ନିର୍ମାଣ ଶ୍ରମିକଙ୍କୁ ଭଣ୍ଡାଉଛି ଜିଲ୍ଲା ଶ୍ରମ ବିଭାଗ, ଶ୍ରମିକ ଦିବସରେ ଡମି ଚେକ୍‌ ବାଣ୍ଟି ଠକିଦେଲେ

୮୯୫ ନିର୍ମାଣ ଶ୍ରମିକଙ୍କୁ ମିଳିଥାନ୍ତା ୨.୩୪ କୋଟିର ସହାୟତା

ରାଉରକେଲା: ନିକଟରେ ପାଳିତ  ଶ୍ରମିକ ଦିବସରେ ନିର୍ମାଣ ଶ୍ରମିକଙ୍କୁ ଭଣ୍ଡାଇଛନ୍ତି ଜିଲ୍ଲା ଶ୍ରମ ବିଭାଗ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତି ଜିଲ୍ଳାପାଳ ଡ. ଶୁଭଙ୍କର ମହାପାତ୍ର ଓ ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧିଙ୍କ ଉପସ୍ଥିତିରେ କିଛି ନିର୍ମାଣ ଶ୍ରମିକଙ୍କୁ ଡମି ଚେକ୍‌ ବାଣ୍ଟିଲେ। ଜଣେ କି ଦୁଇଜଣ ନୁହେଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀମାନେ ମୋଟ ୮୯୫ ନିର୍ମାଣ ଶ୍ରମିକଙ୍କୁ ୨ କୋଟି ୩୪ ଲକ୍ଷ ୫୩ ହଜାର ୬୦୦ ଟଙ୍କାର ସହୟତା ଘୋଷଣା କଲେ। ଡମି ଚେକ୍‌ ପାଇଁ ନିର୍ମାଣ ଶ୍ରମିକ ଓ ତାଙ୍କ ପରିବାର ବେଶ୍‌ ଖୁସି  ହୋଇଥିଲେ। ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ଦିଆଯିବ ବୋଲି ଘୋଷଣା କରାଗଲା। ଦୁଇ ଦିନ କି ସପ୍ତାହ ତ ଦୂର କଥା ଦେଢ଼ ମାସ ବିତିଗଲା ହେଲେ ଆଜି ପର୍ଯ୍ୟନ୍ତ  ନିର୍ମାଣ ଶ୍ରମିକଙ୍କୁ ଖାତାକୁ ଟଙ୍କାଟିଏ ସହାୟତା ରାଶି ଆସିଲାନି।

କେବେ ଆସିବ ଶ୍ରମ ବିଭାଗର ବିଭାଗୀୟ ଅଧିକାରୀଙ୍କ ନିକଟରେ ସନ୍ତୋଷଜନକ ଉତ୍ତର ନାହିଁ। ଗତ ୪ ମାସ ତଳେ ପାଖାପାଖି ୮ କୋଟିର ନିର୍ମାଣ ଶ୍ରମିକ ସହୟତା ବଣ୍ଟା ହେବାକୁ ଥିଲେ ମଧ୍ୟ ବଣ୍ଟା ଯାଇପାରି ନଥିଲା। ଏବେ ଶ୍ରମିକ ଦିବସରେ ଡମି ଚେକ୍ ପ୍ରଦାନ କରି ଠିକ ଦେଇଥିବାରୁ ନିର୍ମାଣ ଶ୍ରମିକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ସ୍ବର ଉତ୍ତୋଳନ କରୁଥିବା ଶ୍ରମିକ ସଙ୍ଗଠନର ନେତାମାନେ ଚୁପ୍‌ ରହିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଳେଖଯୋଗ୍ୟ, ନିକଟରେ ଜିଲ୍ଲା ଶ୍ରମ ବିଭାଗରୁ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୮୯୫ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ବାବଦରେ ୨ କୋଟି  ୩୪ ଲକ୍ଷ ୫୩ ହଜାର ୬୦୦ ଟଙ୍କା ବଣ୍ଟନ କରାଯିବାକୁ ଘୋଷଣା କରାଯାଇଥିଲା।

୪୫୦ ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା ସହୟତା ବାବଦରେ ୨୩ ଲକ୍ଷ ୩୫ ହଜାର ୬୦୦ ଟଙ୍କା, ୧୩ ନିର୍ମାଣ ଶ୍ରମିକଙ୍କୁ ବିବାହ ସହାୟତା ବାବଦରେ ୬ ଲକ୍ଷ, ୮୨ ଜଣଙ୍କୁ ପ୍ରସୂତିକାଳୀନ ସହାୟତା ବାବଦରେ  ୮ ଲକ୍ଷ ୧୮ ହଜାର ଟଙ୍କା। ସେମିତି ୧୦୦ ମୃତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ସହାୟତା ବାବଦରେ ୧ କୋଟି ୯୨ ଲକ୍ଷ, ଅନ୍ତେଷ୍ଟ୍ରିକ୍ରିୟା ସହାୟତା ବାବଦରେ ୧୦୦ ଜଣଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ରହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଜଣେ ହେଲେ ନିର୍ମାଣ ଶ୍ରମିକଙ୍କ ଖାତାକୁ ଟଙ୍କାଟିଏ ଆସିନି। ଫଳରେ ସହାୟତା ପାଇବାକୁ ଯୋଗ୍ୟ ନିର୍ମାଣ ଶ୍ରମିକ ଓ ତାଙ୍କ ପରିବାର  ୪୨ ଡିଗ୍ରୀ ତାତିରେ ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ବିଭାଗୀୟ ଅଧିକାରୀମାନେ ଆଜି କାଲି କହି ସେମାନଙ୍କୁ ସମୟ ଗଡାଇ ଚାଲିଛନ୍ତି। ଏ ସଂକ୍ରାନ୍ତରେ ଶ୍ରମ ବିଭାଗ ଜଣେ ଅଧିକାରୀ କହିଛନ୍ତି, ଶ୍ରମ ବିଭାଗ ପାଣ୍ଠିକୁ ଅର୍ଥ ଆସି ନଥିବାରୁ  ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଅର୍ଥ ଆସିବା ମାତ୍ରେ, ଶ୍ରମିକଙ୍କ ତାଲିକା ଅନୁଯାୟୀ ଆର୍ଥିକ ସହାୟତା ସେମାନଙ୍କ ଖାତାକୁ ପଠାଇ ଦିଆଯିବ। ଯଦି ଆକାଉଣ୍ଟକୁ ଆସି ନାହିଁ, ତରବରିଆ ଭାବେ ଶ୍ରମ ବିଭାଗ ଏଭଳି କାର୍ଯ୍ୟକ୍ରମର କରିବାର କ’ଣ ଆବଶ୍ୟକତା ଥିଲା ବୋଲି କିଛି ଶ୍ରମିକ ସଙ୍ଗଠନର ନେତାମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର