ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦକୁ ନେଇ ଭକ୍ତ, ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଲାଣି। ଯାହାର ପ୍ରତିଫଳନ ଗତ ରଥଯାତ୍ରା ସମନ୍ବୟ ବୈଠକରେ ଆଇନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକରେ ବି ଏହି ପ୍ରସଙ୍ଗ ଉଠିଥିଲା। ତଥାପି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନ, ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ଜିଲ୍ଲା ପ୍ରଶାସନର ମେରିରାୟ ଶାସନ ପାଇଁ ଆଜି ସ୍ଥାନୀୟ ଭକ୍ତ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ମହାପ୍ରସାଦ ପାଇଁ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିବା ପରେ ଏହା ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ପୁରୀ ସଚେତନ ନାଗରିକ ମଞ୍ଚ ନେତୃତ୍ବରେ ରବିବାରଠାରୁ ୧ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ପରେ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଥାଇ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ।
ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ କହିଛନ୍ତି, ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବିରେ ରବିବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଦସ୍ତଖତ ଅଭିଯାନ ୮ ଦିନ ଧରି ଚାଲିବ। ସିଂହଦ୍ବାରରୁ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହେବ। ଆସନ୍ତା ରବିବାର ପର୍ଯ୍ୟନ୍ତ ସିଂହଦ୍ବାରରେ ଏହି ଦସ୍ତଖତ ଭକ୍ତ, ସେବାୟତ, ବୁଦ୍ଧିଜୀବୀଙ୍କଠାରୁ ସଂଗ୍ରହ ହେବ। ଯେଉଁମାନେ ଚାହିବେ ସେମାନେ ସ୍ବେଚ୍ଛାରେ ଦସ୍ତଖତ ଦେଇପାରିବେ। ପରେ ଏହି ଦସ୍ତଖତ ସବୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ। ମୁଖ୍ୟମନ୍ତ୍ରୀ ଏ ଉପରେ କ’ଣ ନିଷ୍ପତ୍ତି ନେଉଛନ୍ତି, ଆମେ ଅପେକ୍ଷା କରିବୁ। ତଥାପି ଦାବି ପୂରଣ ନହେଲେ, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିବୁ। ଏହା ପରେ ବି ଦାବି ପୂରଣ ନହେଲେ ସିଂହଦ୍ବାରରେ ଅନଶନରେ ବସିବୁ ବୋଲି ଶ୍ରୀ ଦାଶ କହିଛନ୍ତି।
ଶ୍ରୀ ଦାଶ ଆହୁରି କହିଛନ୍ତି, ଜିଲ୍ଲା ପ୍ରଶାସନ ପ୍ରଥମେ କୋଭିଡ୍ ଓ ପରେ ଗହଳିର ଆଳ ଦେଖାଇ ଚାରିଦ୍ବାର ଦର୍ଶନ ବନ୍ଦ କରିଦେଲା। ଯେଉଁଥିପାଇଁ ପ୍ରତିଦିନ ଖରାତରାରେ ଭକ୍ତ ଲମ୍ବାଧାଡ଼ିରେ ଦର୍ଶନ ପାଇଁ ଛିଡ଼ା ହେଉଛନ୍ତି। ମରିଚିକୋଟ ଆଗକୁ ବି ଭକ୍ତଙ୍କ ଧାଡ଼ି ଲମ୍ବୁଛି। ଏତେ ପରେ ବି ଭିଡ଼ ଯନ୍ତ୍ରଣାରୁ ନିସ୍ତାର ନାହିଁ। ନାଟମଣ୍ଡପରେ ଭକ୍ତ ଠେଲାପେଲାରେ ଦର୍ଶନ କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସାତପାହାଚ ନିକଟରେ ଧାଡ଼ି ବ୍ୟବସ୍ଥା କରିଛି। ସେଠାରେ ଯେଉଁ ଭକ୍ତ ଦର୍ଶନ ପାଇଁ ଯାଉଛନ୍ତି, ଧାଡ଼ିରେ ଛିଡ଼ା ହେଉଛନ୍ତି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ବାହାର ଭକ୍ତଙ୍କୁ ଖରାତରାରେ ଛିଡ଼ା କରିବାର କୌଣସି ଯଥାର୍ଥତା ନାହିଁ। କାରଣ ଯେଉଁ ଦ୍ବାରରୁ ବି ଭକ୍ତ ଯାଆନ୍ତୁ, ସାତପାହାଚ ପାଖରେ ଧାଡ଼ିରେ ରହି ଦର୍ଶନ କରିବେ। ଚାରିଦ୍ବାର ଦର୍ଶନ ଦ୍ବାରା ଭକ୍ତ କେବଳ ଅଯଥା ଯନ୍ତ୍ରଣା ପାଉନାହାନ୍ତି, ଯେଉଁମାନେ ଦର୍ଶନ ପାଇଁ ନ ଯାଇ ଅନ୍ୟ କାମରେ ଯାଉଛନ୍ତି, ସେମାନେ ବି ଧାଡ଼ିରେ ଯିବାକୁ ପଡ଼ୁଛି। ପୂର୍ବରୁ ମହାପ୍ରସାଦ ଆଣିବାକୁ ହେଲେ ଭକ୍ତମାନେ ଉତ୍ତରଦ୍ବାର ଦେଇ ପ୍ରବେଶ କରୁଥିଲେ, ଏବେ ସେ ବ୍ୟବସ୍ଥା ବି ବନ୍ଦ କରି ଦିଆଯାଇଛି। ମହାପ୍ରସାଦ ପାଇଁ ବି ସିଂହଦ୍ବାର ଦେଇ ଯିବାକୁ ପଡ଼ୁଛି ବୋଲି ଶ୍ରୀ ଦାଶ କହିଛନ୍ତି।
ଭକ୍ତ ତଥା ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ପରିଡ଼ା କହିଛନ୍ତି, ମୁଁ କାହିଁ କେଉଁ କାଳରୁ ଏକାଦଶୀ ପାଳି ଆସୁଛି। ପ୍ରତି ଏକାଦଶୀରେ ମହପ୍ରସାଦ ସେବନ କରେ। ମହାପ୍ରସାଦ ବିନା ଅନ୍ୟ କିଛି ସେବନ କରେନି। କିନ୍ତୁ ଏବେର ଦର୍ଶନ ବ୍ୟବସ୍ଥା ପାଇଁ ମୁଁ କଲବଲ ହେଉଛି। ଜିଲ୍ଲା ପ୍ରଶାସନ ଆମ ଭକ୍ତିଭାବ ସହ ଏଭଳି ଖେଳିଲା ଯେ ଆମକୁ ବ୍ରତ ଭାଙ୍ଗିବାକୁ ପଡ଼ିଛି।ଖୁବଶୀଘ୍ର ଚାରିଦ୍ବାର ଖୋଲିବା ଦରକାର ଓ ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବାକୁ ଅନୁମତି ମିଳିବା ଦରକାର ବୋଲି ସେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/srimandir-ddd.jpg)