୮ ରୁ ଖୋଲିବ ଜିଲ୍ଲାର ୬୧୧ ହାଇସ୍କୁଲ୍‌, ପ୍ରସ୍ତୁତି ଚଳାଇଛି ଜିଲ୍ଲା ଶିକ୍ଷା ବିଭାଗ

ବ୍ରହ୍ମପୁର : ଦୀର୍ଘ ୯ମାସ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ‌ଆସନ୍ତା ୮ତାରିଖ ଅର୍ଥାତ ଶୁକ୍ରବାର କେବଳ ହାଇସ୍କୁଲ ଖୋଲିବ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ। ମେ ୫ ତାରିଖରେ ଦଶମ ଶ୍ରେଣୀ ବୋର୍ଡ଼ (ମାଟ୍ରିକ) ପରୀକ୍ଷା ଅନୁଷ୍ଠିତ ହେବ। ନିଷ୍ପତ୍ତି ପରେ ଗଞ୍ଜାମ ଜିଲ୍ଲାର ୬୧୧ ହାଇସ୍କୁଲ ଖୋଲିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଜିଲ୍ଲା ନୋଡ଼ାଲ ଅଫିସର ରଘୁରାମ ଆର. ଆୟାର୍‌ ଆଜି ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସି ହାଇସ୍କୁଲ ଗୁଡ଼ିକ ବୁଲି ପ୍ରସ୍ତୁତି ଅନୁଧ୍ୟାନ କରୁଛନ୍ତି। ଆସନ୍ତାକାଲି ମଧ୍ୟ ଜିଲ୍ଲାର ବିଭିନ୍ନ ସ୍କୁଲ ବୁଲି ପ୍ରସ୍ତୁତି ତଦାରଖ କାର୍ଯ୍ୟକ୍ରମ ରହିଛି।
ମାର୍ଚ୍ଚ ୧୦ତାରିଖରୁ ଗଞ୍ଜାମ ଜିଲ୍ଲାରେ କରୋନା କଟକଣା ଆରମ୍ଭ ହୋଇ ଯାଇଥିଲା। କରୋନା ପ୍ରାଦୁର୍ଭାବକୁ ନଜରରେ ରଖି ମାର୍ଚ୍ଚ ୧୭ତାରିଖରୁ ଜିଲ୍ଲାର ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୪୨୬୪ରେ ବିଦ୍ୟାଳୟରେ ପାଠପଢ଼ା ବନ୍ଦ କରାଯାଇଥିଲା। ଏହାପର ଠାରୁ ବିଦ୍ୟାଳୟ ଗୁଡ଼ିକରେ ତାଲା ଝୁଲି ରହିଛି। ଏପରିକି କରୋନା ସମୟରେ ଜିଲ୍ଲାର ୧୮୯୨ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯାଇଥିଲା। କରୋନାର ସଂକ୍ରମଣ କମିଥିଲେ ହେଁ କରୋନା କବଳରୁ ଜିଲ୍ଲା ସମ୍ପୂର୍ଣ୍ଣ ମୁକ୍ତ ହୋଇନାହିଁ। ଆହୁରି ୧ ଏକ ମାସ ଶୀତ ରହିଛି। ବ୍ରିଟେନ୍‌ କରୋନାକୁ ନେଇ ମଧ୍ୟ ଭୟ ରହିଛି। ଏସବୁ ଭିତରେ ମୁଣ୍ଡ‌ ଉପରେ ମାଟ୍ରିକ ପରୀକ୍ଷା ରହିଥିବାରୁ ପିଲାଙ୍କୁ ଶହେ ଦିନର ପାଠପଢ଼ା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାର ପ୍ରସ୍ତୁତି ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି ଯେ, ୬୧୧ ହାଇସ୍କୁଲରେ ୪୬ହଜାର ୪୦୭ଜଣ ଛାତ୍ରଛାତ୍ରୀ ରହିଛନ୍ତି। ପୂର୍ବରୁ ସ୍କୁଲ ଗୁଡ଼ିକ ସଫାସୁତରା କରାଯାଇଥିଲା। ଏବେ ପୁଣି ଦ୍ବିତୀୟ ପର୍ଯ୍ୟାୟ ସଫେଇ କରାଯାଉଛି। ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ମତାମତ ନେବା ଲାଗି ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି। ସରକାର ନିଷ୍ପତ୍ତି ଅନୁଯାୟୀ ୮୦ ମାର୍କର ପାଠ ପଢ଼ାଯିବ। ସମସ୍ତ ବିଷୟ ଆରମ୍ଭରୁ ହିଁ ପଠାଯିବ।
ଶହେ ଦିନର ପାଠପଢ଼ା ମଧ୍ୟରେ ଶନିବାର ଓ ରବିବାର ଛୁଟି ରହିବ ନାହିଁ। ପ୍ରତି ଶ୍ରେଣୀ କକ୍ଷରେ ଅତ୍ୟଧିକ ୨୦ରୁ ୨୫ଜଣ ପିଲା ବସିବେ। ଆବଶ୍ୟକସ୍ଥଳେ ଉପଯୁକ୍ତ ସୁବିଧା ଥିଲେ ସ୍କୁଲ ବାରଣ୍ଡାରେ ବି ପାଠପଢ଼ା ଯାଇପାରିବ। ପିଲାମାନେ ଏକାଠି ହୋଇ ଅର୍ଥାତ ଦଳ ଦଳ ହୋଇ କୌଣସି ସ୍ଥାନରେ ରହିବେ ନାହିଁ। ପ୍ରତି ସ୍କୁଲରେ ହାତଧୁଆ ଏବଂ ସାନିଟାଇଜର୍‌ ବ୍ୟବସ୍ଥା ରହିବ। ୧୦ଶ୍ରେଣୀ ରହିଥିବା ଘରୋଇ ସ୍କୁଲ ଗୁଡ଼ିକ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବା ବାଧ୍ୟତାମୂଳକ। ଗଞ୍ଜାମ ଜିଲ୍ଲାରେ ନିକଟରେ ୨୩୮ ଶିକ୍ଷକ ପଦୋନ୍ନତି ପାଇଛନ୍ତି। କିଛି ଶିକ୍ଷକ ମଧ୍ୟ ଅବସର ଗ୍ରହଣ କରିଛନ୍ତି। ତେଣୁ ଶିକ୍ଷକ ସମସ୍ୟା ସୃଷ୍ଟି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି। ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ଆବଶ୍ୟକ ସ୍ଥଳେ ଅତିଥି ଶିକ୍ଷକଭାବେ ନିଯୁକ୍ତ କରାଯିବ। କେତେକ ସ୍ଥାନରେ ବିଏଡ଼୍‌ କରିଥିବା ପ୍ରାଥମିକ ଶିକ୍ଷକଙ୍କୁ ନିୟୋଜିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୨ଟି ବ୍ଲକରେ ୨୨ଟି ଆଦର୍ଶ ବିଦ୍ୟାଳୟ ରହିଛି। ସେଥିରେ ୧୬ଟି ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ରହିଛି। ୧୦୩୯ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ରହିଛନ୍ତି। ଏହି ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ୮ତାରିଖ ରୁ ଖୋଲିବ। ୧୬ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୯ଟିରେ ବାଳିକା ଛାତ୍ରୀ ନିବାସ (ଗାର୍ଲସ୍‌ ହଷ୍ଟେଲ) ରହିଛି। ସରକାରଙ୍କ ନିୟମାବଳୀ ଅନୁଯାୟୀ ହଷ୍ଟେଲ ଗୁଡ଼ିକ ଖୋଲିବ। ସେହିପରି ଜିଲ୍ଲାର ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଏବଂ ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ରହିଛି। ସେଗୁଡ଼ିକ ମଧ୍ୟ ୮ରୁ ଖୋଲିବ।
ସମ୍ବନ୍ଧିତ ଖବର