ପୁରୀ: ନବଦିନାତ୍ମକ ଶୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଗତକାଲି ରାତିରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ଼ ଅବସ୍ଥାରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଗତକାଲି ରାତିରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଭକ୍ତଙ୍କ ପାଇଁ ଗତକାଲି ରାତିରେ ପୁରୀ ସହର ଚଳଚଞ୍ଚଳ ଥିଲା। ରାତିରେ ପହୁଡ଼ ପରେ ବି ଭକ୍ତମାନେ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଆଜି ଅପରାହ୍ଣ ପର୍ଯ୍ୟନ୍ତ ବି ଭକ୍ତଙ୍କ ଏହି ଭିଡ଼ ଲାଗିଥିଲା। ଶ୍ରୀଜିଉଙ୍କୁ ଅତି ନିକଟରୁ ଦର୍ଶନ କରିବା ସହ କୃପାଲାଭର ସୌଭାଗ୍ୟ ଅର୍ଜିଥିଲେ ଭକ୍ତ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ରଥ ପାଖକୁ ଯାଇ ଭଲରେ ଦର୍ଶନ କରି ଫେରିଥିଲେ। ଅନ୍ୟପଟେ ଗତକାଲି ରାତିରୁ ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ମଇଲମ ଓ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ମଧ୍ୟାହ୍ନଧୂପ, ସଂଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ଭୋଗ ହୋଇ ରାତି ପ୍ରାୟ ସାଢ଼େ ୩ଟାରେ ପହୁଡ଼ ହୋଇଥିଲା। ପରେ ଆଜି ସକାଳୁ ମଙ୍ଗଳଆଳତି ସହ ବେଶ, ଗୋପାଳବଲ୍ଲଭ, ସର୍ବାଙ୍ଗ, ମଧ୍ୟାହ୍ନଧୂପ, ସଂଧ୍ୟାଧୂପ ଓ ଅନ୍ୟାନ୍ୟ ନୀତି ରଥ ଉପରେ ସଂପନ୍ନ ହୋଇଥିଲା। ରଥ ଉପରେ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ଶୁଖିଲା ଭୋଗ ମହାପ୍ରଭୁଙ୍କ ପାଇଁ ନିଆଯାଇଥିଲା। ଆଜି ପହଣ୍ଡି ବେଳେ ବି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପହଣ୍ଡି ଶେଷ ପରେ ଭକ୍ତଙ୍କ ଭିଡ଼ କମିଥିଲା।
ରଥଯାତ୍ରାରେ ପୂର୍ବତନ ମୁଖ୍ୟ ପ୍ରଶାସକ, ଦେଖିବା ପରେ କାନ୍ଦିଲେ ସେବକ
ପୁରୀ: ଚଳିତବର୍ଷ ରଥଯାତ୍ରାରେ ପୂର୍ବତନ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କୁ ଦେଖିବାକୁ ମିଳିଛି। ଭିଡ଼ ଭିତରେ ଶ୍ରୀ କୁମାର ରଥ ଟାଣିବା ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରଥ ସହ ଚାଲି ଚାଲି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଛନ୍ତି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଟାଣିବା ପରେ ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥ ଟାଣିବାର ସୌଭାଗ୍ୟକୁ ସେ ହାତ ଛଡ଼ା କରି ନଥିଲେ। ଏହି ସମୟରେ ରଥ ନିର୍ମାଣ ସେବକଙ୍କ ସହ ଅନ୍ୟ ସେବକମାନେ ଶ୍ରୀ କୁମାରଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ। ବଡ଼ଠାକୁର ବଳଭଦ୍ରଙ୍କ ରଥର ମୁଖ୍ୟ ବିଶ୍ବକର୍ମା ନରସିଂହ ମହାପାତ୍ର ଶ୍ରୀ କୁମାରଙ୍କୁ ଦେଖି କାନ୍ଦି ପକାଇଥିଲେ। ଅନ୍ୟପଟେ ଶୁଣିବାକୁ ମିଳିଛି କି ଶ୍ରୀ କୁମାର ଏହି ଗସ୍ତ ପୂର୍ବରୁ କାହାରିକୁ କିଛି ଅବଗତ କରିନଥିଲେ। ଦିଲ୍ଲୀରୁ ଆସି ପହଞ୍ଚିବା ପରେ ଗତକାଲି ସେ ରଥ ଟାଣିବାକୁ ଚାଲି ଆସିଥିଲେ। ଭିଡ଼ ଭିତରେ ରଥ ଟାଣିବାର ସୌଭାଗ୍ୟ ଅର୍ଜନ କରିଥିଲେ।
ବିଚାରପତିଙ୍କୁ ଛାଡ଼ିଲେନି
ପୁରୀ: ରଥଯାତ୍ରା ବେଳେ ଆଜି ବିଚାରପତି-ପୁଲିସ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ବଡ଼ଦାଣ୍ଡକୁ ଯିବାକୁ ଚାହୁଁଥିବା ବିଚାରପତିଙ୍କୁ ପୁଲିସ ନ ଛାଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଏହାକୁ ନେଇ ବିଚାରପତି ଓ ଆଇନଜୀବୀଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମିଳିଥିବା ସୂଚନା ମୁତାବକ, ପୁରୀ ଗ୍ରାମ୍ୟ ନ୍ୟାୟାଳୟର ବିଚାରପତି ସନ୍ତୋଷ ବାରିକ ଆଜି ସଂଧ୍ୟାରେ ଝାଡେଶ୍ବରୀ ଛକ ଦେଇ ବଡ଼ଦାଣ୍ଡକୁ ଯିବାକୁ ଚାହୁଁଥିଲେ। ଏହି ସମୟରେ ଝାଡେଶ୍ବରୀ ଛକ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ବରେ ଥିବା ଜଣେ ମହିଳା ଏସ୍ଆଇ ଓ ଅନ୍ୟ ପୁଲିସମାନେ ତାଙ୍କୁ ଛାଡ଼ି ନଥିଲେ। ପିସିଆର୍ ପହଞ୍ଚି ବୁଝାସୁଝା କରିବା ପରେ ପୁଲିସ ବିଚାରପତିଙ୍କୁ ଛାଡ଼ିଥିଲା। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବିଚାରପତି ଶ୍ରୀ ବାରିକ ପହଞ୍ଚିବା ପରେ ବଡ଼ଦାଣ୍ଡକୁ ଯିବାକୁ ଚାହିଥିଲେ। କିନ୍ତୁ ସେତେବେଳେ କାହାରିକୁ ବଡ଼ଦାଣ୍ଡକୁ ନ ଛାଡ଼ିବାକୁ ନିର୍ଦ୍ଦେଶ ଥିଲା। ଏଣୁ ବିଚାରପତିଙ୍କୁ ବଡ଼ଦାଣ୍ଡକୁ ଛଡ଼ାଯାଇନଥିଲା। ବଡ଼ଦାଣ୍ଡକୁ ଛଡ଼ା ନ ଯିବାରୁ ବିଚାରପତି ତାଙ୍କ ଗାଡ଼ିକୁ ସେହିଭଳି ରାସ୍ତା ଉପରେ ରଖିଥିଲେ। ପରେ ପୁଲିସ କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି ଜଣାଇବା ପରେ ପିସିଆର୍ ପହଞ୍ଚିଥିଲା। ପିସିଆର୍ ପହଞ୍ଚିବା ପରେ ବିଚାରପତି ଶ୍ରୀ ବାରିକ ନିଜପରିଚୟ ଦେଇଥିଲେ। ପରେ ତାଙ୍କୁ ଛଡ଼ା ଯାଇଥିଲା ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/fhsf65h465fh456hf.jpg)