ନବରଙ୍ଗପୁର: ଭାଲୁ ସହ ୪୦ ମିନିଟ୍‌ ଧରି ଲଢ଼ିଲେ। ଶେଷରେ ପ୍ରାଣ ହରାଇଲେ ଠିକାଦାର। ଲୋକମାନେ ଗୋଡ଼ାଇବାରୁ ଦୌଡ଼ି ପଳାଉଥିବା ନରହନ୍ତା ଭାଲୁ ମଧ୍ୟ ମୋରମ ଖାଦାନରେ ପଡ଼ି ମଲା। ନବରଙ୍ଗପୁର ବ୍ଲକ ଭତରାସିଉନିସ୍ଥିତ ଠିକାସଂସ୍ଥାର ଅସ୍ଥାୟୀ କ୍ୟାମ୍ପ ନିକ‌ଟରେ ଆଜି ସକାଳୁ ଏମିତି ଛାତିଥରା ଘଟଣା ଘଟିଛି। ମୃତ ଠିକାଦାର ମଧ୍ୟପ୍ରଦେଶ ମାହିର ଗାଁର ବ୍ରିଜେଶ କୁମାର ଦ୍ୱିବେଦୀ (୫୦) ବୋଲି ସୂଚନା ମିଳିଛି। ଭାରତମାଳା ପ୍ରକଳ୍ପରେ ବିଶାଖାପାଟଣା-ରାୟପୁର ଜାତୀୟ ରାଜପଥ ନିର୍ମାଣ ଚାଲିଥିବାରୁ ଭତରାସିଉନି ଗାଁ ନିକଟରେ ଠିକାସଂସ୍ଥା ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ସ୍ଥାପନ କରାଯାଇଛି। କ୍ୟାମ୍ପରେ ଶ୍ରମିକଙ୍କ ସହ ଠିକାଦାର ବ୍ରିଜେଶ ରହୁଥିଲେ। ଆଜି ସକାଳ ପ୍ରାୟ ୭ଟାରେ କ୍ୟାମ୍ପ ଠାରୁ କିଛି ମିଟର ଦୂରରେ ଥିବା ପୋଖରୀକୁ ବ୍ରିଜେଶ ଶୌଚ ପାଇଁ ଯିବା ସମୟରେ ଗୋଟିଏ ବୟସ୍କ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ଭାଲୁ ବ୍ରିଜେଶଙ୍କୁ ତଳେ ପକାଇ ମାଡ଼ି ବସିଥିଲା। ପ୍ରାଣ ବଞ୍ଚାଇବା ପାଇଁ ବ୍ରିଜେଶ ଚିତ୍କାର କରିବା ସହିତ ଭାଲୁ ସହିତ ଲଢ଼ିଥିଲେ। ତାଙ୍କ ଚିତ୍କାର ଶୁଣି କ୍ୟାମ୍ପରୁ ଶ୍ରମିକ ଏବଂ ଗ୍ରାମବାସୀ ପହଞ୍ଚି ଯାଇଥିଲେ। କିନ୍ତୁ ଭିଡ଼କୁ ଦେଖି ଭାଲୁ ଆହୁରି ଉଗ୍ର ହୋଇ ବ୍ରିଜେଶଙ୍କ ମୁହଁକୁ ବିଦାରି ଦେଇଥିଲା। ନିଜକୁ ରକ୍ଷା ଲାଗି ୪୦ମିନିଟ୍‌ ଧରି ସଂଘର୍ଷ କରିବା ସତ୍ତ୍ବେ ଭାଲୁଠାରୁ ବର୍ତ୍ତିନପାରି ବ୍ରିଜେଶ ଜୀବନ ହାରିଥିଲେ।

Advertisment

ବ୍ରିଜେଶ ସଂପୂର୍ଣ୍ଣ ନିସ୍ତେଜ ହୋଇଯିବା ପରେ ଭାଲୁ ତାଙ୍କୁ ଛାଡ଼ିଥିଲା। ଦୂରରେ ଥିବା ଲୋକ ଆଗକୁ ବଢ଼ିବାରୁ ଭୟଭୀତ ଭାଲୁ ଜଙ୍ଗଲକୁ ଫେରିଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ୨ଶହରୁ ୩ଶହ ମିଟର ଦୌଡ଼ିବା ମଧ୍ୟରେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା। ଶେଷରେ ଭାରସାମ୍ୟ ହରାଇ ଗୋଟିଏ ମୋରମ ଖାଦାନକୁ ଖସି ପଡ଼ିଥିଲା। ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେ‌ହେରା କହିଛନ୍ତି, ୧୫ଫୁଟ୍‌ ଗଭୀର ମୋରମ ଖାଦାନରୁ ଭାଲୁର ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଛି। ସେହିପରି ନବରଙ୍ଗପୁର ପୁଲିସ ବ୍ରିଜେଶଙ୍କ ଶବ ଜବତ କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଛତିଶଗଡ଼ ବସ୍ତର ଜିଲ୍ଲାରେ ରହୁଥିବାରୁ ସମ୍ପର୍କୀୟ ନବରଙ୍ଗପୁର ପହଞ୍ଚିବା ପରେ ଶବ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଏସ୍‌ଆଇ ଦେବାଶିଷ ସାହୁ ତଦନ୍ତ କରୁଛନ୍ତି। ଠିକାଦାରଙ୍କୁ ଭାଲୁ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।