କୋରାପୁଟ: କୋଭିଡ-୧୯ ଯୋଗୁଁ ଦୁଇ ବର୍ଷ ଧରି ପ୍ରାଥମିକ ଶିକ୍ଷାରେ ନାହିଁ ନ ଥିବା କ୍ଷତି ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ କ୍ଷତି ହୋଇଥିବା ପାଠର ଭରଣା କରିବାକୁ ହୋଇଥିଲା ଯୋଜନା। ସ୍କୁଲ ଖୋଲିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଥିବା ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ ସହ ପୂର୍ବ ଦୁଇ ଶ୍ରେଣୀର ଯଥାକ୍ରମେ ୫୦ ଓ ୬୦ ପ୍ରତିଶତ ପୁନଃଶିକ୍ଷାଦାନ କରାଯିବାକୁ ଯୋଜନା ହୋଇଥିଲା। ଏନେଇ ରାଜ୍ୟ ସରକାର ଶିକ୍ଷାବର୍ଷ ଆରମ୍ଭରେ ଲାଗୁ କରିଥିଲେ ଲଣ୍ଣିଂ ରିକଭରି ପ୍ଲାନ(ଏଲଆରପି)। ଶିକ୍ଷାବିଭାଗରୁ ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଓ ଡିପିସିଙ୍କୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଥିଲା।
ଏହି ଯୋଜନା ଅନୁସାରେ ଛାତ୍ରଛାତ୍ରୀଙ୍କର ପୂର୍ବ ଶ୍ରେଣୀର ୬୦ ଓ ତା ପୂର୍ବ ଶ୍ରେଣୀର ୫୦ ପ୍ରତିଶତ ପାଠ୍ୟକ୍ରମ ଏହି ଯୋଜନା ଅନୁସାରେ ଶେଷ କରାଯିବ। ଏଥିପାଇଁ ପ୍ରତି ମାର୍ଗଦର୍ଶିକା ଓ ପୁସ୍ତକ ପ୍ରସ୍ତୁତି କରାଯିବ ବୋଲି ଘୋଷଣା ହୋଇଥିଲା। ହେଲେ ମାର୍ଚ୍ଚ, ଏପ୍ରିଲ, ମେ’ ମାସ ଶେଷ ହୋଇଥିବାବେଳେ ଏବେ ଯାଏ ଏ ସମ୍ବନ୍ଧରେ ପାଠ୍ୟ ପୁସ୍ତତ ପହଞ୍ଚି ପାରିଲାନାହିଁ। ଫଳରେ କୋରାପୁଟ ଜଲ୍ଲାର ଶିକ୍ଷକମାନେ ଉତ୍ଥାନ(ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଚାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ୨୦୧୮ରେ ପ୍ରସ୍ତୁତ ପୁସ୍ତକ) ଓ ଉଜ୍ଜଳ(୧ରୁ ୫ଶ୍ରେଣୀରେ ପଢୁଥିବା ଚାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ୨୦୧୮ରେ ପ୍ରସ୍ତୁତ ପୁସ୍ତକ) ପୁସ୍ତିକାରେ ଏହି ଲଣ୍ଣିଂ ରିକଭରି ପ୍ଲାନ ଶେଷ କରିଛନ୍ତି। ଏପରିକି ଜିଲ୍ଲାରେ ରହିଥିବା ଶିକ୍ଷକମାନେ ଏହି ବହିରୁ ପାଠପଢାଇ ପରୀକ୍ଷା କରାଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ତେବେ ତିନିବର୍ଷ ତଳର ପୁସ୍ତକ କ’ଣ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଖରେ ଥିଲା କି ? ଯେଉଁଠି ମାର୍ଗଦିର୍ଶିକା ଓ ପୁସ୍ତକ ଆସିନାହିଁ ସେଠାରେ କିପରି ଓ କେଉଁ ପରିସ୍ଥିତିରେ ଏହି ମହତ୍ବକାକ୍ଷୀ ଯୋଜନା ସଫଳ ହେଲା।
କିପରି ଓ କେଉଁ ପରିସ୍ଥିତିରେ ଉତ୍ଥାନ ଓ ଉଜ୍ଜଳ ଯୋଜନାର ବହିକୁ ଏହି ଲଣ୍ଣିଂ ରିକଭରି ପ୍ଲାନ(ଏଲଆରପି) ପାଇଁ ଲାଗୁ କଲେ। ଏଥଇରେ କୋରାପୁଟ ଜିଲ୍ଲାରେ ରହିଥିବା ୭୭୯୯ ସ୍କୁଲର ୫୯ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ହେଲା କି ବୋଲି ପ୍ରଶ୍ନ ଉଠିଛି। ତେବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ଅନୁଷ୍ଠିତ ୫୧ ତମ ଜିଲ୍ଲାପରିଷଦ ବୈଠକରେ ପ୍ରଦତ ତଥ୍ୟ ଅନୁସାରେ ଏବେ ବି ୧୦୦ରୁ ୪୭ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଗଣିତ କରିପାରନ୍ତିନାହିଁ। ସେହି ଶ୍ରେଣୀରେ ୫୧ ପ୍ରତିଶତ ଛାତ୍ରଛାତ୍ରୀ ଅକ୍ଷର ଚିହ୍ନିପାରନ୍ତି ନାହିଁ। କୋରାପୁଟ ଜିଲ୍ଲାରେ ୫ ଶ୍ରେଣୀରେ ପଢୁଥିବା୪୭ ପ୍ରତିଶତ ଗଣିତ କରିପାରୁ ନ ଥିବାବେଳେ ୫୪ ପ୍ରତିଶତ ସାହିତ୍ୟରେ ଅକୃତକାର୍ଯ୍ୟ ହୁଅନ୍ତି। ସେହିପରି କୋରାପୁଟ ଜିଲ୍ଲାରେ ଅଷ୍ଟମ ଶ୍ରେଣୀରେ ୪୦ ପ୍ରତିଶତ ଗଣିତ କରିପାରୁ ନ ଥିବାବେଳେ ୪୫ ପ୍ରତିଶତ ସାହିତ୍ୟରେ ଫେଲ ହୁଅନ୍ତି ବୋଲି ତଥ୍ୟରେ ଉହ୍ଲେଖ ରହିଛି।
ଏନେଇ ଶିକ୍ଷକ କୁନ୍ଦନ ମିଶ୍ର କହିଛନ୍ତି ଯେ ଏଲଆରପି ଖାଲି ଘୋଷଣା କରିଦେଲେ ସିନା ହେଲେ ପୁସ୍ତକ ଦେଲେନି। ୨୦୧୮ରେ ହୋଇଥିବା ଉତ୍ଥାନ ଓ ଉଜ୍ଜଳ ଯୋଜନାର ବହିରେ ପିଲାଙ୍କୁ ପଢାଇଲୁ। ଜିଲ୍ଲା କାର୍ଯ୍ୟାଳୟରୁ ପରିସଂଖ୍ୟାନ ଦେବାକୁ ଚାପ ପଡିବାରୁ ଯାହା ଆମ ହାତରେ ଥିଲା ତାହା ଦେଇଛୁ ବୋଲିସେ କହିଛନ୍ତି।
ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ରାମଚନ୍ଦ୍ର ନାହାକ କହିଛନ୍ତି ଯେ ସରକାରଙ୍କ ନିୟମ ଅନୁସାରେ ଜଲ୍ଲାରେ ଶିକ୍ଷାଦାନ ଚାଲିଛି। ଯାହାଯେତେବେଳେ ସରକାର ପ୍ରଦାନ କରୁଛନ୍ତି ତାହା କରୁଛୁ ବୋଲି ସେ କହିଛନ୍ତି।