ପୁରୀ: ହବିଷ୍ୟାଳି ଶିବିର ପ୍ରସ୍ତୁତ। ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ। ସେବା ଦେବାକୁ ପ୍ରଶାସନଠୁ ନେଇ ସ୍ବେଚ୍ଛାସେବୀମାନେ ବି ପ୍ରସ୍ତୁତ। ଆଉ ଦିନକ ପରେ କାର୍ତ୍ତିକ ବ୍ରତ। ତେଣୁ ଏବେଠୁ ଶ୍ରୀକ୍ଷେତ୍ର ମୁହାଁ ହେଲେଣି ହବିଷ୍ୟାଳି। କିଏ ମଠ ଓ ଧର୍ମଶାଳାରେ ମାସକ ପାଇଁ ବୁକିଂ କରିଛି ତ, ଆଉ କିଏ ସରକାରଙ୍କ ପ୍ରଦତ୍ତ ହବିଷ୍ୟାଳି ଶିବିରରେ ରହିବାକୁ ପଞ୍ଜୀକରଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଛୁଟି ଆସିଛି। ଏଣେ ହବିଷ୍ୟାଳିମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷକରି ଶ୍ରୀକ୍ଷେତ୍ରଠୁ ଅନତି ଦୂରରେ ରହୁଥିବା ହବିଷ୍ୟାଳିମାନେ ଆଜିଠୁ ଆସି ଶିବିରରେ ଡେରା ପକେଇଲେଣି।  

Advertisment

ସରକାରୀ ସ୍ତରରେ ୨୫୦୦ ହବିଷ୍ୟାଳିଙ୍କ ରହଣି ପାଇଁ ନରେନ୍ଦ୍ର କୋଣସ୍ଥିତ ବୃନ୍ଦାବତୀ ନିବାସ, ମୋଚିସାହି କଲ୍ୟାଣ ମଣ୍ଡପ, ବଗଲା ଧର୍ମଶାଳା ଓ ରେଳ ପର୍ଯ୍ୟଟନ କମ୍ପ୍ଲେକ୍ସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାତ୍ର ପୁରୀରେ ୧୦ ହଜାରରୁ ଊର୍ଦ୍ଧ୍ବ ହବିଷ୍ୟାଳି ବ୍ରତ ପାଇଁ ଆସିଥିବାରୁ, ଏଠାରେ ମାସାଧିକ କାଳ ରହଣି କରିବେ। ପୂର୍ବରୁ ବହୁ ମଠ ମାଗଣାରେ ରହିବା ଓ ମହାପ୍ରସାଦର ବ୍ୟବସ୍ଥା କରି ଦେଉଥିଲେ। ଧର୍ମଶାଳାରେ ମଧ୍ୟ ଅତି କମ୍‌ ମୂଲ୍ୟ ଦେଇ ରହିବାର ସୁଯୋଗ ନେଉଥିଲେ ହବିଷ୍ୟାଳି। ଏବେ କିନ୍ତୁ ପରିବର୍ତ୍ତିତ ଓ ମହରଗ ସମୟରେ ରହିବା ପାଇଁ କିଛି ମଠ ଦେୟ ନିର୍ଦ୍ଧାରଣ କରିଛନ୍ତି। ହବିଷ୍ୟାଳିମାନଙ୍କ କହିବା କଥା ହେଲା, ସେମାନେ ଗୋଟିଏ ବର୍ଷ ପୂର୍ବରୁ ମଠରେ ବୁକିଂ କରିବାକୁ ପଡ଼େ। ନଚେତ ମଠ କିମ୍ବା ଧର୍ମଶାଳାରେ ରହିବା ଅସମ୍ଭବ। 

ଏଇ କିଛି ବର୍ଷ ମଧ୍ୟରେ ହବିଷ୍ୟାଳିଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି। ପୂର୍ବରୁ କେବଳ ପୁରୀରେ ସମ୍ପର୍କୀୟ ଥିବା ବ୍ୟକ୍ତିବିଶେଷ ଆସି ନିଜ ସମ୍ପର୍କୀୟ କିମ୍ବା ପଣ୍ଡାମାନଙ୍କ ଘରେ ରହି ହବିଷ ବ୍ରତ କରୁଥିଲେ। ମାତ୍ର ଧୀରେଧୀରେ ମହାପ୍ରଭୁଙ୍କ ଡୋରି ଅନେକଙ୍କୁ ଶ୍ରୀକ୍ଷେତ୍ର ମୁହାଁ କରାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ହବିଷ୍ୟାଳି ଶିବିର କରାଯାଉଛି। ମାତ୍ର ଏହା ଯଥେଷ୍ଟ ନୁହେଁ। ତେଣୁ ମଠ ମନ୍ଦିରର ସାହାରା ନେଇ ହବିଷ୍ୟାଳିମାନଙ୍କୁ ମାସେ ପର୍ଯ୍ୟନ୍ତ ରହିବାକୁ ପଡ଼ୁଛି। ଏଣେ ହବିଷ୍ୟାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନରେନ୍ଦ୍ର, ଶ୍ବେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଆଦି ତୀର୍ଥ ପୁଷ୍କରିଣୀରେ ବ୍ୟାରିକେଡିଂ ସହ ଜାଲି ଦିଆଯାଇଛି। ଶିଉଳି ସଫା କରାଯାଇଛି। ହବିଷ୍ୟାଳିମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବାଲୁକା ପୂଜା କରିବାର ବିଧି ରହିଥିବାରୁ ପୁଷ୍କରିଣୀରେ ସୁରକ୍ଷିତ ସ୍ନାନକୁ ଗୁରୁତ୍ବ ଦିଆଯାଇଛି। ଏଥିସହ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ସେଡ୍‌କୁ ସଂପ୍ରସାରଣ କରାଯାଇ ନୂଆ ସେଡ୍‌ ନିର୍ମିତ ହେଉଛି। ହବିଷ୍ୟାଳିଙ୍କ ସେବା କରିବା ପାଇଁ ମହିଳା ସହାୟିକାମାନେ ଆସି ବୃନ୍ଦାବତୀ ନିବାସରେ ପହଞ୍ଚି ନିଜ କାର୍ଯ୍ୟଧାରା ବାବଦରେ ଅବଗତ ହୋଇଛନ୍ତି। ମୋଚିସାହି କଲ୍ୟାଣ ମଣ୍ଡପରେ ରହିବାକୁ ବ୍ରହ୍ମପୁରରୁ ଆସିଥିବା ହବିଷ୍ୟାଳି ଝୁନୁ ପରିଡ଼ା କହିଛନ୍ତି, ମୁଁ ଦୁଇ ବର୍ଷ ହେଲା ଆସୁଛି। ଦୂର ବାଟ ହୋଇଥିବାରୁ ୧୫ଜଣ ଗୋଟିଏ ଦିନ ପୂର୍ବରୁ ଆସି ପୁରୀରେ ପହଞ୍ଚିଛନ୍ତି। ପୂର୍ବରୁ ବୃନ୍ଦାବତୀ ନିବାସରେ ରହୁଥିଲେ ହେଁ ଏଥର ତାଙ୍କୁ ଏହି କଲ୍ୟାଣ ମଣ୍ଡପରେ ରହିବାକୁ ସୁଯୋଗ ମିଳିଛି ବୋଲି କହିଛନ୍ତି।