ବାଲେଶ୍ବର: ୬ ଦିନ ପୂର୍ବରୁ ବାତ୍ୟା ମୁକାବିଲା ବୈଠକ ହେଲା। ଡାକିଲେ ନାହିଁ। ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିକାଶ ସମିତି ବୈଠକ ହେଲା। ଡାକି ନାହାନ୍ତି। ତେବେ କେବଳ ବାତ୍ୟା ମୁକାବିଲା ଓ ସ୍ବାସ୍ଥ୍ୟ ସମିତି ବୈଠକ ନୁହେଁ, ଏବେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ବୈଠକଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୂରେଇ ରଖିବାର ଜୋରଦାର ପ୍ରୟାସ ଚାଲିଛି। ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ଏବଂ ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବାରେ ପ୍ରାଶାସନିକ ବିଫଳତା ଓ ଅନିୟମିତତା କାଳେ ପଦାରେ ପଡ଼ିଯିବ, ସେଥିଲାଗି ଏଭଳି ଅପଚେଷ୍ଟା ଚାଲିଥିବା ଅଭିଯୋଗ ହୋଇଛି।
ସୂଚନା ଥାଉକି, ଗତ ୪ ତାରିଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବାତ୍ୟା ମୁକାବିଲ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ଡକାଯାଇଥିଲା। ଏହି ବୈଠକରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଅଛି ଏବଂ ପୂର୍ବରୁ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତିରେ କି ପ୍ରକାର ପଦକ୍ଷେପ ନିଆଯାଇଛି, ସେନେଇ ଆଲୋଚନା କରାଯାଇଥିଲା। କିନ୍ତୁ ଏହି ବୈଠକରେ ହୋଇଥିବା ଆଲୋଚନା ଏବଂ ନିଷ୍ପତ୍ତି ସବୁକୁ ଜିଲ୍ଲାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗଣମଧ୍ୟମକୁ ଡକାଯାଇ ନଥିଲା।
ଏନେଇ ଗଣମାଧ୍ୟମ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଇଥିଲା। ସରକାର ୫-ଟି ନୀତିକୁ ଗୁରୁତ୍ବ ଦେଉଥିବା ବେଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ତଥା ଜନସାଧାରଣଙ୍କୁ କାହିଁକି ଅନ୍ଧାରରେ ରଖିବାକୁ ଚେଷ୍ଟା କରୁଛନ୍ତି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସମାନ ଘଟଣା ପୁଣି ଆଜି ଘଟିଥିଲା। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିକାଶ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ସଦର ବିଧାୟକ ସ୍ବରୂପ ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଦୁଲାଳସେନ ଜଗଦ୍ଦେବଙ୍କ ସହ ବାଲେଶ୍ବର ସରକାରୀ ମେଡିକାଲ୍ର ଡିନ୍, ସୁପରିନ୍ଟେଣ୍ଡେଣ୍ଟ, ଅନ୍ୟାନ୍ୟ ଅଧିକାରୀ ଏବଂ ସମିତିର ସଦସ୍ୟ ଉପସ୍ଥିତ ରହି ଜିଲ୍ଲାର ସ୍ବାସ୍ଥ୍ୟ ସ୍ଥିତି, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରକାରୀ ଯୋଜନାର କାର୍ଯ୍ୟକାରିତା, ଜିଲ୍ଲା ହସ୍ପିଟାଲ୍ ଓ ମେଡିକାଲ୍ କଲେଜରେ ରୋଗୀଙ୍କୁ ମିଳୁଥିବା ସେବା ଏବଂ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବୈଠକରେ ଉପସ୍ଥିତ ରହିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳି ନଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଏପରି ଅଣଦେଖା କରାଯାଉଛି, ସେନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସମୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଅଭିେଯାଗ, ଅବହେଳା ଓ ଅନିୟମିତତା କାଳେ ପଦାରେ ପଡ଼ିଯିବ-ସେଥିଲାଗି ଏପରି କରାଯାଉଥିବା ଅଭିଯୋଗ ହୋଇଛି। ଯଦି ଏହା ସତ ହୋଇଥିବା ତା’ ହେଲେ ସାଂଘାତିକ। ଗୋଟିଏ ପଟେ ପୁଲିସ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ସୂଚନା ପ୍ରଦାନ ନେଇ ଅଘୋଷିତ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ମଧ୍ୟ ସମାନ ନୀତି ଆପଣାଇବା ଚିନ୍ତାର କାରଣ ହୋଇଛି।