ଡାଇଗ୍ନୋଷ୍ଟିକ ସେଣ୍ଟର ଜାନୁଆରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବ:ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ାରେ ବେଦାନ୍ତ ଡାଇଗ୍ନୋଷ୍ଟିକ ସେଣ୍ଟର ଅଗ୍ରଗତି ନେଇ ସମୀକ୍ଷା

ଝାରସୁଗୁଡ଼ା: ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ସହ ବହୁବିଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ଉପଲବ୍ଧ କରାଯିବା ଲକ୍ଷ୍ୟ ନେଇ ଝାରସୁଗୁଡ଼ା ଏବଂ ଲଇକେରା ଠାରେ ବେଦାନ୍ତ ପକ୍ଷରୁ ଅତ୍ୟାଧୁନିକ ଡାଇଗୋଷ୍ଟିକ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି । ଏହି ପ୍ରକଳ୍ପ ଆସନ୍ତା ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାକୁଥିବା ବେଳେ ଆଜି ଏହି ପ୍ରକଳ୍ପର ଅଗ୍ରଗତି ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସମୀକ୍ଷା କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଯୋଗଦେଇ ନିର୍ମାଣାଧିନ ଡାଇଗୋଷ୍ଟିକ ସେଣ୍ଟର ଦ୍ବୟର ଉପକରଣ ଓ ଯନ୍ତ୍ରପାତି, ପରିଚାଳନା, ରୋଗୀଙ୍କ ରକ୍ତ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ କିଭଳି ସୁଲଭ ମୂଲ୍ୟରେ ବ୍ୟବସ୍ଥା ହୋଇ ପାରିବ ଏ ସମସ୍ତ ଦିଗକୁ ନେଇ ଆଲୋଚନା କରିଥିଲେ। ଉଭୟ ଡାଇଗୋଷ୍ଟିକ ସେଣ୍ଟରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଯନ୍ତ୍ରପାତି କ୍ରୟ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି।

ପିପିପି ମୋଡ଼ରେ ହେବାକୁ ଥିବା ଏହି ପ୍ରକଳ୍ପ ପରିଚାଳନା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଜଣାଇଛନ୍ତି । ପାଥୋଲାବ ଗୁଡ଼ିକରେ ବିଭିନ୍ନ ପରୀକ୍ଷା ପାଇଁ ଯେତିକି ବ୍ୟୟ କରିବାକୁ ପଡୁଛି ତାଠାରୁ କମ ମୂଲ୍ୟରେ ଏବଂ ଉନ୍ନତ ମାନର ଅତ୍ୟାଧୁନିକ ବ୍ୟବସ୍ଥା ସଂପନ୍ନ ଡାଇଗ୍ନୋସିସ ସୁବିଧା ଲୋକଙ୍କୁ ଯୋଗଇବାର ଲକ୍ଷ୍ୟ କିଭଳି ପୂରଣ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ସ୍ଵାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସିଡିଏମ୍ଓ ଡ. ଡୋଳାମଣି ପଟେଲଙ୍କ ଠାରୁ ପ୍ରକାଶ ଯେ,  ଜିଲ୍ଲା ସଦର ଡାକ୍ତରଖାନାରେ ଦୈନିକ ପ୍ରାୟ ଚାରି ଶହ ରୋଗୀ ଚିକିତ୍ସା ଲାଗି ଆସୁଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାରେ ପ୍ରତ୍ୟହ ରୋଗୀ ସଂଖ୍ୟା ହାରାହାରୀ ଦୁଇ ହଜାର ରହିଛି । ସେ ଦୃଷ୍ଟିରୁ ଦୈନିକ ପ୍ରାୟ ହାରାହାରୀ ଶହେ ଜଣ ରୋଗୀ ପରୀକ୍ଷା ପାଇଁ ଡାଇଗ୍ନୋଷ୍ଟିକ  ସେଣ୍ଟରକୁ ଆସିବେ । ଏଥିସହ ବେଦାନ୍ତ, ଜେଏସ୍‌ଡବ୍ଲ୍ୟୁ, ଏମସିଏଲ, ଟିଆର୍‌ଏଲ୍‌ କ୍ରୋସାକି, ଓପିଜିସି , ଏସ୍‌ଏମ୍‌ସି ଭଳି ବିଭିନ୍ନ ଶିଳ୍ପ ଓ ଖଣି ସଂସ୍ଥାକୁ ଏହି ଡାଇଗୋଷ୍ଟିକ ସେଣ୍ଟର ସହ ସଂପୃକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଭିତ୍ତିଭୂମି ଏବଂ ଯନ୍ତ୍ରପାତି ବେଦାନ୍ତ ଯୋଗାଇବା ସହ ପାଞ୍ଚ ବର୍ଷ ଲାଗି ଏହାର ପରିଚାଳନାଭାର ଏବଂ ପ୍ରାରମ୍ଭିକ ତିନି ମାସର ବ୍ୟୟ ଭାର ତୁଳାଇବା ଲାଗି କର୍ପସ ଫଣ୍ଡ ବ୍ୟବସ୍ଥା କରିବାକୁ ବେଦନ୍ତକୁ ପ୍ରସ୍ତାବ ଦିଆଯାଇଥିଲା। ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ଏଥିରେ ସମ୍ମତି ପ୍ରକାଶ କରିଥିଲେ।  ଏହି ଡାଇ‌ଗ୍ନୋଷ୍ଟିକ ସେଣ୍ଟରରେ ୧୮୪ ପ୍ରକାରର ପରୀକ୍ଷା କରାଯିବା ଲାଗି ବ୍ୟବସ୍ଥା ରହିବ । ଅନ୍ୟୁନ ୪୦ ଜଣ ବୈଷୟିକ ଜ୍ଞାନ ସଂପନ୍ନ କର୍ମଚାରୀଙ୍କ ଦ୍ବାରା ଏହାର ପରିଚାଳନା କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଝାରସୁଗୁଡ଼ା ଠାରେ ହାର୍ଟ କେୟାର ସେଣ୍ଟରକୁ ଦୃଷ୍ଟିରେ ରଖି ଏହି ଡାଇଗୋଷ୍ଟିକ ସେଣ୍ଟର ପ୍ରତିଷ୍ଠା ସହ ଝାରସୁଗୁଡ଼ା ଜିଲ୍ଲା ସମେତ ବାହାର ଜିଲ୍ଲାର ଲୋକେ ଯେଭଳି ସୁବିଧାରେ ଅତ୍ୟାଧୁନିକ ପରୀକ୍ଷା ଏବଂ ଚିକିତ୍ସା ସେବା ପାଇ ପାରିବେ ତାହା ଲକ୍ଷ୍ୟ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ପିଡି ( ଆର୍ ଆଣ୍ଡ ଆର୍) ଆଲୋମଣି ସେଠୀ, ବେଦାନ୍ତ ସିଇଓ ଶ୍ରୀ ଗୁପ୍ତା, ସିଡିଏମ୍‌ଓ ଡା. ପଟେଲ, ଡିପିଏମ୍ ବୁଲୁନାଥ ସାହୁ, ଡାକ୍ତାଖାନା ମ୍ୟାନେଜର କୁମାର ଅଭିଷେକ, ଜିଲ୍ଲା ସ୍ତରୀୟ ଅଧିକାରୀ , ବେଦାନ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର