ଜିଲ୍ଲାପାଳଙ୍କ ଅଭୟ ବାଣୀ, ଚମକିବ ଚୁମନ

ବଲାଙ୍ଗୀର: ବଲାଙ୍ଗୀର ସହରର ପେପରବୟ ଚୁମନ ରାଓ। ୧୩ ବର୍ଷର ପିଲା ପେପର ବିକ୍ରି କରି ପରିବାର ଚଳାଉଛି। ପାଠ ବି ପଢୁଛି। ମେଧାବୀ ଛାତ୍ର। ପେପର ବିକିବା ସଉକ ନୁହେଁ, ମଜବୁରି। ଆଉ ଏଭଳି ମଜବୁରିକୁ ଖବର କରି ପରିବେଷଣ କରିଥିଲା ‘ସମ୍ବାଦ’। ସଚେତନ ହେଲା ସମାଜ। ଏବେ ଚୁମନ ଘରେ ସାମଜିକ କାର୍ଯ୍ୟକର୍ତ୍ତାଙ୍କ ଭିଡ଼। ସାହାଯ୍ୟର ହାତ ବଢ଼ାଇଛନ୍ତି ପ୍ରଶାସକ ଓ ନେତା। ଏପରିକି ଆଜି ଚୁମନ ଘରେ ଖୋଦ୍‌ ଜିଲ୍ଲାପାଳ ଚଂଚଳ ରାଣା ପହଞ୍ଚିଥିଲେ। ଚୁମନ ସହିତ କାଥାବାର୍ତ୍ତା କଲେ। ପାଠ ପଢ଼ିବାକୁ ଉତ୍ସାହିତ କଲେ। ପେପର ବିକି ପାଠ ପଢ଼ିବାକୁ ଜୋସ୍‌ ଥିବାରୁ ପ୍ରଶଂସା କରିଥିଲେ ଜିଲ୍ଲାପାଳ।

ପ୍ରତିଶ୍ରୁତି ବି ଦେଲେ। ପାଠପଢ଼ା କଥା ମୁଁ ବୁଝିବି। ବାକି କଥା ପ୍ରଶାସନ ବୁଝିବ। ଚୁମନ ସହ ଜିଲ୍ଲାପାଳ ଆଲୋଚନା ସମୟରେ କହିଛନ୍ତି, ପାଠପଢ଼ିବା ପାଇଁ ଯାହା ଦରକାର ହେବ ମୁଁ ସାହାଯ୍ୟ କରିବି। କିନ୍ତୁ ପାଠ ପଢ଼ିବାର ଅଛି। ଆଉ ଉତ୍ସାହିତ କରି କହିଥିଲେ ପେପର ବିକିବା ଛୋଟ କାମ ନୁହେଁ। ବହୁତ ବଡ଼ ବଡ଼ ଲୋକ ଏମିତି ସଂଘର୍ଷ କରି ବଡ଼ ହୋଇଛନ୍ତି। ଏତେ ଛୋଟ ବୟସରୁ ତମେ ଘର ପ୍ରତିପୋଷଣ କରୁଛ ଇଏ କମ କଥା ନୁହେଁ। ତୁମ ସାଙ୍ଗସାଥୀ ଖେଳୁଛନ୍ତି। କିନ୍ତୁ ତମେ କାମ କରୁଛ। ବଡ଼ ହେଲେ କଣ ହେବ? ତୁରନ୍ତ ଚୁମନ ଉତ୍ତର ଦେଲା ମୁଁ ଡାକ୍ତର ହେବି। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପାଠ ପଢ଼ିବି। ଘରେ ଚୁମନ ସହିତ କଥାବାର୍ତ୍ତା ହେବା ସହିତ ଯକ୍ଷ୍ମାରେ ପୀଡ଼ିତ ଚୁମନର ମା’ ସହିତ ବି ଜିଲ୍ଲାପାଳ ଆଲୋଚନା କରିଥିଲେ। ନିୟମ ମୁତାବକ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ସହିତ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏପରିକି ଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଚୁମନ ଅନ୍ୟମାନଙ୍କ ପାଇଁ ପ୍ରେରଣା। ବିରଳ ବାଳକ। ଚୁମନ ସହିତ କଥାବାର୍ତ୍ତା ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଏ ପିଲା ଦିନେ ବଡ଼ ଲୋକ ହେବ। ନିଶ୍ଚିତ ଭାବରେ ଡାକ୍ତର ହେବ। ଆଉ ଜିଲ୍ଲାପାଳଙ୍କୁ ଭେଟି ଚୁମନ ବି ଢେର୍‌ ଖୁସି। ପାଠ ପଢ଼ିବା ପାଇଁ ସହଯୋଗ ପାଇଥିବାରୁ ଚୁମନର ଆଶା ବଢ଼ିଛି। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର କନ୍ଧପାଲିପଡ଼ାରେ ଚୁମନ ରାଓର ଘର। ଦୁଇବର୍ଷ ତଳେ ବାପା ସିଭିଲ ରାଓଙ୍କ ମୃତ୍ୟୁ ହୋଇଥିଲା। ମା’ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ଘରେ ସାତ ବର୍ଷର ଛୋଟ ଭାଇ। ତେଣୁ ସକାଳୁ ସକାଳୁ ହକର ହୋଇ ପେପର ବାଣ୍ଟି ଚୁମନ ପରିବାର ପ୍ରତିପୋଷଣ କରୁଛି। ଘରୋଇ ସ୍କୁଲରେ ଫି ଦେଇ ନପାରିବାରୁ ଏବେ ସରକାରୀ ସ୍କୁଲରେ ପଢୁଛି।

ସମ୍ବନ୍ଧିତ ଖବର