ସହରବାସୀଙ୍କ ସ୍ବାର୍ଥ ସବିତାଙ୍କ ପାଇଁ ଆହ୍ବାନ: ଅଧାଅଧୁରା ରହିଛି ଅନେକ ପ୍ରକଳ୍ପ

ମାଷ୍ଟରପ୍ଲାନ୍‌ ଆଧାରରେ କାମ କରିବାକୁ ଦାବି

ବାଲେଶ୍ବର: ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇ ପରେ ବାଲେଶ୍ବର ପୌରପାଳିକାକୁ ପୁଣିଥରେ ନିଜ ଅକ୍ତିଆରରେ ରଖିବାକୁ ସଫଳ ହୋଇଛି ବିଜେଡି। ପ୍ରଥମ ମହିଳା ପୌରାଧ୍ୟକ୍ଷା ଭାବେ ସବିତା ସାହୁ ଜିତିବା ପରେ ବିଜେଡି ମହଲ ଯେତିକି ଉତ୍ସାହିତ ହେଉଛନ୍ତି, ତା’ଠାରୁ ଅଧିକ ଆଶାବାଦୀ ଅଛନ୍ତି ବାଲେଶ୍ବର ସହରବାସୀ। କାରଣ ଦିନକୁଦିନ ସଂପ୍ରସାରିତ ହେଉଥିବା ବାଲେଶ୍ବର ସହର ପାଇଁ ଏବେ ବିକାଶ ହେଉଛି ସର୍ବୋପରି। ରାସ୍ତାଘାଟ ସମ୍ପ୍ରସାରଣ, ପାନୀୟଜଳ, ଡ୍ରେନେଜ୍‌, ଆଲୋକୀକରଣ ଓ ସୌନ୍ଦର୍ଯ୍ୟୀକରଣ ସୁବିଧା ଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା, ସ୍ବାସ୍ଥ୍ୟ ଓ ପରିମଳ ଭଳି ଅନେକ ବିକାଶମୂଳକ କାମ ପାଇଁ ପୌରାଞ୍ଚଳରେ ‌ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ତାହା ଠିକ୍‌ ଢଙ୍ଗରେ କରାଯାଉ ନଥିବା ଅଭିଯୋଗ ହୋଇଛି।

ବାଲେଶ୍ବର ସହରରେ ରହିଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା। ବ୍ୟବସ୍ଥିତ ବା ଠିକ୍‌ ଢଙ୍ଗରେ ଡ୍ରେନ୍‌ ନିର୍ମାଣ କରାଯାଇ ନଥିବାରୁୁ ଅସରାଏ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏଥିପାଇଁ ପୌରପାଳିକା ପକ୍ଷରୁ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ତାର ସୁଫଳ ମିଳି ପାରୁନାହିଁ। ‌ଅଙ୍ଗାରଗଡ଼ିଆ, ଶୋଭାରାମପୁର, ଗୁଡ଼ିପଦା, ଭାସ୍କରଗଞ୍ଜ, ସହଦେବଖୁଣ୍ଟା ଅଞ୍ଚଳ କଥା ନକହିବା ଭଲ। ବର୍ଷାଦିନ ଆସିଲେ ଏ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ଆସେ। ଅନେକ ଲୋକ ଘରୁ ବାହାରକୁ ବାହାରିପାରନ୍ତି ନାହିଁ। ଏ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ କରାଯାଉ ନଥିବାରୁ ଏବଂ ଖାଲୁଆ ଅଞ୍ଚଳ ହୋଇଥିବାରୁ ଲୋକେ ମାଟି ପକାଇ ଉଚ୍ଚା କରିବା ଦ୍ବାରା ବର୍ଷାଜଳ ତଳମୁଣ୍ଡକୁ ଯାଇନପାରି ଏ ଅଞ୍ଚଳକୁ ଜଳବନ୍ଦୀ କରିରଖୁଛି।

କିଛିବର୍ଷ ପୂର୍ବରୁ ସହରରୁ ଜଳ ନିଷ୍କାସନ ନେଇ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା। ହେଲେ ତାହା ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଉଦାସୀନତା କାରଣରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲାନାହିଁ। ସେହିପରି ଆଉଏକ ପ୍ରମୁଖ ସମସ୍ୟା ହେଉଛି ରାସ୍ତାଘାଟର ସମ୍ପ୍ରସାରଣ। ସହରର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ଆବଶ୍ୟକତା ରହିଛି ସତ। କିନ୍ତୁ ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଠିକ୍‌ ଭାବେ ରାସ୍ତା ନିର୍ମାଣ କରା ଯାଉନଥିବା ଅଭିଯୋଗ କରାଯାଇଛି। ଦିନକୁଦିନ ରାସ୍ତା ଉପରକୁ ଉଠି ଚାଲିଥିବା ବେଳେ ‌ଲୋକଙ୍କ ଘର ସବୁ ତଳକୁ ହୋଇଗଲାଣି। ଗୋଟିଏ ଗୋଟିଏ ଘର ଆଗରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ସେ ଲୋକ ତଳମହଲାକୁ ବ୍ୟବହାର କରିବା ବନ୍ଦ କରିଦେଲେଣି।

ସେହିପରି ଘରକୁ ଘର ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବା ଲାଗି ୯୨ କୋଟି ଟଙ୍କାର କାମ ସରିଥିବା କୁହାଯାଉଥିବା ବେଳେ ସହରବାସୀ କିନ୍ତୁ ତାର ଉପକାର ଏଯାଏ ପାଇପାରିଲେ ନାହିଁ। କିଛି ସ୍ଥାନରେ ପାଇପରେ ପାଣି ଛଡ଼ା ଯାଉଥିଲେ ହେଁ ଗୋଳିଆ ପାଣି ଯାଉଥିବାରୁ ଲୋକେ ସେ ପାଣି ବ୍ୟବହାର ନକରି କିଣା ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଏହାବାଦ ସଦର ଉପନିର୍ବାଚନ ପରେ ପରେ ବାଲେଶ୍ବର ସହରାଞ୍ଚଳରେ ବାକି ପଡ଼ିଥିବା ବିଭିନ୍ନ ବିକାଶମୂଳକ କାମକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ୧୫୫ କୋଟି ଟଙ୍କାର ପ୍ୟାକେଜ୍‌ ପ୍ରଦାନ କରିଥିଲେ। ଯେଉଁଥିରେ ସହରର ରାସ୍ତାଘାଟ, ଡ୍ରେନେଜ୍‌ ଠାରୁ ଆରମ୍ଭ କରି ଆଲୋକୀକରଣ, ସୌନ୍ଦର୍ଯ୍ୟୀକରଣ, ପାର୍କ ଓ କ୍ରୀଡ଼ା‌ ଭିତ୍ତିଭୂମିର ବିକାଶ କାର୍ଯ୍ୟ ହେବାର ଥିଲା।  ଯାହା ବର୍ତ୍ତମାନ ସୁଦ୍ଧା ଅଧାଅଧୁରା ଅବସ୍ଥାରେ ରହିଛି। ସହରରେ ଏବେ ଜବରଦଖଲ ଉଚ୍ଛେଦ ସାଙ୍ଗକୁ ଭେଣ୍ଡିଂଜୋନ୍‌ ପ୍ରତିଷ୍ଠା‌, ବାସହୀନଙ୍କୁ ଥଇଥାନ ଓ ପାର୍କିଂ ସୁବିଧା ଆଦି ଅନେକ ବିକାଶମୂଳକ କାମ ଉପଯୁକ୍ତ ଯୋଜନା ଆଧାରରେ ସଫଳ କରିବାକୁ ପଡ଼ିବ। ତେବେ ଦୀର୍ଘ ୪ ବର୍ଷ ଧରି ପୌର ପରିଷଦ ନିର୍ବାଚନ ବନ୍ଦ ରହିବା ଯୋଗୁଁ ସହରବାସୀ ସେମାନଙ୍କ ସୁବିଧା, ଅସୁବିଧା ଓ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପୌର କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି।

ଏବେ ସବିତା ସାହୁ ପୌରାଧ୍ୟକ୍ଷା ହେବା ପରେ ସହରରେ ବାକି ରହିଥିବା ବିକାଶମୂଳକ କାମ ଗୁଡ଼ିକୁ ତ୍ବରାନ୍ବିତ କରିବା ସହିତ ଲୋକଙ୍କ ସମସ୍ୟାଗୁଡ଼ିକୁ କିପରି ସହଜରେ ସମାଧାନ କରିବେ ତାହା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌ ହେବ ବୋଲି କୁହାଯାଉଛି। ତେବେ ଶ୍ରୀମତୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କେବଳ ମୁଁ ନୁହେଁ ପୌରପାଳିକାର ୩୧ଟି ୱାର୍ଡର ସମସ୍ତ କାଉନସିଲରଙ୍କୁ ନେଇ ପୌର ପରିଷଦ ଗଠନ ହୋଇଛି। ଆମ ସହ ଦକ୍ଷ ପ୍ରଶାସକ ବି ଅଛନ୍ତି। ସହରର ବିକାଶ ପାଇଁ ସମେସ୍ତ ଟିମ୍‌ ହୋଇ କାମ କରିବୁ।

ସମ୍ବନ୍ଧିତ ଖବର