ଭୁବନେଶ୍ବର : ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କୃଷି ବଜେଟ୍ର ବାହାସ୍ଫୋଟ। ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ନିଜେ ପ୍ରସ୍ତୁତ କରିଥିବା ବଜେଟ୍ରେ ଯେତିକି ଅର୍ଥ ବରାଦ କରୁଛନ୍ତି, ସେତକ ମଧ୍ୟ ଖର୍ଚ୍ଚ କରିପାରୁନାହାନ୍ତି। କେବଳ କରୋନା ସମୟରେ ଏମିତି ଘଟିଛି ତା' ନୁହେଁ ସାଧାରଣ ସମୟରେ ମଧ୍ୟ ବିଭାଗ ହାତରେ ଥିବା ଟଙ୍କା ଖର୍ଚ୍ଚ କରିପାରିନାହିଁ। ବିଜୁ କୃଷକ କଲ୍ୟାଣ ଯୋଜନା, ଇନୋଭେଟିଭ(ଅଭିନବ) ପ୍ରକଳ୍ପ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବାବଦରେ ବଜେଟ ବ୍ୟବସ୍ଥା କରାଯାଇଥିଲେ ହେଁ ଟଙ୍କା ବିଭାଗ ହାତରେ ଅଟକିଯାଇଛି। ୨୦୧୯ ମସିହାରେ ୧୨୮୯ କୋଟି, ୨୦୨୦ ମସିହାରେ ୧୪୮୯ ଏବଂ ୨୦୨୧ ମସିହାରେ ୧୧୫ କୋଟି ଟଙ୍କା ଖର୍ଚ ହୋଇ ପାରିନାହିଁ। ଏହିଭଳି ଭାବେ ୩ ବର୍ଷ ମଧ୍ୟରେ କୃଷି ବିଭାଗ ବଜେଟର ୨୮୯୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। କୃଷି ନିର୍ଦେଶକ ଏବଂ ଖାଦ୍ୟ ଉତ୍ପାଦନର ଯୁଗ୍ମ ସଚିବଙ୍କୁ ବିତ୍ତ ଅଧିକାରୀ ଦେଇଥିବା ଚିଠିରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି।
କୃଷି ନିର୍ଦେଶାଳୟର ଚିଠି ଅନୁସାରେ, କୃଷି ଏବଂ କୃଷକଙ୍କ ବିକାଶ ପାଇଁ ୩୨ଟି କ୍ଷେତ୍ରରେ ରାଜ୍ୟ ସରକାର ବଜେଟ ପ୍ରସ୍ତୁତ କରିଛନ୍ତି। ୨୦୧୯ ମସିହାରେ ୫୩୨୧.୮୭ କୋଟି ବଜେଟରୁ ୪୦୩୨.୮୫ କୋଟି, ୨୦୨୦ ମସିହାରେ ୪୨୩୭.୪୪ କୋଟି ଟଙ୍କାରୁ ୨୭୪୮.୫୬ କୋଟି, ୨୦୨୧ ମସିହାରେ ୩୨୭୧.୯୬ କୋଟିରୁ ୩୧୫୭.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚାଷୀଙ୍କ ସ୍ବାସ୍ଥ୍ୟ ବୀମା ପାଇଁ ପ୍ରସ୍ତୁତ ବିଜୁ କୃଷକ କଲ୍ୟାଣ ଯୋଜନା ପାଇଁ ଦୁଇ ବର୍ଷରେ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ନାହିଁ। ଏଥିପାଇଁ ୨୦୨୦ ମସିହାରେ ୫ କୋଟି ଏବଂ ୨୦୨୧ ମସିହାରେ ୩ କୋଟିର ବଜେଟ ରହିଥିଲା। କିନ୍ତୁ ୨୦୧୯ ମସିହାରେ ଏହି ଯୋଜନା ପାଇଁ ବଜେଟର ୪୨ କୋଟିରୁ ୩୬ କୋଟି ଖର୍ଚ୍ଚ ହୋଇଥିଲା। ଅଭିନବ ପ୍ରକଳ୍ପ ପାଇଁ ୨୦୨୧ ମସିହାରେ ରାଜ୍ୟ ସରକାର ପ୍ରଥମ କରି ୨୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଖର୍ଚ୍ଚ କରି ପାରିନଥିଲେ।
ସେହିଭଳି ଅମଳ ପରିଚାଳନାର ଭିତ୍ତିଭୂମି ବିକାଶ ପାଇଁ ୨ ବର୍ଷ ହେଲା ବଜେଟ ଦିଆଯାଉଥିଲା। ୨୦୨୧ ମସିହାରେ ଏହାକୁ ବନ୍ଦ କରି ଦିଆଯାଇଛି। କୃଷି ସାର୍ଟିଫିକେସନ କାର୍ଯ୍ୟକ୍ରମକୁ ମଧ୍ୟ ୩ ବର୍ଷ ହେଲା ବନ୍ଦ କରିଦିଆଯାଇଛି। ୨୦୨୦ ମସିହାରେ ସାରକୁ ନେଇ ଚାଷୀମାନେ ନାହିଁନଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ସାର ସଂଗ୍ରହ ଏଜେନ୍ସିକୁ ୨୦୨୦ ମସିହାରେ ୫ କୋଟିରୁ ୨.୯୬ କୋଟି, ୨୦୨୧ ମସିହାରେ ବଜେଟର ୬ କୋଟିରୁ ୨.୪୫ କୋଟି ଦିଆଯାଇଛି। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଚାଷ ସହିତ ଉଦ୍ୟାନ, ପଶୁପାଳନ ସମେତ ବିଭିନ୍ନ କାର୍ଯ୍ୟକୁ ମିଶାଇ ପ୍ରସ୍ତୁତ ହୋଇଥିଲା ଯୋଜନା ସମନ୍ବିତ କୃଷି ପ୍ରୋତ୍ସାହନ। ଏଥିପାଇଁ ୨୦୨୧ ମସିହାରେ ୭ କୋଟି ୮୦ ଲକ୍ଷର ବଜେଟରୁ ୩ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଦିବାସୀ ଅଞ୍ଚଳରେ ସମନ୍ବିତ କୃଷି ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ଭାବରେ ୨୦୧୯, ୨୦୨୦ ମସିହାରେ କୋଟିଏ ଲେଖାଏଁ ବଜେଟ ବ୍ୟବସ୍ଥା ଥିଲେ ମଧ୍ୟ ଖର୍ଚ୍ଚ ହୋଇ ପାରିନଥିଲା। ୨୦୨୧ ମସିହାରେ ୪୫ କୋଟିରୁ ୯ କୋଟି ଖର୍ଚ୍ଚ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। କେବଳ ରାଜ୍ୟ ସରକାର ନୁହନ୍ତି କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ପାଇଁ ଥିବା ଅନେକ ଯୋଜନାର କେନ୍ଦ୍ରୀୟ ଅନୁଦାନ ବନ୍ଦ କରି ଦେଇଛନ୍ତି। ଆଉ କିଛି ଅନୁଦାନ ଦିଆଯାଇଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇ ପାରି ନାହିଁ।