ରାଉରକେଲା: ଜମିଜମା କାର୍ଯ୍ୟ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକୀୟ ବାସିନ୍ଦା ପ୍ରମାଣପତ୍ର, ଆୟ, ଜାତିଗତ ପ୍ରମାଣପତ୍ର ଆଦି ପାଇଁ ଲୋକେ ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ୬ ବର୍ଷ ତଳେ ସବୁ ବ୍ଲକରେ ତହସିଲ କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ। ସରକାରଙ୍କ ଘୋଷଣାକୁ ଭୁଲି ଯାଇଛି ଜିଲ୍ଲା ପ୍ରଶାସନ। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ବ୍ଲକ ନୂଆଗାଁ। ପ୍ରାୟ ୬ ବର୍ଷ ଧରି ତହସିଲ କାର୍ଯ୍ୟାଳୟ ଖୋଲିବ ବୋଲି କୁହାଯାଉଛି। କିନ୍ତ ଖୋଲୁନି। ଏଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି ନା ଜିଲ୍ଲା ପ୍ରଶାସନ କାହାରି ପକ୍ଷରୁ ଧ୍ୟାନ ଦିଆଯାଉନି।

Advertisment

ସ୍ଥାନୀୟ ଲୋକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ଫଳ ଶୂନ। ଫଳରେ ୩୫ରୁ ୪୦କିଲୋମିଟର ଦୂର ବୀରମିତ୍ରପୁର ଦୌଡୁଛନ୍ତି ନୂଆଗାଁ ବାସିନ୍ଦା। କାର୍ଯ୍ୟାଳୟର କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକମାନଙ୍କୁ ଅନେକ ସମୟରେ ନାହିଁ ନଥିବା ଅସୁବିଧାର ‌ଭୋଗିବାକୁ ପଡୁଛି। କିଛି ଲୋକ ବାରମ୍ବାର ଦୌଡୁଥିଲେ ହେଁ ବିଭାଗୀୟ ଅଧିକାରୀ ସେମାନଙ୍କ କଥା ଶୁଣୁ ନାହାନ୍ତି। ଅପରପକ୍ଷେ ହାତଗୁଞ୍ଜା ନ ଦେଲେ ଫାଇଲ ଆଗକୁ ବଢ଼ୁନି। ବର୍ତ୍ତମାନ ତହସିଲର ପ୍ରାୟ ସମସ୍ତ କାର୍ଯ୍ୟ ଜନସେବା କେନ୍ଦ୍ର ମାଧ୍ୟମରେ କରାଯାଉଛି। ବିଡମ୍ବନା, ଜନସେବା କେନ୍ଦ୍ରଗୁଡ଼ିକ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଥିବାରୁ ଲୋକମାନ‌େ ବାଧ୍ୟ ହୋଇ ତହସିଲ କାର୍ଯ୍ୟାଳୟକୁ ଯାଇଥାନ୍ତି। ସେଠି ମଧ୍ୟ ସେହି ସମାନ ସ୍ଥିତି। ସବୁଠୁ ବେଶି ଅସୁବିଧା ଭୋଗୁଛନ୍ତି ନିରୀହ ଜନସାଧାରଣ। ନୂଆଗାଁ ବ୍ଲକର ୪ଟି ଓ ବୀରମିତ୍ରପୁରରେ ୩ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ମୋଟ ୭ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ନେଇ ବୀରମିତ୍ରପୁର ତହସିଲ। ନୂଆଗାଁ ବ୍ଲକର ନୂଆଗାଁ, ହାତୀବାରି, ସୋରଡା ଓ ଖୁଣ୍ଟଗାଁର ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ଲକ୍ଷାଧିକ ଲୋକ ନିର୍ଭରଶୀଳ। ନୂଆଗାଁରେ ତହସିଲ କାର୍ଯ୍ୟାଳୟ ହୋଇଥିଲେ ସ୍ଥାନୀୟ ଲୋକମାନେ ନିଜର ବିଭିନ୍ନ କାର୍ଯ୍ୟ ସୁରୁଖୁରୁରରେ କରିପାରନ୍ତେ। କିନ୍ତୁ ୫୦ କି.ମି. ଦୂର ବୀରମିତ୍ରପୁର ତହସିଲକୁ ବାରମ୍ବାର ଦୌଡି ଦୌଡି ସେମାନେ ଖର୍ଚ୍ଚାନ୍ତ ହେବା ସହ ମାନସିକ ଯନ୍ତ୍ରଣାରେ ଶିକାର ହେଉଛନ୍ତି। କୌଣସି କାର୍ଯ୍ୟ ଠିକ୍‌ ସମୟରେ ହେଉ ନାହିଁ। ମାସ ମାସ ଧରି ଅପେକ୍ଷା କଲେ ସୁଦ୍ଧା ଲୋକଙ୍କୁ ବାସିନ୍ଦା, ଆୟ, ଜାତିଗତ ପ୍ରମାଣପତ୍ର ମିଳି ପାରୁ ନାହିଁ। ସେପଟେ ସରକାର ନିୟମ ମୁତାବକ ଜମି ପଞ୍ଜିକରଣ ହେବାର ୭୨ ଘଣ୍ଟା ପରେ ଜମି ପଟ୍ଟା ମିଳିବା କଥା। ହେଲେ ମିଳୁନି।

ନୂଆଗାଁରୁ ବୀରମିତ୍ରପୁର ତହସିଲ ୩୫ କି.ମି ଦୂରରେ ଥିବାରୁ ତେତେରକେଲା, ଗୋପୁର, ପୁରୁଣାପାଣି ବାଲିଘାଟରୁ ବେଧଡକ ଚୋରା ବାଲି ଚାଲାଣ ହେଉଛି। ଭୋର ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାକ୍ଟର, ଡମ୍ପରରେ ଚୋର ଚାଲାଣ ହେଉଛି। ଦେଖିବାକୁ କାହାରି ପାଖରେ ସମୟ ନାହିଁ। ଏଥିପାଇଁ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଇବାକୁ ପଡୁଛି। ତହସିଲ କର୍ତ୍ତୃପକ୍ଷଙ୍କ ନଜର ରହୁ ନଥିବାରୁ ବହୁ ମୂଲ୍ୟବାନ ସରକାରୀ ଜମି ଏବେ ଜବରଦଖଲକାରୀ କବ୍‌ଜାରେ ରହିଛି। ନିକଟରେ ସ୍ଥାନୀୟ ଲୋକେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ସ୍ଥାନୀୟ ବିଧାୟକଙ୍କୁ ଅନେକବାର ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀଙ୍କୁ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି। ତେବେ ଉପାନ୍ତ ବ୍ଲକ ବାସିନ୍ଦାଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ଘୋଷଣା ଅନୁଯାୟୀ ନୂଆଗାଁରେ ତହସିଲ କାର୍ଯ୍ୟାଳୟ ଖୋଲିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।