ପଦାକୁ ଆସିଲା ମତ୍ସ୍ୟ ବିଭାଗ ଆଉ ଏକ କେଳେଙ୍କାରୀ: ନୀଳ ବିପ୍ଲବ ଯୋଜନା ଅର୍ଥକୁ ବି ସ୍ବାହା!

ମତ୍ସ୍ୟଜୀବୀଙ୍କୁ ଉପକରଣ ଯୋଗାଣରେ ବଡ଼ଧରଣର ଦୁର୍ନୀତି

ବାଲେଶ୍ୱର : ମତ୍ସ୍ୟଚାଷୀଙ୍କୁ ପୋଖରୀ ଖୋଳା ଓ ସବ୍‌ସିଡି ପ୍ରଦାନରେ ବ୍ୟାପକ ଅନିୟମିତତା ପଦାକୁ ଆସିବା ପରେ ବାଲେଶ୍ବର ଜିଲ୍ଲା ମତ୍ସ୍ୟ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଏହି ଘଟଣାକୁ ମାସେ ନ ପୂରୁଣୁ ଏବେ ସାମୁଦ୍ରିକ ମତ୍ସ୍ୟଚାଷ ବିଭାଗରେ ପ୍ରାୟ ଦେଢ଼ କୋଟି ଟଙ୍କାର ଘୋଟାଲା ସାମ୍‌ନାକୁ ଆସିଛି। ‘ନୀଳ ବିପ୍ଳବ’ ଯୋଜନାରେ ମତ୍ସ୍ୟ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଉପକରଣ ଯଥା ବରଫ ବାକ୍ସ, ଗାଡ଼ି କିଣା ଓ ସବ୍‌ସିଡି ପ୍ରଦାନରେ ବ୍ୟାପକ ଜାଲିଆତି କରାଯାଇ ସରକାରୀ ଅର୍ଥ ହରିଲୁଟ୍‌ କରାଯାଇଛି।

ସୂଚନା ଅଧିକାର ଆଇନ୍ ଜରିଆରେ ମିଳିଥିବା ତଥ୍ୟ ମୁତାବକ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବିଦେଇପୁର ଅଞ୍ଚଳର ଶାନ୍ତନୁ କୁମାର ମଲ୍ଲିକ ‘ନୀଳ ବିପ୍ଳବ’ ଯୋଜନାରେ ବରଫ ବାକ୍ସ କ୍ରୟ କରି ସବ୍‌ସିଡି ଅର୍ଥ ପାଇଥିଲେ। ଶ୍ରୀ ମଲ୍ଲିକଙ୍କ ନାଁରେ ଏହି ବରଫବାକ୍ସ ଧାମରାସ୍ଥିତ ସଂଯୁକ୍ତା ପ୍ଲାଷ୍ଟିକ ଫିସେରୀ ମ୍ୟାଟେରିଆଲ୍ସ ବିଲ ନମ୍ବର-୪୫୩/୨୦.୨.୨୧ରେ କିଣାଯାଇଥିଲା। ତେବେ, ଏହାର ୧୦ ଦିନ ପରେ ଉକ୍ତ ଦୋକାନରୁ ଶ୍ରୀ ମଲ୍ଲିକଙ୍କ ନାଁରେ ବିଲ୍‌ ନମ୍ବର-୪୪୬/୦୧.୦୩.୨୧ରେ ଆଉ ଏକ ବିଲ୍‌ ପ୍ରସ୍ତୁତ କରାଯାଇ ବରଫବାକ୍ସ କିଣାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ସଂଯୁକ୍ତା ପ୍ଲାଷ୍ଟିକ ଫିସେରୀ ମ୍ୟାଟେରିଆଲ୍ସ ପକ୍ଷରୁ ୨୦.୦୨.୨୧ରେ ଦିଆଯାଇଥିବା ବିଲ୍‌ ନମ୍ବର-୪୫୩ ଥିବାବେଳେ ଏହାର ୧୦ ଦିନ ପରେ ଅନ୍ୟ ଏକ ବରଫବାକ୍ସ ବିକ୍ରିର ବିଲ୍‌ ନମ୍ବର ୪୪୬ ହେଲା କିପରି? ପ୍ରକୃତରେ ଏହି ବରଫବାକ୍ସ କିଣାଯାଇଥିଲା ନା ବିଭାଗ ପକ୍ଷରୁ ଭୂତ ହିତାଧିକାରୀ ସୃଷ୍ଟି କରାଯାଇ ଯୋଜନା ଅର୍ଥ ଆତ୍ମସାତ କରିବାକୁ ଉଦ୍ୟମ ହୋଇଛି, ତାହା ତଦନ୍ତସାପେକ୍ଷ। ଯଦି ବି ଏହି ବରଫବାକ୍ସ କିଣାଯାଇଥିଲା, ତେବେ ଉକ୍ତ ବିଲ୍‌ରେ ପଛ ତାରିଖରେ ଆଗୁଆ ବିଲ୍‌ ନମ୍ବର ଓ ସମ୍ପୃକ୍ତ ଦୋକାନର ଜିଏସ୍‌ଟି ନମ୍ବର ମଧ୍ୟ ସନ୍ଦେହ ପରିସରଭୁକ୍ତ ବୋଲି ସୂଚନା ଅଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ପ୍ରଧାନ ଅଭିଯୋଗ କରିଛନ୍ତି।

Naeco

ମାଛ ପରିବହନ ପାଇଁ କିଛି ବ୍ୟକ୍ତିଙ୍କୁ ଦିଆଯାଇଥିବା ବାଇକ୍‌ ଓ ଅଟୋରିକ୍ସାର ମୂଳ ବିଲ୍‌ ପରିବର୍ତ୍ତେ କୋଟେସନ୍‌, ପ୍ରୋଫର୍ମା ଇନ୍‌ଭଏସ୍‌ରେ ଅନୁମୋଦନ ହୋଇ ସବ୍‌ସିଡି ଦିଆଯାଇଛି। ଏଥିପାଇଁ ଆବେଦନ ତାରିଖ, ଅନୁମୋଦନ ତାରିଖ, କ୍ରୟ ତାରିଖ ଓ ବିଲ୍‌ ଦାଖଲ ତାରିଖରେ ବ୍ୟାପକ ଜାଲିଆତି କରାଯାଇଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଉଦୟପୁର ଅଞ୍ଚଳର ବିପ୍ଳବ ବେହେରା ନାମକ ବ୍ୟକ୍ତିଙ୍କ ନାମରେ ଏଭଳି ଅନିୟମିତତା ହୋଇଥିବା ସୂଚନା ଅଧିକାର ଜରିଆରେ ଜଣାପଡ଼ିଛି। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନଳଗୋହିରା ଗ୍ରାମର ଟୁକୁନା ବେହେରାଙ୍କ ନାଁରେ କଟକ ସଂଗୀତା ମୋଟର୍ସରୁ ପିଆଜିଓ ଆପେ ଏକ୍ସଟ୍ରା କଂପାନିର ଏକ ଅଟୋରିକ୍ସା କିଣାଯାଇଥିଲା। ଉକ୍ତ ଗାଡ଼ି କ୍ରୟ ପାଇଁ ଆବେଦନ ତାରିଖ ୩୦.୧୨.୨୦୨୦ ହୋଇଥିବାବେଳେ କିଣା ତାରିଖ ୧୨ ମାସ ପୂର୍ବ ଅର୍ଥାତ୍‌ ୬.୧.୨୦୨୦ରେ ଥିବା ଦର୍ଶାଯାଇଛି। ଏହି ଅଟୋରିକ୍ସାର ମାନୁଫ୍ୟାକ୍ଚରିଂ ‌ତାରିଖ ଅକ୍ଟୋବର ୨୦୨୦ ରହିଛି। ଯାହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ସନ୍ଦେହ ଘେରକୁ ଆସିଛନ୍ତି। ଉଭୟ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଏହିପରି ଶତାଧିକ ଭୂତ ହିତାଧିକାରୀ ସୃଷ୍ଟି କରାଯାଇ ସେମାନଙ୍କୁ ବରଫବାକ୍ସ, ବାଇକ୍‌, ଅଟୋରିକ୍ସା ଆଦି ଉପକରଣ ଯୋଗାଇବା ନାଁରେ ବିପୁଳ ଅର୍ଥ ଆତ୍ମସାତ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର