ଅସ୍ତରଙ୍ଗ, (ବିପିନ ଦାସ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ପ୍ରାକୃତିକ ବିପର୍ଯ୍ୟୟର ଚିରସହଚର। କେବେ ବନ୍ୟାର ବିଭୀଷିକା ତ ଆଉ କେବେ ଅଶାନ୍ତ ସମୁଦ୍ରର ଜୁଆର ଭୟ ରହୁଛି। ବନ୍ୟା, ଲଗାଣ ବର୍ଷା, ସାମୁଦ୍ରିକ ଜୁଆରର ବିଭୀଷିକା ଜାରି ରହି ଉପକୂଳବାସୀଙ୍କ ଆଖିରୁ ନିଦ ହଜାଇବା ବେଳେ ଟିକିଏ ଅଣ୍ଟା ସଳଖିବା ବେଳକୁ ପ୍ରତିବର୍ଷ ବାତ୍ୟାର ଭୟ ଆହୁରି ଚିନ୍ତା ବଢ଼ାଉଛି। ବହୁ ସ୍ଥାନରେ ସମୁଦ୍ର କୂଳ ଲଂଘୁଥିବା ଦେଖିବାକୁ ମିଳୁଛି। ତ୍ରିକୋଣ ଭୂମିରୁ ଦେବୀନଦୀ ବାହାରି ପୂର୍ବ ଭାଗ ବଙ୍ଗୋପସାଗରରେ ମିଶିଥିବା ଏହି ନଦୀର ଗତିପଥ ବଦଳି ଦୁଇକୂଳ ଖାଇବାରେ ୨ ଦଶନ୍ଧି ମଧ୍ୟରେ ଏହାର ବିସ୍ତୀର୍ଣ୍ଣତା ବଢ଼ିଛି। ବନ୍ୟା, ପ୍ରତିଦିନ ଜୁଆରଭଟ୍ଟା ଯୋଗୁ ନଦୀକୂଳ ଖାଇ ହଜାର ହଜାର ଚାଷ ଜମି ନଦୀ ଗର୍ଭରେ ନିଶ୍ଚିହ୍ନ ହୋଇଗଲାଣି।

Advertisment

publive-image Bhubaneswar Buzz

ସୂଚନାଯୋଗ୍ୟ, ଦେବୀ ଓ କେଳୁଣୀ ମୁହାଣ ସଂଲଗ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ସମୟରେ ସାମୁଦ୍ରିକ ଜୁଆର ଉଗ୍ରରୂପ ଧାରଣ କରୁଛି। କେଳୁଣୀ ମୁହାଣ ନିକଟ ଶିଶୁଅ ପଞ୍ଚାୟତର କେଉଟଜଙ୍ଗା, ବେଳଙ୍ଗ, ମିରାଡ଼ି, ସାନ ଓ ବଡ଼ ସିରେଇ, ଛେନୁଅ, ତଣ୍ଡାହର, ଉଦୟକଣି ପ୍ରମୁଖ ଅଞ୍ଚଳ ସାମୁଦ୍ରିକ ଜୁଆର ଦ୍ୱାରା ପ୍ରଭାବିତ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ହୋଇପାରୁନି। ବିଭିନ୍ନ ସମୟରେ ବିଶେଷଜ୍ଞ ଟିମ୍ ଆସି ସ୍ଥିତି ପରିଖିଛନ୍ତି। କିନ୍ତୁ ବିକଳ୍ପ ବ୍ୟବସ୍ଥା ହୋଇପାରିନାହିଁ। ଅନ୍ୟ ପକ୍ଷରେ ନିକଟରେ ଥିବା କାଦୁଆ ନଦୀ ଓ ଲୁଣା ଘେରିବନ୍ଧ କେଉଟଜଙ୍ଗା ଓ ବେଳଙ୍ଗ ପ୍ରମୁଖ ଅଞ୍ଚଳ ପାଇଁ ଦୁଃଖ ପାଲଟିଛି। ମୁହାଣ ଜାକିଲେ କାଦୁଆ ନଦୀ ଫୁଲିଉଠି ସ୍ଥାନୀୟ ଜନବସତିରେ ଲୁଣାପାଣି ପଶୁଛି। ସ୍ଥାୟୀ ବନ୍ଧ ଓ ଆନିକଟ ନିର୍ମାଣ ନହେବାରୁ ପ୍ରତିବର୍ଷ ଚାଷଜମି ଲୁଣାପାଣି ମାଡ଼ି ଦାଉସାଧୁଛି। ୧୯୯୯ ମହାବାତ୍ୟା ଉପକୂଳରେ ତାଣ୍ଡବ ରଚିଥିଲା ବେଳେ ସମୁଦ୍ରର ଅତି ନିକଟରେ ଥିବା ଉଦୟକଣି ଓ ତଣ୍ଡାହର ବହୁ ଜନବସତି ସମୁଦ୍ରରେ ଲୀନ ହୋଇଯାଇଥିଲା। ଏବେ ସମୁଦ୍ର ଅଶାନ୍ତ ସମୟରେ ଲୁଣିପାଣି ମାଡ଼ିଆସି ସ୍ଥାନୀୟ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଲୋକେ ଚାଷବାସ ଛାଡ଼ି ବାହାରକୁ ଦାଦନ ଖଟି ଯାଉଛନ୍ତି। ପ୍ରଶାସନ ନିକଟରେ ଅଭିଯୋଗ କରି ସ୍ଥାୟୀ ପ୍ରତିକାର ପାଇଁ ଦାବି ସତ୍ତ୍ବେ ତାହା ସ୍ବପ୍ନରେ ରହିଯାଉଛି।

publive-image

ଅନ୍ୟପକ୍ଷରେ ଦେବୀନଦୀ ପୂର୍ବ ଓ ଦକ୍ଷିଣରେ ମୁହାଣରେ ମିଶିଛି। କେତେକ ସ୍ଥାନରେ ନଦୀର ଗତିପଥ ବଦଳିବାରୁ ନଦୀ ପାଣି ନଦୀବନ୍ଧ ନିକଟକୁ ଛୁଇଁଲାଣି। ନଦୀର ଦକ୍ଷିଣ ପାର୍ଶ୍ୱରେ ବିଶେଷ ପ୍ରଭାବ ପଡ଼ି ଓସ୍ତପୁର, ଖଣ୍ଡାସାହି, ତାଳଦା, ଓସିଆଁ ମୌଜାର ବହୁ ଜମିବାଡ଼ି ଦେବୀ ନଦୀ ଗର୍ଭକୁ ଚାଲିଗଳାଣି। ଫଳରେ କେଉଁଠି ନଦୀର ଅଥଳ ଜଳରାଶି ତ ଅନ୍ୟ କେଉଁଠି ବାଲିଚର ସୃଷ୍ଟି ହୋଇଛି। ନଦୀବନ୍ଧ ସୁରକ୍ଷା ନିମନ୍ତେ ପ୍ରତିବର୍ଷ ମରାମତି ନାଁରେ ପଥର ପ୍ୟାକିଂ, ସ୍ପର୍ ବା ଗୁରୁଜ, ରିଂରୋଡ୍ ବା ସୁନାମୀ ବନ୍ଧ ନିର୍ମାଣରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ତେବେ କାଳକ୍ରମେ ଜଳବାୟୁର ବ୍ୟାପକ ପରିବର୍ତ୍ତନ ଯୋଗୁ ବିକଳ୍ପ ବ୍ୟବସ୍ଥା ନଥିବାରୁ ସଙ୍କଟ ଦୂର ହେଉନି। ଉଦୟକଣିଠାରେ ସମୁଦ୍ର କୂଳ ଲଂଘୁଥିବା ବେଳେ ସେଠାରେ ବାଲିବନ୍ତ ସୃଷ୍ଟି କରିବାକୁ କିଛି ବର୍ଷ ପୂର୍ବେ ୪୦ ଲକ୍ଷ ଟଙ୍କା ବ୍ୟୟରେ କିଆବଣ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଥିଲା। ବନ୍ଧ ଉଚ୍ଚତା ପାଇଁ ରାସ୍ତା ଉପରେ ମାଟି ପକାଇ ନାଲି ମୋରମ ଛିଞ୍ଚିବା ଓ ପଥର ପ୍ୟାକିଂରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ପାଞ୍ଚବର୍ଷ ନପୂରୁଣୁ ପୁନଃ ଟେଣ୍ଡର ପ୍ରକିୟା ପାଇଁ ମସୁଧା ହୋଇଛି। ଜଳବାୟୁ ପରିବର୍ତ୍ତନ ଜାରି ରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ ଉପକୂଳ ପାଇଁ ସଙ୍କଟ ମାଡ଼ିଆସିବା ଆଶଙ୍କା ଦେଖାଦେଇଛି। ତେବେ ନଦୀବନ୍ଧର ଉଚ୍ଚତା ବୃଦ୍ଧି, ଦେବୀ ନଦୀ ମଧ୍ୟ ଭାଗ ଖନନ ଓ ଜୁଆର ପ୍ରଭାବିତ ସ୍ଥାନରେ ଉଚ୍ଚ ପାଚେରି ସୃଷ୍ଟି କରିବାକୁ ସାଧାରଣରେ ଦାବିହୋଇଛି।