କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ନୋଡାଲ ଅଫିସର ତଥା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଗୁରୁବାର ଘସିପୁରା ବ୍ଲକ୍ ଅଳିତ ପଞ୍ଚାୟତ ପଦନପୁର ଗାଁରେ ପୁଷ୍ପଲତା ନାୟକଙ୍କ ୫୦୦ରୁ ୭୦୦ ଶଯ୍ୟା ବିଶିଷ୍ଟ ଛତୁଚାଷ ବୁଲି ଦେଖିଥିଲେ। ଉତ୍ପାଦିତ ଛତୁକୁ ପୁଷ୍ପଲତା କେନ୍ଦୁଝର ଏବଂ ଯାଜପୁରରୋଡରେ ବିକ୍ରି କରୁଥିବା କହିଥିଲେ। ପରେ ସେ ପଦନପୁରରେ ଥିବା ପ୍ରଭୁ ଏଜେନ୍ସି ସାର ବିକ୍ରୟ କେନ୍ଦ୍ର ବୁଲି ଷ୍ଟକ୍ ଯାଞ୍ଚ କରିଥିଲେ।
ପରେ ଅଳତି ପଞ୍ଚାୟତ ହରିପୁର ଦାମୋଦର ମଲ୍ଲିକଙ୍କ କ୍ଷେତ ପୋଖରୀ, ବାମ୍ପିଡ଼ିରେ ବୁନ୍ଦା ଜଳସେଚନରେ ବିଜ୍ଞାନ କୁମାର ଦାସ କରିଥିବା ପରିବା ଚାଷ, ଭଗାନଈରେ ଝୋଟ ଚାଷ, ହସନପୁରର ମହାଲକ୍ଷ୍ମୀ ଏସ୍ଏଚ୍ଜି ପକ୍ଷରୁ କରାଯାଇଥିବା ପରିବା ଓ ଫୁଲଚାଷ, ଘଟଗାଁରେ ସମନ୍ବିତ କୃଷି ବିକାଶ ଯୋଜନାରେ ସନାତନ ମୁଣ୍ଡା କରିଥିବା କ୍ଷେତ ପୋଖରୀ, ପଇଦାପାଟଣାର ଖଗେଶ୍ୱର ମହାନ୍ତ କରିଥିବା ଛତୁଚାଷ ବୁଲି ଦେଖିଥିଲେ। ପରେ ନୁସୁରପଶିରେ ମୃତ୍ତିକା ସଂରକ୍ଷଣ ବିଭାଗ ସହଯୋଗରେ ୧୭ଜଣ ହିତାଧିକାରୀ ମନରେଗା ଯୋଜନାରେ କରିଥିବା କାଜୁ ବଗିଚା ବୁଲି ଦେଖିଥିଲେ। ବଗିଚାରେ ୧୮୦୦ କାଜୁଗଛ ଲାଗିଥିବା ବେଳେ ଖାଲି ସ୍ଥାନରେ ବୋଇତାଳୁ ଚାଷ କରାଯାଇଛି। ଏଥିରୁ ହିତାଧିକାରୀମାନେ ୯୬ ହଜାର ଟଙ୍କା ଆୟ କରିଥିବା ଶ୍ରୀ ପଣ୍ଡା ଜାଣିବାକୁ ପାଇଥିଲେ।
୨୭ ତାରିଖରେ ଉଦ୍ୟାନ କୃଷି ବିଭାଗର କୁଅଁର ଫାର୍ମ ପରିଦର୍ଶନ କରିଥିଲେ। ଏହାପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ବିଭାଗର ବ୍ଲକ୍ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସମନ୍ବିତ ଚାଷୀଙ୍କ ରୋଜଗାରକୁ ବହୁଗୁଣିତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରାକୃତିକ ଦୁର୍ବିପାକକୁ ପ୍ରତିହତ କରିବା ସହ ଜଳର ସୁପରିଚାଳନା କରି ଚାଷୀଙ୍କ ଆୟ ବୃଦ୍ଧି କରାଯାଇପାରିବ ବୋଲି କହିଥିଲେ। ଅଣଧାନ ଯଥା ପରିବା, ତୈଳବିଜ, ଡାଲିଜାତୀୟ ଓ ଲଘୁ ଶସ୍ୟ ଜାତୀୟ ଖାଦ୍ୟ ଉତ୍ପାଦନ କରିବାକୁ ଚାଷୀଙ୍କୁ ପବର୍ତ୍ତାଇବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସମନ୍ବିତ କୃଷି ବିକାଶ ଯୋଜନାରେ ଚାଷୀଙ୍କୁ କୃଷି ଓ ଆନୁସଙ୍ଗିକ କୃଷି ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସମସ୍ତ ପ୍ରକାର ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସୁଶାନ୍ତ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଜୟ କୁମାର ସ୍ୱାଇଁ, ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ଜୟନ୍ତ କୁମାର ନାୟକ, ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବନମାଳୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।