ଭୁବନେଶ୍ୱର: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅନୁରୂପ ଖବରକାଗଜ ବିତରକ କଲ୍ୟାଣ ବୋର୍ଡ଼ ଗଠନ କରାଯିବ। କେବଳ ସେତିକି ନୁହେଁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବା, ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଖବରକାଗଜ ବିତରକମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭେଟି ଆଲୋଚନା କରିବା ପରେ ସେମାନଙ୍କୁ ଏଭଳି ପ୍ରତିଶ୍ରୁତି ମିଳିଛି।

Advertisment

ଏହା ସହିତ ସବୁ ଜିଲ୍ଲା ଓ ରାଜଧାନୀରେ କାର୍ଯ୍ୟାଳୟ ନିମନ୍ତେ ଜମି, ଖବରକାଗଜ ମଣ୍ଡିରେ ସେଡ଼୍‍ ନିର୍ମାଣ ସହ କୋଭିଡ଼ରେ ମୃତ୍ୟୁବରଣ କରିଥିବା ବିତରକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ଦିନେ ଦୁଇଦିନ ମଧ୍ୟରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେମାନଙ୍କୁ କୁହାଯାଇଛି।
ସୋମବାର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଖବରକାଗଜ ବିତରକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ଭୁବନେଶ୍ୱର ଆସିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ ସେମାନଙ୍କ ସହ ଆଲୋଚନା କରିଥିଲେ। ବିତରକମାନଙ୍କ ପକ୍ଷରୁ ରାଜ୍ୟ ହକର୍‍ ସଂଘର ରାଜ୍ୟ ଉପସଭାପତି ସତ୍ୟ ମହାନ୍ତି ଦାବି ଉପସ୍ଥାପନ କରିଥିଲେ। ୫-ଟି ସଚିବ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବିତରକମାନଙ୍କ ପ୍ରତି ସରକାରଙ୍କ ସହାନୁଭୂତି ରହିଛି ବୋଲି କହିଥିଲେ।
ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଥିଲେ। ଆଲୋଚନା ପରେ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।