ଚେତାବନୀ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ: ସଂକ୍ରମଣ ଯାଇନି, ସତର୍କ ରୁହ

ଟିକାକରଣକୁ ନେଇ ଚିନ୍ତା ପ୍ରକଟ କଲା କେନ୍ଦ୍ର, ୬୦ବର୍ଷରୁ ଅଧିକ ଲୋକଙ୍କ ଦ୍ବିତୀୟ ଡୋଜ୍, ପ୍ରିକସନ୍ ଡୋଜ୍ ଉତ୍ସାହଜନକ ନୁହେଁ

ଭୁବନେଶ୍ବର: କରୋନାର ଚତୁର୍ଥ ଲହରକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ରାଜ୍ୟରେ ପ୍ରିକସନ୍ ଡୋଜ୍ ଟିକାକରଣ ଧିମେଇଯିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଓଡ଼ିଶାରେ ୬୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଦ୍ବିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ଟିକାକରଣ ଉତ୍ସାହଜନକ ନ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ମନ୍ତ୍ରଣାଳୟ ପକ୍ଷରୁ ଜାରି ଚିଠିରେ କୁହାଯାଇଛି। ମନ୍ତ୍ରଣାଳୟରୁ ଏହି ଚିଠି ପାଇବା ପରେ ରାଜ୍ୟରେ ପ୍ରିକସନ୍ ଡୋଜ୍ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର, ସିଡିଏମ୍‌ଓମାନ ଓ ଟିକାକରଣ ନୋଡାଲ ଅଧିକାରୀଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ଜାନୁଆରି ୧୦ତାରିଖରୁ ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। କୋଭିଡ ପାଇଁ ସମ୍ବେଦନଶୀଳ ଥିବା ବ୍ୟକ୍ତିମାନଙ୍କୁ ପ୍ରିକସନ୍ ଡୋଜ୍ ଟିକା ଦିଆଯାଉଛି। ମାତ୍ର ଓଡ଼ିଶାରେ ଏହି ଟିକାକରଣରେ ବିଶେଷ ଅଗ୍ରଗତି ହୋଇନାହିଁ। କୋ-ୱିନ୍ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୬୦ବର୍ଷରୁ ଅଧିକ ୬,୪୩,୪୫୦ଜଣ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ସେହିପରି ୬,୪୭,୦୫୧ଜଣ ନିଜର ପ୍ରିକସନ୍ ଡୋଜ୍ ଅପେକ୍ଷାରେ ରହିଛନ୍ତି। ଦ୍ବିତୀୟ ଡୋଜ୍ ଟିକାକରଣ ହାରକୁ ବଢ଼ାଇବା ଲାଗି ଜିଲ୍ଲାସ୍ତରରେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଜରୁରୀ। ‘ହର ଘର ଦସ୍ତକ୍’ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସହାୟକ ହୋଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ପ୍ରିକସନ୍ ଡୋଜ୍‌କୁ ନେଇ ଲୋକଙ୍କ ଭିତରେ ସେତେଟା ଉତ୍ସାହ ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି। ଯେହେତୁ କରୋନା ସଂକ୍ରମଣ କମି ଆସିଛି, ସେଥିପାଇଁ ଲୋକମାନେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଥିଲେ। ରାଜ୍ୟରେ ମୋଟ ୫୯ଲକ୍ଷ ୪୨ହଜାର ୭୯୬ଜଣଙ୍କୁ ପ୍ରିକସନ୍ ଡୋଜ୍ ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଗତକାଲି ସୁଦ୍ଧା ୧୦ଲକ୍ଷରୁ ଅଧିକ ପ୍ରିକସନ୍ ଡୋଜ୍ ନେଇସାରିଲେଣି। ଯାହାକି ମୋଟ ଧାର୍ଯ୍ୟ ଜନସଂଖ୍ୟାର ୧୭ ପ୍ରତିଶତରୁ ଅଧିକ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଘରୋଇ ହସ୍ପିଟାଲରେ ୧୮ବର୍ଷରୁ ଅଧିକ ୭୯୧୦ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି।

ଅପରପକ୍ଷରେ କରୋନା ମହାମାରୀ ଯାଇ ନ ଥିବା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର। ଡା.ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଦେଶର ୪/୫ଟି ରାଜ୍ୟରେ ସଂକ୍ରମଣ ବଢ଼ୁଛି। ତେବେ ଓଡ଼ିଶାରେ ସ୍ଥିତି ବର୍ତମାନ ଠିକ୍ ରହିଛି। ମାତ୍ର ସଂକ୍ରମଣ କେବେ ବି ବଢ଼ିପାରେ। ଏହାକୁ ନଜରରେ ରଖି ସତର୍କ ରହିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ସିଡିଏମ୍‌ଓମାନଙ୍କୁ କୁହାଯାଇଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଯଦି କରୋନା ସଂକ୍ରମଣ ବଢ଼େ, ତା’ ପୂର୍ବରୁ ଜିଲ୍ଲାସ୍ତରରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ରଖିବାକୁ ଜନସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଡା.ମିଶ୍ର କହିଛନ୍ତି। ରାଜ୍ୟରେ ଗତ ୨୪ଘଣ୍ଟାରେ ମାତ୍ର ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ଘୋଷଣା କରାଯାଇଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୧୨୪କୁ ବୃଦ୍ଧି ପାଇଛି। କିନ୍ତୁ ୧୫ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୫କୁ ଖସି ଆସିଛି। ରାଜ୍ୟର ୧୪ଟି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବେ ଶୂନ ରହିଛି।

ସମ୍ବନ୍ଧିତ ଖବର