ଭୁବନେଶ୍ବର: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଅନ୍ୟ ରାଜ୍ୟଗୁଡ଼ିକରେ ଘରୋଇ ଡ୍ରାଇଭରମାନଙ୍କୁ ସରକାରଙ୍କ ଦ୍ବାରା ଦିଆଯାଉଥିବା ସୁବିଧାସୁଯୋଗ ଅନୁସାରେ ଆମେ ରାଜ୍ୟରେ ତାହାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ତିନିମାସ ମଧ୍ୟରେ ଦାବିଗୁଡ଼ିକୁ ପୂରଣ କରିବା ନେଇ ପଦକ୍ଷେପ ନିଆଯିବ। ସେହିପରି ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ଅନ୍ତଃବିଭାଗ କମିଟି ଗଠନ ହେବ। ଏଥିରେ ସ୍ବରାଷ୍ଟ୍ର, ଅର୍ଥ, ପରିବହନ, ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ରହିବେ। ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ ଡ୍ରାଇଭରମାନଙ୍କ ପାଇଁ ଥିବା ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଗୁଡ଼ିକ ଅନୁଧ୍ୟାନ କରିବେ। ଏହାପରେ ଏକ ଆଦର୍ଶ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ ନିମନ୍ତେ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ଏହି ପ୍ରକ୍ରିୟା ତିନି ମାସ ମଧ୍ୟରେ ଶେଷ ହେବ ବୋଲି ଶ୍ରମ, କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି।
ଏହାବାଦ୍ ଘରୋଇ ଡ୍ରାଇଭରମାନଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପ୍ରତି ସଜାଗ ରହିବାକୁ ପୁଲିସ ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କର ନୂତନ ଡ୍ରାଇଭିଙ୍ଗ୍ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ନବୀକରଣ କରିବା ନେଇ ପରିବହନ କାର୍ଯ୍ୟାଳୟକୁ ଗଲେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସମସ୍ତ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜିର ବୈଠକରେ କଟକ ମେୟର ସୁବାସ ସିଂହ, ଏଡିଜି(ଆଇନଶୃଙ୍ଖଳା) ଆର୍.କେ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍, ପରିବହନ କମିସନର ଅରୁଣ ବୋଥ୍ରା, ଶ୍ରମ କମିସନର ଏନ୍.ତିରୁମାଳା ନାୟକ, ଅତିରିକ୍ତ ଶ୍ରମ କମିସନର ଏନ୍.ମିଶାଲ, ଡିଏଲ୍ସି ବି.ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/56s4hsf654f65h4fhfhs.jpg)