ବାଲେଶ୍ବର : ସ୍ବାସ୍ଥ୍ୟସେବା ଭଳି ଏକ ଜରୁରୀ ସେବାରେ ଥାଇ ବି ଜଣେ ବରିଷ୍ଠ ଡାକ୍ତର ବିନା ଛୁଟି ଦରଖାସ୍ତରେ ଦୁଇ ମାସରୁ ଅଧିକ ସମୟ ଧରି ଅନୁପସ୍ଥିତ ରହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ଏହାର ଗହନ ରହସ୍ୟ। କିନ୍ତୁ କେହି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯାହାଫଳରେ ପାଞ୍ଚଟି ସ୍ବାସ୍ଥ୍ୟକେନ୍ଦ୍ରର ୨୫୦ରୁ ଊର୍ଦ୍ଧ୍ବ କର୍ମଚାରୀ ଦୁଇ ମାସ ଧରି ଦରମା ନ ପାଇ ହନ୍ତସନ୍ତ ହେଉଛନ୍ତି।
ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ବରହମ୍ପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ (ସୁପରିନ୍ଟେଣ୍ଡେଣ୍ଟ) ଦାୟିତ୍ବରେ ଅଛନ୍ତି ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର କାଳୀଚରଣ ପାଲ। ଜୁନ୍ ୨୦ ତାରିଖରୁ ସେ ଆଉ ଡାକ୍ତରଖାନା ଆସୁନାହାନ୍ତି। ଏହାରି ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିଲାଣି। ଡାକ୍ତରଖାନା କର୍ମଚାରୀଙ୍କ ଦରମା ଓ ଖର୍ଚ୍ଚ ଦାୟିତ୍ବରେ ଡାକ୍ତର ପାଲ ରହିଥିବା ବେଳେ ତାଙ୍କ ଅଧୀନରେ କାଂଶ, ଅଯୋଧ୍ୟା, ବେତକଟା, କଳାକାଦଳ, ସଜନାଗଡ଼ ଆଦି ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨୫୦ କର୍ମଚାରୀ ଓ ଡାକ୍ତର ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳ, ଜିଲ୍ଲା ଚିକିତ୍ସାଧିକାରୀ ଓ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ବାରମ୍ବାର ଫେରାଦ୍ ହୋଇଛନ୍ତି କର୍ମଚାରୀ। ଏମିତିକି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ନୋଟିସ୍ ମଧ୍ୟ ଜାରି ହୋଇଛି। ହେଲେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିନି ଡାକ୍ତର ପାଲଙ୍କ ଉପରେ। ବରଂ ବିନ୍ଦାସ୍ ହୋଇ ଦୋଳିରେ ଝୁଲୁଥିବାର ଫଟୋ ସୋସିଆଲ୍ ମିଡିଆରେ ଛାଡ଼ୁଛନ୍ତି।
ତେବେ ଡାକ୍ତର ପାଲଙ୍କ ଏଭଳି ଆଚରଣ କିଛି ନୂଆ ନୁହେଁ। ଏହା ପୂର୍ବରୁ ସେ ବାଲିଆପାଳ ଇଡ୍କୋ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ପାଖାପାଖି ୩ ବର୍ଷ ଧରି କାହାକୁ କିଛି ନ ଜଣାଇ ଡାକ୍ତରଖାନା ଆସୁନଥିଲେ। ଏହି ସମୟ ଭିତରେ ସେ ଦିଲ୍ଲୀର ଏକ ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନା ଓ ପରେ ବାଲେଶ୍ବରର ଏକ ଘରୋଇ ହସ୍ପିଟାଲରେ କାମ କରିଥିଲେ। ସେତେବେଳେ ମଧ୍ୟ ବିଭାଗ ପକ୍ଷରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ପ୍ରଶ୍ନ ଉଠୁଛି, ଡାକ୍ତର ପାଲ ବାରମ୍ବାର ଏମିତି ଭୁଲ୍ କରି ଚାଲିଥିବା ବେଳେ ତାଙ୍କ ପ୍ରତି ସ୍ବାସ୍ଥ୍ୟ ବିଭାଗର ଏତେ ଅନୁକମ୍ପା କାହିଁକି? ତାଙ୍କର ଏଭଳି ଅଭ୍ୟାସଗତ ବିଶୃଙ୍ଖଳିତ ଆଚରଣକୁ ଘଣ୍ଟ ଘୋଡ଼ାଇ କିଏ ସୁରକ୍ଷା ଦେଉଛି? ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ ଜୁଲାଇ ୨୦ ତାରିଖରେ ଚିଠି ନଂ ୧୧୦୮୫ରେ ଡାକ୍ତର ପାଲଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ହେଲେ ଡାକ୍ତର ପାଲ ଆଜିଯାଏ ତାର ଉତ୍ତର ରଖିନାହାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦ୍ଦେବ ଘଟଣାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ବାରମ୍ବାର ଅବଗତ କରାଯାଇଛି। ଅନ୍ୟପକ୍ଷରେ ଡାକ୍ତର ପାଲ କହୁଛନ୍ତି, ଅସୁସ୍ଥ ଥିବାରୁ ମୁଁ ଛୁଟିରେ ରହିଛି। ଶାରୀରିକ ଅସୁସ୍ଥତା ଯୋଗୁଁ ମୋର କିଛି ଦାବି ରହିଥିଲା, ଯାହା ପୂରଣ ନ ହେବାରୁ ମୁଁ ଡାକ୍ତରଖାନା ଛାଡ଼ିଛି।