ଚଢ଼େଇଧରା: ଦୁଇ ଟ୍ରକ୍ ଚାଳକଙ୍କୁ ଦୁର୍ବ୍ୟବହାର କରି ହଟହଟା ହେଲେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଧର୍ମଶାଳା ତହସିଲଦାର, ଚଢ଼େଇଧରା ଫାଣ୍ଡି ନିକଟରେ ଥିବା ପାହାଡ଼ ପାଖରେ କଳାପଥର ବୋଝେଇ ଦୁଇଟି ଟ୍ରକକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ। ଜାଲ କାଗଜପତ୍ର ଦେଖାଉଥିବା କହି ତହସିଲଦାର, ଦୁଇ ଡ୍ରାଇଭରଙ୍କୁ ଧମକଚମକ ଦେବା ସହ ଧକ୍କା ଦେଇଥିବା କୁହାଯାଉଛି।

Advertisment

ଏନେଇ ଗାଡ଼ି ଚାଳକ ସଂଘକୁ ଦୁଇ ଡ୍ରାଇଭର ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଶତାଧିକ ଗାଡ଼ି ଚାଳକ । ବିନା କାରଣରେ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିଥିବା ତହସିଲଦାର କ୍ଷମା ମାଗିବାକୁ ଦାବି କରିଥିଲା ସଂଘ । ସ୍ଥିତି ବିଗୁଡୁଥିବା ଦେଖି ଚଢେଇଧରା ଫାଣ୍ଡି ଭିତରେ ପଶିଯାଇଥିଲେ ରାସ୍ତାରେ ଯାଞ୍ଚ କରୁଥିବା ତହସିଲଦାର, ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ଏବଂ ଆରଆଇ । ଏହାପରେ ଗାଡ଼ି ଚାଳକ ସଂଘର ସଦସ୍ୟ, ଚଢେଇଧରା ଫାଣ୍ଡିକୁ ଦୀର୍ଘ ସମୟ ଧରି ଘେରାଉ କରିବାରୁ, ରାଜସ୍ୱ ଅଧିକାରୀ ଦୀର୍ଘ ସମୟ ଧରି ଫାଣ୍ଡି ଭିତରେ ଫସି ରହିଥିଲେ।

ତହସିଲଦାର ଦୁଇ ଟ୍ରକ ଡ୍ରାଇଭରକୁ କ୍ଷମା ମାଗିବା ଦାବିରେ ଚଢ଼େଇଧରା ଫାଣ୍ଡି ନିକଟ ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ସମୟରେ ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ରାସ୍ତାରୋକ ହଟିଥିଲା ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।