ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଖର୍ଚ୍ଚଦାବି ପାରିତ: ଆଦିବାସୀଙ୍କ ଉନ୍ନୟନ ପ୍ରସଙ୍ଗରେ ମୁହାଁମୁହିଁ

୪୦୯୧ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ବର: ବିଧାନସଭାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଯାଇଛି। ବିଭାଗର ମୋଟ୍‌ ୪୦୯୧ ‌କୋଟି ୯୮ ଲକ୍ଷ ୬୦ ହଜାର ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏ ସଂକ୍ରାନ୍ତୀୟ ଆଲୋଚନା ବେଳେ ଶାସକ ଓ ବିରୋଧୀ ଦଳ ସଭ୍ୟ ଆଦିବାସୀଙ୍କ ଉନ୍ନୟନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ। ୨୨ ବର୍ଷରେ ସରକାର ଆଦିବାସୀଙ୍କ ପାଇଁ ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଆଦିବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ସବୁ ପଦକ୍ଷେପ ନେଇଛନ୍ତି ବୋଲି ଶାସକ ଦଳ ସଭ୍ୟମାନେ ଯୁକ୍ତି ବାଢ଼ିଥିଲେ।

ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଆଦିବାସୀ ଅଞ୍ଚଳ ଏବେ ବି ବହୁ ପଛରେ। ଖୋଦ୍ ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ଶିକ୍ଷା ବାଟବଣା ହୋଇଛି। କେନ୍ଦ୍ର ସରକାର ୮୭ଟି ଏକଲବ୍ୟ ମଡେଲ୍ ସ୍କୁଲ୍ ମଞ୍ଜୁର କରିଥିଲା ବେଳେ ରାଜ୍ୟ ସରକାର ଜାଗା ଦେଉ ନ ଥିବାରୁ ୪୦ରୁ ଅଧିକ ସ୍କୁଲ୍ କାମ ଆରମ୍ଭ ହୋଇପାରୁ ନାହିଁ। କଂଗ୍ରେସ ସଭ୍ୟ ରାଜନ ଏକ୍କା କହିଲେ, ଆଦିବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ଘୋଷଣା ହେଉନି। ରାଜ୍ୟରେ ଆଦିବାସୀଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ଆଦିବାସୀ ଅଞ୍ଚଳରେ ଅନାହାର, ଅର୍ଦ୍ଧାହାର ସବୁବେଳେ ଦେଖିବାକୁ ମିଳୁଛି। ରକ୍ତହୀନତା ଓ ପୁଷ୍ଟିହୀନତା ଦୂର ପାଇଁ ଠୋସ୍ ପଦକ୍ଷେପ ନିଆଯାଉନି। ଆଦିବାସୀ ଅଞ୍ଚଳରେ ଡାକ୍ତର ବି ନାହାନ୍ତି। ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ବସୁନି। ସରକାର କେବଳ ଶୁଖିଲା ପ୍ରଚାର କରୁଛନ୍ତି। ବିଜେପି ସଭ୍ୟ ଭାସ୍କର ମଡ଼େଇ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ବସୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ‘ଶବର’ ଜାତିକୁ ‘ଶଅର’ ଲେଖାଯାଉଥିବାରୁ ସେମାନେ ବହୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ସଭ୍ୟ ଗଣେଶ ରାମ ସିଂହ ଖୁଣ୍ଟିଆ ପେସା ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ସରକାରଙ୍କୁ ସମାଲୋଚନା କରିଥିଲେ। ସ୍ବାଧୀନ ସଭ୍ୟ ମକରନ୍ଦ ମୁଦୁଲି ରାଜ୍ୟରେ ତୁରନ୍ତ ଓବିସି ଗଣନା ପାଇଁ ଦାବି କରିଥିଲେ। ଦାଶରଥୀ ଗମାଙ୍ଗୋ, ନବଚରଣ ମାଝୀ, କୁସୁମ ଟେଟେ ଓ ସନାତନ ବିଜୁଳି ମଧ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଶିକ୍ଷା ବିନା ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶର କିଛି ମାନେ ନାହିଁ। କେବଳ ଶିକ୍ଷା ଦେଲେ ହେବ ନାହିଁ। ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଛି। କିନ୍ତୁ ବହୁ ଜାଗାରେ ଶିକ୍ଷକ ପଦବି ଖାଲି ପଡ଼ିଛି। କଂଗ୍ରେସ ସରକାରଙ୍କ ସମୟରେ ହିଁ ଆଦିବାସୀଙ୍କ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ପେସା ଆଇନ୍ କଂଗ୍ରେସ ସମୟରେ ପ୍ରଣୟନ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏ ଯାଏ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ରାଷ୍ଟ୍ରପତି, ରାଜ୍ୟପାଳ ପଦବିରେ ଆଦିବାସୀଙ୍କୁ ବସାଇ ଶାସକ ଦଳ ବାହାବା ନେଉଛନ୍ତି। ଯଦି ସତରେ ଆଦିବାସୀଙ୍କ ପ୍ରତି ଦରଦ ଅଛି, ତେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବେ ସେମାନଙ୍କୁ ଅଧିଷ୍ଠିତ କରାଇ ବାସ୍ତବ ଶାସନ ଡୋରି ସେମାନଙ୍କ ହାତରେ ଧରାଇବାକୁ ଶ୍ରୀ ମିଶ୍ର ଆହ୍ବାନ ଦେଇଥିଲେ। ଶାସକ ଦଳ ପକ୍ଷରୁ ଶଶିଭୂଷଣ ବେହେରା ଓ ପଦ୍ମନାଭ ବେହେରା ଯୁକ୍ତି ବାଢ଼ିଥିଲେ ଯେ ଜନଜାତିଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଶିକ୍ଷା ହିଁ ବଡ଼ ମାଧ୍ୟମ। ସେଥି ପାଇଁ ରାଜ୍ୟ ସରକାର ଆଦିବାସୀଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୧୭୫୩ ଆବାସିକ ବିଦ୍ୟାଳୟ ଓ ୬୮୦୦ ହଷ୍ଟେଲ୍ ଅଛି। ରାଜ୍ୟ ସରକାରଙ୍କ ଆଦିବାସୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଶାସକ ଦଳ ପକ୍ଷରୁ ଚନ୍ଦ୍ରସାରଥୀ ବେହେରା, ରଘୁନାଥ ପଦାଳ, ପ୍ରକାଶ ଚନ୍ଦ୍ର ମାଝୀ, ରମେଶ ଚନ୍ଦ୍ର ବେହେରା ଓ ସୁନନ୍ଦା ଦାସ ପ୍ରମୁଖ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଜଗନ୍ନଥ ସାରକା କହିଥିଲେ ଯେ ବିଭାଗର କାର୍ଯ୍ୟକ୍ରମ ବ୍ୟୟ ବାବଦରେ ବରାଦ ଅର୍ଥ ମଧ୍ୟରୁ ୧୭୯୭ କୋଟି ୬୬ ଲକ୍ଷ ୫୫ ହଜାର ଟଙ୍କା ରାଜ୍ୟସ୍ତରୀୟ ଯୋଜନାରେ, ୧୩୬ କୋଟି ୭୪ ଲକ୍ଷ ୭୦ ହଜାର ଟଙ୍କା କେନ୍ଦ୍ର ସ୍ତରୀୟ ଯୋଜନାରେ ଏବଂ ୧୧୬୬ କୋଟି ୮ ଲକ୍ଷ ୧୫ ହଜାର ଟଙ୍କା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅନ୍ତର୍ଭୁକ୍ତ। ଆଦିମ ଜନଜାତି ପରିବାରଙ୍କ ଜୀବନ ଜୀବିକାର ମାନ ଉନ୍ନତୀକରଣ କରିବା ନିମନ୍ତେ ୧୭ଟି ଅଣୁପ୍ରକଳ୍ପ ଅଞ୍ଚଳରେ ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ନିର୍ବାହ ଉନ୍ନତୀକରଣ ଯୋଜନା ନିମନ୍ତେ ବଜେଟ୍‌ରେ ୮୬ କୋଟି ବ୍ୟୟବରାଦ କରାଯାଇଛି। ବିଭାଗ ଅଧୀନରେ ଥିବା ସ୍କୁଲ୍‌ଗୁଡ଼ିକରେ ଥିବା ଅଭାବ ପୂରଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର