ସମ୍ବଲପୁର: ଟଙ୍କିକିଆ କ୍ଲିନିକ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଡା. ଶଙ୍କର ରାମଚନ୍ଦାନୀଙ୍କ ସାମାଜିକ କାମ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି। ରକ୍ତ ସମ୍ପର୍କ ନଥାଇ ମଧ୍ୟ ଗୋଟିଏ ପୁଅ ଭଳି ସେ ଜଣେ ମହିଳା ରୋଗୀଙ୍କ ଶବସତ୍କାର କରିଛନ୍ତି। ରୀତିନୀତି ଅନୁଯାୟୀ ଦଶା ପର୍ଯ୍ୟନ୍ତ କାମ କରିବେ ବୋଲି ମଧ୍ୟ ସେ କହିଛନ୍ତି।
ମହିଳା ମେଡିସିନ୍ ଵାର୍ଡରେ ବର୍ଷେ ପୂର୍ବରୁ ବେଦି ସାହୁ ନାମକ ଜଣେ ରୋଗୀ ଭର୍ତ୍ତି ହୋଇଥିଲେ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ବୁର୍ଲା ପଠାଯାଇଥିଲା। ପିଜି ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ ଓ କାର୍ଯ୍ୟରତ କର୍ମଚାରୀମାନେ ଏକ ବର୍ଷ ଧରି ତାଙ୍କର ଦେଖାରଖା କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଅନେକ ଉନ୍ନତି ହୋଇଥିଲା। ୩ ଦିନ ହେବ ପୁଣିଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ବେଦିଙ୍କ ମୃତ୍ୟୁ ପରେ ଡା. ରାମଚନ୍ଦାନୀ ପ୍ରଥମେ ତାଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ କେହି ଆସି ନଥିଲେ। ଡା. ରାମଚନ୍ଦାନୀ ତା’ପରେ ତାଙ୍କର ଶେଷକୃତ୍ୟ କରିବାକୁ ଚିନ୍ତା କରିଥିଲେ ଏବଂ ପୁଲିସର ଅନୁମତି ଲୋଡ଼ିଥିଲେ। ପୁଲିସ ଅନୁମତି ପ୍ରଦାନ କରିବା ପରେ ଶନିବାର ଡା. ରାମଚନ୍ଦାନୀ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ବୁର୍ଲା ଶ୍ମଶାନ ଘାଟରେ ନିଜେ ମୁଖାଗ୍ନୀ ଦେଇଥିଲେ। ବେଦିଙ୍କ ପୂର୍ବରୁ ମଧ୍ୟ ଡା. ରାମଚନ୍ଦାନୀ ୨ ଜଣ (ଶୁକୁନା ବାଘ, ପୁଷ୍ପା ବାଘ)ଙ୍କ ଶବସତ୍କାର କରିଥିଲେ।