ପୁରୀ : ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାର ଖୋଲିବେ ବୋଲି କହିଲେ। ଆଇନ ମନ୍ତ୍ରୀ ବି ଏ ଦିଗରେ ତତ୍କାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଲେ। ତଥାପି ଉତ୍ତରଦ୍ବାର ଭକ୍ତଙ୍କ ପାଇଁ ଖୋଲିଲାନି କି ମହାପ୍ରସାଦ ନେବା ଆଣିବାର ସୁବନ୍ଦୋବସ୍ତ କରାଗଲାନି। ଯାହାର ପରିଣାମ, ଆଜି ହଜାର ହଜାର ‌ଭକ୍ତ ମହାପ୍ରସାଦ ନ ପାଇ ନିରାଶ ହୋଇ ଫେରିଛନ୍ତି। ହଜାର ହଜାର ଲୋକଙ୍କ ପାଇଁ ରନ୍ଧା ମହାପ୍ରସାଦ ଫିଙ୍ଗାଯାଇଛି। ଯାହାର କ୍ଷତି ଭରଣା ପାଇଁ ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରିବ ବୋଲି କହିଛି। ଯଦି ଏହିଭଳି ସ୍ଥିତି ଲାଗି ରହେ ଓ ଉତ୍ତରଦ୍ବାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରାନଯାଏ, ଆଗକୁ ଲୋକଙ୍କୁ ଆବଶ୍ୟକ ମହାପ୍ରସାଦ ଯୋଗାଇବା ବନ୍ଦ କରିଦେବୁ ବୋଲି ସୁଆର ମହାସୁଆର ନିଯୋଗ ଚେତାବନୀ ଦେଇଛି।

Advertisment

ସ୍ଥିତି ନବଦଳିଲେ ଲୋକଙ୍କୁ ଆବଶ୍ୟକ ମହାପ୍ରସାଦ ଦେବୁନି: ସୁଆର ମହାସୁଆର ନିଯୋଗ

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପଦକ ନାରାୟଣ ମହାସୁଆର କହିଛନ୍ତି, ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ଯେହେତୁ ସାବିତ୍ରୀ ବ୍ରତରେ ପ୍ରତିବର୍ଷ ମହାପ୍ରସାଦ ପାଇଁ ଭକ୍ତଙ୍କ ଭିଡ଼ ଲାଗେ, ତାକୁ ଆଖି ଆଗରେ ଆଜି ସୁଆର ମହାସୁଆର ଭାଇମାନେ ଅଧିକ ମହାପ୍ରସାଦ ପ୍ରସ୍ତୁତ କରିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଉତ୍ତରଦ୍ବାରରେ ଭକ୍ତଙ୍କ ପ୍ରବେଶ ବନ୍ଦ କରି ଦେଇଛି। ଯେଉଁଥିପାଇଁ ଭକ୍ତଙ୍କ ଗହଳି ଥିଲେ ବି ଆଜି କେହି ଠିକ୍‌ରେ ମହାପ୍ରସାଦ ପାଇପାରିନାହାନ୍ତି। ଅପେକ୍ଷା କରି ନିରାଶ ହୋଇ ଫେରିଛନ୍ତି। ଏହାର ସିଧାସଳଖ ପ୍ରଭାବ ସୁଆର ମହାସୁଆରଙ୍କ ଉପରେ ପଡ଼ିଛି। ଯେତେ ପରିମାଣର ମହାପ୍ରସାଦ ପ୍ରସ୍ତୁତ ହୋଇଥିଲା, ତାହା ବିକ୍ରି ନ ହୋଇପାରି ନଷ୍ଟହୋଇଛି। ପ୍ରାୟ ୫୦ ବାଇହାଣ୍ଡି ଅନ୍ନ ସହ ବେସର, ମହୁର ଆଦି ଫିଙ୍ଗା ହୋଇଛି।

ସାବିତ୍ରୀ ଥିବାରୁ ପୁରୀ ସହର ଓ ଅନ୍ୟ ଅଞ୍ଚଳର ବହୁ ସଂଖ୍ୟାରେ ଲୋକେ ମହାପ୍ରସାଦ ପାଇଁ ଆସିଥିଲେ। କିନ୍ତୁ ଏମାନେ ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଆସି ପାରିଲେନି କି ମହାପ୍ରସାଦ ନେଇ ପାରିଲେନି। ଯେଉଁମାନେ ନେଇଛନ୍ତି, ଦଲାଲଙ୍କ ହାବୁଡ଼ରେ ପଡ଼ି, ଶୋଷଣର ଶିକାର ହୋଇଛନ୍ତି। ଏ ନେଇ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛୁ। ଉତ୍ତରଦ୍ବାର ଖୋଲିବା ସହ ଆନନ୍ଦବଜାର ଶୃଙ୍ଖଳା ପାଇଁ କମିଟି ଗଠନ କରବାକୁ ଦାବି କରିଆସୁଛୁ। କିନ୍ତୁ ଏହାକୁ କର୍ଣ୍ଣପାତ କରାଯାଉନି। ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଛି। ଖୁବଶୀଘ୍ର ନିଯୋଗ ଏ ଉପରେ ଶ୍ରୀମନ୍ଦିର ପ୍ରଶାସନକୁ ଭେଟି ଅଭିଯୋଗ ଜଣାଇବ। ଆସନ୍ତା ଛତିଶାନିଯୋଗ ବୈଠକରେ ବି ଏହି ପ୍ରସଙ୍ଗ ଉଠିବ ବୋଲି ଶ୍ରୀ ମହାସୁଆର କହିଛନ୍ତି।