ଜିଲ୍ଲାପାଳ ଗୁହାରି ଶୁଣିଲେନି, ଗାଡ଼ିକୁ ଢେଲା ମାରିଲେ ବାବା

ବରଗଡ଼: ଜିଲ୍ଲାପାଳଙ୍କ ଗାଡ଼ିକୁ ଢେଲା ମାରି ଚର୍ଚ୍ଚାରେ ମହିମା ବାବା ବିନୋଦ। ନିଜ ଅଭିଯୋଗ ଧରି ବାରମ୍ବାର ସେ ଜିଲ୍ଲାପାଳଙ୍କ ପାଖକୁ ଆସୁଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଶୁଣିବାକୁ ସମୟ ନ ଦେବାରୁ ବାବା ଶେଷରେ ଆକ୍ରୋଶରେ ଜିଲ୍ଲାପାଳଙ୍କ କାର୍‌ ଉପରେ ଢେଲାମାଡ଼ କଲେ। ଏଭଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବାବାଙ୍କ ଢେଲାମାଡ଼ରେ ଜିଲ୍ଲାପାଳଙ୍କ କାର୍‌ର କାଚ ଭାଂଗି ଯାଇଛି। ଜିଲ୍ଲାପାଳଙ୍କ ପିଏସ୍‌ଓଙ୍କ ସୂଚନା ଆଧାରରେ ଟାଉନ୍‌ ପୁଲିସ୍‌ ବାବାଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି। ଜାମିନ ନ ମିଳିବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଶୁକ୍ରବାର ଏହି ଘଟଣା ଘଟିଥିଲା। ଗତ କିଛି ଦିନ ତଳେ ବି ବାବା ଜିଲ୍ଲାପାଳଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ବରଗଡ଼ ଗସ୍ତରେ ଥିବା ଯୋଗାଣ ସଚିବଙ୍କ ରୁଦ୍ଧଦ୍ବାର ବୈଠକରେ ବ୍ୟସ୍ତ ଥିଲେ। ବାବା ସମ୍ମିଳନୀ କକ୍ଷ ସମ୍ମୁଖରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଜିଦ୍‌ କରିଥିଲେ। ପାଟିତୁଣ୍ଡ ବି କରିଥିଲେ। କିନ୍ତୁ ଅଧିକାରୀମାନେ ତାଙ୍କୁ ଭୁତାଇ ଫେରାଇ ଦେଇଥିଲେ। ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଏବେ ଦେଖିବାକୁ ମିଳିଛି। ବାବାଙ୍କ ଅଭିଯୋଗ ହେଲା, ଚକରକେନ୍ଦ କଲେଜ୍‌ ମହିମା ଡିଗ୍ରି କଲେଜ୍‌ର ବିବାଦକୁ ନେଇ ବାବା ବାରମ୍ବାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ନିବେଦନ କରୁଥିଲେ। ଉକ୍ତ କଲେଜ୍‌ର ପରିଚାଳନା ବୋର୍ଡକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ଦୀର୍ଘ ବର୍ଷର ଗଣ୍ଡଗୋଳକୁ ନେଇ ଅଦାଲତରେ ମାମଲା ବିଚାରାଧିନ ରହିଛି।

ମହିମା ଆଶ୍ରମର ଅନୁଦାନରୁ ଏହି କଲେଜ୍‌ ନିର୍ମାଣ ହୋଇଥିବାବେଳେ ଏବେ ଅନ୍ୟମାନେ ଏହା ଉପରେ ଅଧିକାର ଜାହିର କରୁଛନ୍ତି। ଫଳ‌ରେ ବାବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠି ନେଇ ବାବା ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ବାରମ୍ବାର ଆସୁଥିଲେ। କିନ୍ତୁ ଜିଲ୍ଲାପାଳ ସମୟ ଦେଇନଥିବାରୁ ସେ ଉତ୍‌କ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ବାବାଙ୍କ ନିକଟତମ ବ୍ୟକ୍ତିମାନେ କହିଛନ୍ତି।

ସମ୍ବନ୍ଧିତ ଖବର