ଡାଏରି ଖୋଲିବ ଏସିଏଫ୍‌ଙ୍କ ମୃତ୍ୟୁ ରହସ୍ୟ

ଅଟକିଛି ଡିଏଫ୍ଓଙ୍କୁ ଜେରା, ଆସିଲେ ନାହିଁ ସୌମ୍ୟଙ୍କ ପତ୍ନୀ
ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ ତଦାରଖ କରିବେ ଏସ୍‌ପି
ବାଲେଶ୍ବର ଫେରିଲେ ପରିବାର ସଦସ୍ୟ

ପାରଳାଖେମୁଣ୍ତି : ପାରଳାଖେମୁଣ୍ଡି ଯୁବ ଓଏଫ୍‌ଏସ୍‌ ଅଫିସର ତଥା ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ଜଳିଯାଇ ପ୍ରାଣ ହରାଇବା ଘଟଣାର ବଡ଼ ରହସ୍ୟ ଉନ୍ମୋଚନ ହେବା ସମ୍ଭାବନା ଦେଖାଦେଇଛି। ଏହି ମାମଲା ଧୀରେ ଧୀରେ ଜଟିଳ ସ୍ଥିତିରେ ପହଞ୍ଚି ଥିବା ବେଳେ ପୁଲିସ ହାତରେ କିଛି ଠୋସ୍‌ ପ୍ରମାଣ ଲାଗିନାହିଁ। ତେବେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ କ୍ବାର୍ଟର୍ସରୁ ପୁଲିସ ଏକ ଡ‌ାଏରି ଜବତ କରିଛି। ଏହି ଡାଏରିରେ ଅନେକ ଗୁରୁତ୍ବପୂର୍ଣ ତଥ୍ୟ ଥିବା ଜଣାପଡ଼ିଛି।

ତେବେ ପୁଲିସ ତଦନ୍ତରେ ସ୍ବଚ୍ଛତା ଦୃ‌ଷ୍ଟିରୁ ଏ ସମ୍ପର୍କରେ କିଛି ସୂଚନା ଦେଇନାହିଁ। ଡାଏରି ଯାଞ୍ଚ ପରେ ପୁଲିସକୁ ଗୁରୁତ୍ବପୂର୍ଣ ସୁରାକ୍‌ ମିଳିବ ବୋଲି ଅନୁମାନ କରାଯାଇଛି। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ ତଦାରଖ କରିବେ ବୋଲି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ସୌମ୍ୟଙ୍କ ପରିବାର ଲୋକ ଏହାକୁ ହତ୍ୟା ଘଟଣା ବୋଲି ଦାବି କରୁଥିବା ‌ବେଳେ ପୁଲିସର ତଦନ୍ତ ପ୍ରକ୍ରିୟାରେ ବିଶ୍ବାସ ରଖିଥିବା ସେମାନେ କହିଛନ୍ତି। ସୌମ୍ୟଙ୍କ ପରିବାର ସହ ଆସିଥିବା ଆଇନଜୀବୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଡାଏରିରୁ ପତି-ପତ୍ନୀଙ୍କ ମଧ୍ୟରେ ପାରିବାରିକ ଶାନ୍ତି ବିଗିଡ଼ି ଯାଇଥିବା ସୂଚନା ମିଳୁଛି। ଏହାର ସବିଶେଷ ବିବରଣୀ ଅଧିକ ତଦନ୍ତ ପରେ ପୁଲିସ ସ୍ପଷ୍ଟ କରିବ। ପୂର୍ବରୁ ପୁଲିସ ଏହାକୁ ଦୁର୍ଘଟଣା ବୋଲି କହୁଥିବା ବେଳେ କ୍ବାର୍ଟର୍ସରୁ ପୋଡ଼ି ହୋଇ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ କୌଣସି ସୁରାକ୍‌ ମିଳି ନାହିଁ। କ୍ବାର୍ଟର୍ସରେ ନୁହେଁ, ବାହାରେ କେଉଁଠି ଘଟଣା ଘଟିଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ଆଇନଜୀବୀ ସୂଚନା ଦେଇଛନ୍ତି। ଏଣେ ସୌମ୍ୟଙ୍କ ପରିବାର ସଦସ୍ୟ ଆଜି ସନ୍ଧ୍ୟାରେ ବାଲେଶ୍ଵର ଫେରି ଯାଇଛନ୍ତି।

ଗତକାଲି ପୁଲିସ ପରିବାର ସଦସ୍ୟଙ୍କ ଅଭିଯୋଗ ପ୍ରକାରେ ଗଜପତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦିନେ ଦୁଇଦିନ ମଧ୍ୟରେ ଜେରା କରାଯିବ ବୋଲି ସୂଚନା ଦେଇଥିଲା। କିନ୍ତୁ ଆଜି ଡିଏଫ୍‌ଓଙ୍କ ଜେରା ହୋଇପାରିନି। ସେପଟେ ‌ସୌମ୍ୟଙ୍କ ପତ୍ନୀଙ୍କୁ ମଧ୍ୟ ପାରଳାଖେମୁଣ୍ଡି ଆଣି ପଚରାଉଚରା କରାଯିବ ବୋଲି ପୁଲିସ ସ୍ପଷ୍ଟ କରିଥିଲା। ହେଲେ ସେ ମଧ୍ୟ ଆସିନାହାନ୍ତି। ବୋଧେ ପୁଲିସ ଉଭୟ ଡିଏଫ୍‌ଓ ଓ ସୌମ୍ୟଙ୍କ ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା ପ୍ରସ୍ତୁତ କରି ଥାଇପାରେ ବୋଲି ଆଇନ ବିଶାରଦ ଅନୁମାନ କରୁଛନ୍ତି। ଅନ୍ୟପଟେ ସୌମ୍ୟଙ୍କ ମୋବାଇଲ୍‌ କଲ୍‌ ଡିଟେଲ୍‌ ଓ ଅନ୍ୟ ତଥ୍ୟ ଆଧାରରେ ପୁଲିସ ତଦନ୍ତ ଆଗକୁ ନେବା ପାଇଁ ପ୍ରୟାସ କରୁଥିବା ବେଳେ ସୌମ୍ୟଙ୍କ ପତ୍ନୀ ଏହାକୁ ନେଇ ଯାଇଥିବାରୁ ପୁଲିସକୁ ଏ ଦିଗରେ କିଛି ସୁରାକ୍‌ ମିଳିପାରି ନାହିଁ।

ସୌମ୍ୟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରା ଅନେକ ଦିନ ହେଲା ଅଚଳ ହୋଇ ପଡ଼ିଛି। କ୍ବାର୍ଟର୍ସ ବାହାରେ ଥିବା ଖୁଣ୍ଟରେ ବିଜୁଳିବତୀ ମଧ୍ୟ ଅନେକ ଦିନ ହେଲା ଜଳୁନାହିଁ। ‌ତେଣୁ ସୌମ୍ୟଙ୍କ ମୃତ୍ୟୁ ପୂର୍ବର ଘଟଣାବଳୀ ଓ ପୁଲିସ ସ୍କାନର୍‌ରେ ଥିବା ଚରିତ୍ରଙ୍କ ଗତିବିଧି ବିଷୟରେ ତଥ୍ୟ ସଂଗ୍ରହ ମୁସ୍କିଲ୍‌ ହୋଇଛି। ତଦନ୍ତରୁ ସେମିତି କିଛି ଠୋସ୍‌ ପ୍ରମାଣ ମିଳି ପାରୁନାହିଁ। ଅନ୍ୟ ପକ୍ଷରେ ଏସିଏଫ୍‌ ସୌମ୍ୟରଞ୍ଜନ ବାହାଘର ପରଠାରୁ ଅଧିକାଂଶ ସମୟ ମାନସିକ ଚାପରେ ରହୁଥିଲେ, ଏ କଥା ତ‌ାଙ୍କ ସହ କାମ କରିଥିବା ବନ ବିଭାଗର ତଳିଆ କର୍ମଚାରୀ ପ୍ରକାଶ କରିଛନ୍ତି। କ୍ଷେତ୍ର ପରିଦର୍ଶନରେ ଏସିଏଫ୍ ଆସିଲେ ପାରଳାଖେମୁଣ୍ତି ଫେରିବାକୁ ଚାହୁଁ ନଥିଲେ ବୋଲି ଅନେକ ତଳିଆ କ୍ଷେତ୍ର କର୍ମଚାରୀ ପ୍ରକାଶ କରିଛନ୍ତି।

ପାରିବାରିକ ଅଶାନ୍ତି ଯୋଗୁଁ ସେ ଅଧିକ ସମୟ କାର୍ଯ୍ୟାଳୟରେ ବିତାଉଥିଲେ। ସେ ବହୁ ସମୟରେ ଫୋନ୍‌ରେ କଥା ହେବା ସହ ଅନ୍ୟମନସ୍କ ରହୁଥିଲେ। ପାରିବାରିକ କଳହ କିମ୍ବା ଉଚ୍ଚ ପଦାଧିକାରୀଙ୍କ ଚାପ ଯୋଗୁଁ ସେ ମାନସିକ ଚାପରେ ରହୁଥିଲେ ବୋଲି କୁହାଯାଉଥିବା ବେଳେ ଏବେ ସୌମ୍ୟଙ୍କ ବାପା ଦେଇଥିବା ଏତଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ଓ ରୋଷେୟାଙ୍କ ନାମ ଦର୍ଶାଯାଇଥିବାରୁ ସେମାନଙ୍କୁ ଜେରା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର