ଲା ପ୍ରଶାସନ ନା ପ୍ରତିରକ୍ଷା ବିଭାଗ ଏନେଇ କେହି ମୁହଁ ଖୋଲୁନାହାନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳବାସିନ୍ଦା ହିସାବରେ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ଗୌତମବୁଦ୍ଧ ଦାସ ସାଧାରଣ ସଭାରେ ଯୋଗଦେଇ ଉଭୟ ପ୍ରତିରକ୍ଷା ବିଭାଗ ଓ ପ୍ରଶାସନର ସମନ୍ୱୟ ରହିଲେ ଏ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ। ନଚେତ ଏ ଅଞ୍ଚଳର ଶତାଧିକ ପରିବାର ବ‌ର୍ଷାଦିନରେ ଜଳ ନିଷ୍କାସନ ଏବଂ ଯାତାୟତ ସମସ୍ୟାର ସମ୍ମୁଖୀନ ହେ‌ବେ। ଖୁବଶୀଘ୍ର ପ୍ରତିରକ୍ଷା ବିଭାଗ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ ଜିଲ୍ଲାପାଳଙ୍କୁ ଦିଆଯିବା ସହ ସଦର ଏବଂ ରେମୁଣା ବିଧାୟକଙ୍କୁ ଏହି ସମସ୍ୟା ବାବଦରେ ଅବଗତ କରାଯିବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବ୍ଲକର ନବନିର୍ବାଚିତ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ଏହି ସଭାରେ ଉପସ୍ଥିତ ରହି ରାଜ୍ୟ ସରକାର ସର୍ବଦା ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇଆସିଛନ୍ତି। ତେଣୁ ତୁରନ୍ତ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବା ସହ ଏହାର ସମାଧାନ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କୁରୁଡ଼ା ପଞ୍ଚାୟତ ସରପଞ୍ଚ ତଥା ମେଘଡମ୍ବରୁ ବିକାଶ ପରିଷଦର ସଦସ୍ୟ ତାପସ କୁମାର ପରିଡ଼ା ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ସମସ୍ତେ ଏକଜୁଟ୍‌ ହେଲେ ଏହାର ସମାଧାନ ହୋଇପାରିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର