ରାଜ୍ୟ ସରକାରଙ୍କ ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ଧକ୍କା, ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ
ପୂର୍ବପରି ରହିବ ସ୍କୁଲ୍ର ସ୍ଥିତି, ସରକାର ପ୍ରସ୍ତୁତ କରିବେ ଭିତ୍ତିଭୂମି
କଟକ: ସ୍କୁଲ୍ ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି। ରାଜ୍ୟରେ ଶତାଧିକ ସରକାରୀ ସ୍କୁଲ୍କୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ୍ ସହିତ ମିଶ୍ରଣ କରିବା ସଂପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପ୍ରକାଶିତ ୨୦୨୦, ମାର୍ଚ୍ଚ ୧୧ର ମୂଳ ବିଜ୍ଞପ୍ତି ସହିତ ପରବର୍ତ୍ତୀ ସମୟରେ ୨୦୨୦, ଡିସେମ୍ବର ୧୪ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍କୁଲ୍ ମିଶ୍ରଣ ସଂପର୍କିତ ବିଜ୍ଞପ୍ତି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ଶିଶୁଙ୍କ ଅଧିକାର ଆଇନ, ୨୦୦୯ ଓ ଓଡ଼ିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦ର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ମିଶ୍ରଣ ପୂର୍ବର ଅବସ୍ଥାରେ ଆବେଦନକାରୀ ସ୍କୁଲକୁ ପୁନଃସ୍ଥାପିତ କରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍କୁଲ ଗୁଡିକ କିପରି ଠିକ୍ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥା ସରକାର ଯୋଗାଇ ଦେବେ ବୋଲି ହାଇକୋର୍ଟ କହିଛନ୍ତି। ସ୍କୁଲ୍ ଗୁଡିକର ଉପସ୍ଥାପନ କମିବା ପଛରେ ପରୋକ୍ଷରେ ସରକାରଙ୍କ ଶିକ୍ଷାନୀତି ଦାୟୀ। ଉପଯୁକ୍ତ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧା ନ ଦେଇ ସ୍କୁଲ ଗୁଡିକ ମିଶ୍ରଣ ପାଇଁ ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ପ୍ରସଂଗକୁ ଅଣଦେଖା କରି ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହା ରଦ୍ଦ କରିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦ରୁ କମ୍ ସଂଖ୍ୟାର ଛାତ୍ରଛାତ୍ରୀ ଥିବା ସ୍କୁଲ୍ଗୁଡ଼ିକୁ ନିକଟବର୍ତ୍ତୀ ପ୍ରମୁଖ ସ୍କୁଲ୍ରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ୨୦୨୦, ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ଜିଲ୍ଲାରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏଥିରେ କେତେକ ସଂଶୋଧନ କରି ଗଣଶିକ୍ଷା ବିଭାଗ ୨୦୨୦, ଡିସେମ୍ବର ୧୪ରେ ସାନି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏପରି କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ୍ଗୁଡିକୁ ନିକଟସ୍ଥ ସ୍କୁଲ୍ରେ ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୪ ହଜାରରୁ ଅଧିକ ସରକାରୀ ସ୍କୁଲ୍ ଏହାଦ୍ବାରା ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ପରେ ଏହି ପ୍ରସଙ୍ଗ ନେଇ ହାଇକୋର୍ଟରେ ଶତାଧିକ ମାମଲା ଦାୟର ହୋଇଥିଲା। ଅଧିକାଂଶ ସ୍କୁଲ୍ ପରିଚାଳନା କମିଟି ଓ ଅଭିଭାବକ ମିଶ୍ରଣ ନିଷ୍ପତ୍ତି ବିରୋଧରେ ପୃଥକ୍ ଭାବେ ମାମଲା ରୁଜୁ କରିଥିଲେ।
ଏହି ମାମଲା ଗୁଡିକରେ ମୁଖ୍ୟତଃ ଅଭିଯୋଗ କରାଯାଇଥିଲା ଯେ ସମ୍ବିଧାନର ଧାରା ୨୧-କ ସହିତ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ଶିଶୁଙ୍କ ଅଧିକାର ଆଇନ, ୨୦୦୯ ଏବଂ ଓଡ଼ିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦ର ଉଲ୍ଲଂଘନ କରି ସ୍କୁଲ୍ ମିଶ୍ରଣ ସଂପର୍କିତ ନିଷ୍ପତ୍ତି ନିଆଯାଇଥିଲା। ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କ ପାଇଁ ଚାଲିବା ଦୂରତା ୧ କିଲୋମିଟର ଭିତରେ ସ୍କୁଲ୍ ରହିବା କଥା। କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇ ବହୁ ସ୍କୁଲ୍ର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଥିଲା। କେଉଁ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବ୍ୟିାଳୟରେ ତ ଅନ୍ୟ କେଉଁଠି ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମର ଉଲ୍ଲଂଘନ କରିଥିଲା। ଏପରି ନିଷ୍ପତ୍ତି ଦ୍ବାରା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷା ଗ୍ରହଣ ବାଧାପ୍ରାପ୍ତ ହେବ। ଭୌଗୋଳିକ ସ୍ଥିତି, ମିଶ୍ରଣ ପରେ ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି ହେବାକୁ ଥିବା ସମସ୍ୟା ଓ ଅନ୍ୟାନ୍ୟ ପ୍ରସଂଗକୁ ବିଚାରକୁ ନ ନେଇ ମିଶ୍ରଣ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍କୁଲ୍ ମିଶ୍ରଣ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଅଭିଭାବକ, ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଭାବିତ ହେବାକୁ ଥିବା ପକ୍ଷମାନଙ୍କ ମତାମତ ନିଆଯିବା କଥା। କିନ୍ତୁ ଏପରି କରାଯାଉ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ଆବେଦନରେ ଆହୁରି ମଧ୍ୟ ଦର୍ଶାଯାଇଥିଲା ଯେ ରାଜ୍ୟରେ ହଜାର ହଜାର ସ୍କୁଲ୍ ବିନା ସରକାରୀ ସ୍ବୀକୃତିରେ ଚାଲିଥିବାବେଳେ ସରକାରଙ୍କର କିନ୍ତୁ ଏଥିପ୍ରତି ନିଘା ନାହିଁ। କିନ୍ତୁ ସରକାର ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟ ଆନୁସଙ୍ଗିକ ସୁବିଧା ନ କରି
ସ୍କୁଲ୍ରେ କମ୍ ପିଲା ପଢୁଛନ୍ତି ବୋଲି ଦର୍ଶାଇ ସରକାରୀ ସ୍କୁଲ ସବୁକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ।
ସରକାରୀ ସ୍କୁଲ ବନ୍ଦ ସଂପର୍କିତ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଏହି ସବୁ ଆବେଦନରେ ଦର୍ଶାଯାଇଥିଲା। ହାଇକୋର୍ଟ ଏ ସଂପର୍କିତ ମାମଲା ଗୁଡିକର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହିତ ଅନ୍ୟପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ସ୍କୁଲ୍ ମିଶ୍ରଣ ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ। ଗତ ମାର୍ଚ୍ଚ ୯ରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାମଲା ଗୁଡିକରେ ଜବାବ ଦାଖଲ କରାଯାଇଥିଲା। ଏହାପରେ ସରକାରଙ୍କ ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିଥିଲେ। ସ୍କୁଲ୍ ମିଶ୍ରଣ ସଂପର୍କିତ ରେକର୍ଡ ହାଇକୋର୍ଟ ତଲବ କରିଥିଲେ। ଏପ୍ରିଲ ୨୯ରେ ହାଇକୋର୍ଟ ଏ ସଂପର୍କିତ ଶତାଧିକ ମାମଲାର ଏକତ୍ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କୁନାଲ କୁମାର ସ୍ବାଇଁ, ଅକ୍ଷୟ କୁମାର ପାଣ୍ଡେ ଓ ଅନ୍ୟମାନେ ମାମଲା ପରିଚାଳନା କରୁଥିଲେ।