ଦୁର୍ନୀତି ଡାକୁଛି କୃଷି ବିଭାଗ: ମେ’ରେ ଦରକାର ବିହନ, ଜୁଲାଇରେ ଯୋଗାଣ

ଆବଶ୍ୟକତାର ଅଧା ବି ଦେଇପାରୁ ନାହାନ୍ତି, ଅଣଧାନ ଚାଷ ପ୍ରୋତ୍ସାହନ ଘୋଷଣା ପ୍ରହସନ

ଭୁବନେଶ୍ବର: ଗତବର୍ଷର ଚିନାବାଦାମ ବିହନ ସଙ୍କଟ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହେଲା। ଏଥିରୁ ରାଜ୍ୟ ସରକାର କିଛି ବି ଶିକ୍ଷା ଲାଭ କଲେନାହିଁ। ପ୍ରଥମତଃ ସମୁଦାୟ ଆବଶ୍ୟକତାର ୫୦ ପ୍ରତିଶତ ମଧ୍ୟ ବିହନ ଯୋଗାଣରେ ରାଜ୍ୟ ସରକାର ଫେଲ ମାରିଛନ୍ତି। ସେଥିରେ ପୁଣି ମେ’ରୁ ଜୁନ ମାସ ୧୫ ତାରିଖରେ ଦରକାର ବିହନ ଜୁଲାଇ ମାସରେ ଦେଉଛନ୍ତି। ଏଭଳି ସ୍ଥିତିରେ ବିହନ ନିଗମ ନିଜେ ଦୁର୍ନୀତିକୁ ଡାକି ଆଣୁଥିବା ଅଭିଯୋଗ ହେଉଛି। ଅଣଧାନ ସନହେମ୍ପ, ମେସ୍ତା, ଧଣିଚା, ଅରହର ପ୍ରତ୍ୟେକ ବିହନ ଆବଶ୍ୟକତା ସରିବାର ମାସେ-ଦେଢ ମାସ ପରେ ବର୍ତ୍ତମାନ ଯୋଗାଣ ହେଉଥିବା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି। କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ଖରିଫ ଏବଂ ରବିରେ ରାଜ୍ୟରେ ବ୍ୟାପକ ପରିମାଣରେ ଚିନାବାଦାମ ଚାଷ ହୁଏ। ମେ’ ମାସ ଶେଷ ସପ୍ତାହରୁ ଜୁନ ମାସ ୧୫ ତାରିଖ ମଧ୍ୟରେ ଚାଷୀ ଚିନାବାଦାମ ବିହନ ବୁଣିଥାଏ। ଏହି ସମୟରେ ସମୁଦାୟ ୫ ହଜାର କ୍ବିଣ୍ଟାଲ ଚିନାବାଦାମ ବିହନର ଆବଶ୍ୟକତା ଥାଏ। ମାତ୍ର ଏହି ଦେଢ ମାସ ଚାଷୀ ବିହନ ନପାଇ ଦହଗଞ୍ଜ ହୋଇଛି। ବିଭିନ୍ନ ସ୍ଥାନରେ ଅଧିକ ମୂଲ୍ୟରେ କମ୍ପାନି ବିହନ କିଣିବାକୁ ବାଧ୍ୟ ହୋଇଛନ୍ତି। ଦୁଇରୁ ତିନି ଗୁଣ ଦରରେ କ୍ରୟ କରିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀମାନେ ମୁଖ୍ୟ କୃଷି ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ। ଆଜି ଯେତେବେଳେ ବିହନର ଆବଶ୍ୟକତା ବିଶେଷ ନାହିଁ, ରାଜ୍ୟ ବିହନ ନିଗମ ନିଜ ପାଖରେ ଥିବା ୩୦୦ କ୍ବିଣ୍ଟାଲ, ଜାତୀୟ ବିହନ ନିଗମ ଠାରୁ କ୍ରୟ କରିଥିବା ୧ ହଜାର କ୍ବିଣ୍ଟାଲ ଡେମୋଷ୍ଟ୍ରେସନ ଜରିଆରେ ବିକ୍ରି କରିବା ଆରମ୍ଭ କରିଛି।

ଚାଷୀମାନଙ୍କ କହିବା ଅନୁସାରେ, ବର୍ଷା ପୂର୍ବରୁ ବାଦାମ ଗଛ ଉଠିଯିବା କଥା। ନଚେତ ପଚି ଯାଏ। ବର୍ତ୍ତମାନ ବର୍ଷାରେ ଏହି ବିହନ କେଉଁ ଚାଷୀଙ୍କ କାମରେ ଆସିବ ବୋଲି ପ୍ରଶ୍ନ କରାଯାଉଛି। ବର୍ତ୍ତମାନ ସ୍ଥିତିରେ ଏହି ରିହାତି ବିହନ ଆଉ ଚାଷୀଙ୍କ ପାଖକୁ ଯିବ ନାହିଁ ବରଂ କମ୍ପାନି ପାଖକୁ ଯିବ। କମ୍ପାନିଗୁଡ଼ିକ ଏହି ମାନର ବିହନକୁ ରବିରେ ଉଚ୍ଚ ଦରରେ ଚାଷୀଙ୍କୁ ବିକ୍ରି କରିବେ। ବିହନ ସଙ୍କଟର ବିଭିନ୍ନ ପ୍ରକାର କାରଣ ନେଇ ଯାହା କୁହାଯାଉଛି, ରାଜ୍ୟରେ ବ୍ୟାପକ ଚିନାବାଦାମ ଚାଷ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ କୃଷି ବିଭାଗ ଚିନାବାଦାମ ବିହନ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରି ନାହିଁ। ଏଥିପାଇଁ ମୁଖ୍ୟତଃ ଜାତୀୟ ବିହନ ନିଗମ ଉପରେ ନିର୍ଭର କରେ। ଟେଣ୍ଡର ଜରିଆରେ ବିହନ କ୍ରୟ କରିଥାଏ। ଆନ୍ଧ୍ରପ୍ରଦେଶରୁ ଏହା ଯୋଗାଣ ହୁଏ। ତେଣୁ ବାହାରୁ ବିହନ ଆସିନପାରିଲେ ନିଗମ ଚାଷୀଙ୍କୁ ଦେଇ ପାରେ ନାହିଁ।

ଗତ ରବିରେ ଆନ୍ଧ୍ରପ୍ରଦେଶରେ ବାତ୍ୟା ଜଓ୍ବାଦ ଯୋଗୁଁ ଚିନାବାଦାମ ବିହନ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ଓଡ଼ିଶାକୁ ଏହି ବିହନ ଆସିପାରିଲା ନାହିଁ। କିନ୍ତୁ ଚଳିତ ବର୍ଷ ମଧ୍ୟ କୌଣସି କାରଣ ନଥାଇ ମଧ୍ୟ ସେହି ସଙ୍କଟ ରହିଛି। ଏହାର କାରଣ ନେଇ କୁହାଯାଇଛି, କମ୍ପାନିଗୁଡ଼ିକ କୋଟି-କୋଟି ଟଙ୍କାର ବିହନ କାରବାର କରନ୍ତି। ସେମାନେ ମୁଖ୍ୟତଃ ସରକାରୀ ବିହନକୁ ପ୍ୟାକେଜିଂ କରି ବିକ୍ରି କରନ୍ତି। ସେମାନଙ୍କ ନିଜସ୍ବ ଜ୍ଞାନ କୌଶଳ ଉପଯୋଗ କରି ନୂତନ କିସମ ବିହନ ତିଆରି କମ ଥାଏ। ଏହି ବିହନ କମ୍ପାନିମାନଙ୍କୁ ସୁହାଇବା ପାଇଁ ଜାଣିଶୁଣି ବିଳମ୍ବରେ ସରକାରୀ ବିହନ ବିକ୍ରି ହୁଏ। ତୃତୀୟରେ ନିର୍ଧାରିତ ସମୟରେ ସରକାରୀ ବିହନ ନମିଳିଲେ କମ୍ପାନି ବିହନ ବିକ୍ରି ମଧ୍ୟ ବଢିବ। ଏପ୍ରିଲ ମାସରେ ଆବଶ୍ୟକ ଥିବା ମେସ୍ତା(ଝୋଟ) ବିହନ, ଏପ୍ରିଲ ମାସରେ ଆବଶ୍ୟକ ଥିବା ଧଣିଚା, ଜୁନ ମାସରେ ଦରକାର ଥିବା ଅରହର ବର୍ତ୍ତମାନ ଆସୁଛି। ଯେତିକି ବି ତାହା ମଧ୍ୟ ଆବଶ୍ୟକତା ଅନୁସାରେ ଦିଆଯାଇ ନାହିଁ। ଅର୍ଥାତ ଧଣିଚାର ସମୁଦାୟ ଆବଶ୍ୟକତାର ୧୦ ହଜାର କ୍ବିଣ୍ଟାଲରୁ ୬ ହଜାର, ସନହେମ୍ପର ୧୦୦୦ କ୍ବିଣ୍ଟାଲରୁ ୫୦୦ କ୍ବିଣ୍ଟାଲ, ଅରହର କ୍ବିଣ୍ଟାଲର ୧୫୦୦ରୁ ୪୦୦ କ୍ବିଣ୍ଟାଲ ଆସିଛି। ସରକାର ଅଣଧାନ ଚାଷ ପାଇଁ ପ୍ରୋତ୍ସାହନ କରନ୍ତି କିନ୍ତୁ ଏହି ଉତ୍ପାଦନର ମାର୍କେଟିଂର ପ୍ରୋତ୍ସାହନ ତ କରିପାରନ୍ତି ନାହିଁ, ବିହନ ବି ଦେଇ ପାରୁ ନାହାନ୍ତି। ଏଭଳି ସ୍ଥିତିରେ ଅଣଧାନ ଚାଷ କିଭଳି ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ।

ସମ୍ବନ୍ଧିତ ଖବର