ନୟାଗଡ଼: ନୟାଗଡ଼ରେ ବନ୍ଦ ପଡ଼ିଥିବା ସମବାୟ ଚିନିକଳ ନାନା ଅଡ଼ୁଆରେ ଛନ୍ଦି ହୋଇଥିବା ବେଳେ, କ୍ରମେ ଏଠାରୁ ଯନ୍ତ୍ରପାତି ସବୁ ଗାଏବ୍ ହେବାରେ ଲାଗିଛି। ଚିନିକଳରୁ ଯନ୍ତ୍ରାଂଶ ଚୋରି ଏକରକମ ନିତିଦିନିଆ ଘଟଣା ପାଲଟିଥିବା ବେଳେ, ଏଠାରେ ଥିବା ବିଭିନ୍ନ ମୂଲ୍ୟବାନ ଗଛ ମଧ୍ୟ ଲୁଟ୍ ହେଉଥିବା ଦେଖାଯାଇଛି। ଗତ ୨ ସପ୍ତାହ ମଧ୍ୟରେ ଚିନିକଳରୁ ଚୋରି ନେଇ ସଦର ଥାନା ପୁଲିସ ଏକାଧିକ ମାମଲା ରୁଜୁ କରିଛି। ସ୍ଥାନୀୟ ଅଞ୍ଚଳର ୩ରୁ ଅଧିକ ଚୋରଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ପରେ ପୁଲିସର ମାମଲା, ଗିରଫଦାରୀ କାଁଭାଁ ହେଉଥିବା ବେଳେ, ଏଠାରେ କିନ୍ତୁ ଚୋରି ନିୟମିତ ଚାଲିଛି।
ଏଭଳି ସ୍ଥିତିରେ ୨ ଦିନ ତଳେ ପୁଣି ଏଠାରୁ ଯନ୍ତ୍ରାଂଶ ସମେତ ଗଛ କାଟି ନିଆଯାଉଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଯାହା ଚିନିକଳ କିଭଳି ଚୋର, ଅସାମାଜିକ ତତ୍ତ୍ବଙ୍କ ଆଡ଼ାସ୍ଥଳୀ ପାଲଟିଲାଣି ତାହା ବୟାନ କରୁଛି। ୨୦୧୪ରୁ ନୟାଗଡ଼ ଚିନିକଳ ଅଚଳ ହୋଇପଡ଼ିଥିଲେ ମଧ୍ୟ ଏହାର ପରିଚଳାନା ଦାୟିତ୍ବ ନେଇଥିବା ତ୍ରୈଲୋକ୍ୟ ମିଶ୍ର ଘରୋଇ ଭାବେ ସୁରକ୍ଷା ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ୨୦୨୦ ମାର୍ଚ୍ଚରେ ଚିନିକଳକୁ ସିଲ୍ କରିବା ପରେ ଶ୍ରୀ ମିଶ୍ର ସୁରକ୍ଷା ଦାୟିତ୍ବରୁ ଓହରି ଯାଇଥିଲେ। ଚିନିକଳରୁ ବାରମ୍ବାର ଚୋରି ଖବର ପାଇବା ପରେ ଶ୍ରୀ ମିଶ୍ର ଏହାର ସୁରକ୍ଷା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଠାରେ ସିସି କ୍ୟାମେରା ଲଗାଇବାଠାରୁ ଆରମ୍ଭ କରି ସୁରକ୍ଷାକର୍ମୀ ମୁତୟନ କରାଯାଇଥିଲା। ତେବେ ମାସେ, ଦୁଇ ମାସରେ ସିସି କ୍ୟାମେରା ସବୁ ଅଚଳ ହୋଇପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ମରାମତି କିମ୍ବା ନୂତନ କ୍ୟାମେରା ଲଗାଯାଇନାହିଁ।
ରାତିରେ ହାତଗଣତି ୩/୪ ଜଣ ସୁରକ୍ଷା କର୍ମଚାରୀ ଯାଉଛନ୍ତି। ହେଲେ ଚିନିକଳ ଭଳି ବ୍ୟାପକ ଅଞ୍ଚଳ ନିମନ୍ତେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ସମୁଦ୍ରକୁ ଶଙ୍ଖେ ଭଳି। ଜିଲ୍ଲା ପ୍ରଶାସନଠାରୁ ନେଇ ସଦର ଥାନା ପୁଲିସ ଚିନିକଳର ସୁରକ୍ଷା ନେଇ ଆଖି ବୁଜିଦେଇଛି। ସଦର ଥାନା ଆଇଆଇସି ଅନିତା ସାହୁ କୁହନ୍ତି, ଦିନ ସମୟରେ ବ୍ୟାପକ ହୋମଗାର୍ଡ ମୁତୟନ କରିବା ଲାଗି ସର୍ତ୍ତ ଅନୁଯାୟୀ ଚିନିକଳ ବନ୍ଧକ ରଖିଥିବା ବ୍ୟାଙ୍କ ପ୍ରାପ୍ୟ ଦେଉନାହିଁ। ଫଳରେ ଏଠାରେ ସୁରକ୍ଷା ବ୍ୟବସ୍ଥା ହୋଇପାରୁନାହିଁ। ରାତିରେ ହୋମଗାର୍ଡ ଚିନିକଳ ଜଗିବାକୁ ଯାଉଥିବାରୁ ଚୋରି ହେଉନାହିଁ। ଦିନ ସମୟରେ ବିଭିନ୍ନ ସୂତ୍ରରୁ ଖବର ପାଇ ଚୋର ଧରାଯାଉଛି ତେବେ ଦିନ ସମୟରେ ହୋମଗାର୍ଡ ନିଯୁକ୍ତି ପାଇଁ ଅନୁଦାନର ଆବଶ୍ୟକତା ଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/65465g465gjgjgjd.jpg)