ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌ରୁ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଚାର୍ଜସିଟ୍‌ରେ ଗୋପାଳ ୪ ପ୍ରକାର ମାନସିକ ରୋଗ ଔଷଧ ଖାଉଥିବା ‌ନେଇ ଜେଲ୍‌ କର୍ତ୍ତୃପକ୍ଷ ରିପୋର୍ଟ ଦେଇଛନ୍ତି। ଏହି ଔଷଧଗୁଡ଼ିକ ବାଇପୋଲାର ଡିଜଅର୍ଡର ରୋଗ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଥିବା ୪ ଜଣିଆ ଟିମ୍‌ ମଧ୍ୟ ଗୋପାଳର କୌଣସି ସକ୍ରିୟ ମାନସିକ ରୋଗ ନଥିବା କଥା ଉଲ୍ଲେଖ କରିଛନ୍ତି। କେବଳ ଗୋପାଳର କହିବାନୁସାରେ, ପୂର୍ବରୁ ସେ ଏହି ଔଷଧ ଖାଉଥିବାରୁ ତାକୁ ଏହା ଜେଲ୍‌ରେ ଦିଆଯାଉଥିବା ରିପୋର୍ଟରେ ଦର୍ଶାଯାଇଛି।

Advertisment

ଗୋପାଳ ଫେବ୍ରୁଆରି ୧୪ ତାରିଖରୁ ଚୌଦ୍ବାର ଜେଲ୍‌ରେ ଅଛି। ଏପ୍ରିଲ ୬ରେ ୩ଜଣ ଡାକ୍ତର ଓ ଜଣେ ସାମାଜିକ କର୍ମୀଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍‌ ଜେଲ୍‌ରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଥିଲେ। ସେହି ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଯେଉଁଠି ଚୌଦ୍ବାର ସର୍କଲ ଜେଲ୍‌ର ଜେଲର ବିଭେନ୍ଦୁ ଭୂୟାଁ, ୱାର୍ଡର ଇନ୍ଦ୍ରଜିତ ବେହେରା ଓ ଶ୍ୟାମସୁନ୍ଦର ମହାନ୍ତି ଗୋପାଳ ଆସିବା ଦିନଠାରୁ କୌଣସି ମାନସିକ ଅସ୍ଥିରତାରେ ଥିବା ଦେଖି ନଥିବା ଲେଖାଯାଇଛି। ଗୋପାଳ ନିୟମିତ ବ୍ୟାୟାମ କରୁଥିବା ବେଳେ ଜେଲ୍‌ କର୍ମଚାରୀଙ୍କ ସହ କଥା ହୁଏ, ବହି ପଢ଼େ ଓ ନିଜ କାମ କରେ। ଜେଲ୍‌ର ମାନସିକ ରୋଗ ବିଶେଷଜ୍ଞ ଡା. ଏଲ୍‌. ଏସ୍‌. ମହାପାତ୍ର ମଧ୍ୟ ଗୋପାଳର କୌଣସି ମାନସିକ ରୋଗ ପାଇନାହାନ୍ତି। କିନ୍ତୁ ଗୋପାଳ କହିବାରୁ ତାକୁ ୪ଟି ଔଷଧ ଯଥା ଟାବଲେଟ୍‌ ଲିଥିୟମ କାର୍ବୋନେଟ୍‌, ଟାବଲେଟ୍‌ ରିସ୍‌ପେରିଡୋନ୍‌, ଟାବଲେଟ୍‌ ଟ୍ରାଇହେକ୍ସିଫେନିଡିଲ ଓ ଟାବ୍‌ଲେଟ୍‌ କ୍ଲୋନେଜେପାମ୍‌ ଦିଆଯାଉଛି। ଜେଲ୍‌ ଫାର୍ମାସିଷ୍ଟ ପ୍ରମୋଦ ଶତପଥୀଙ୍କ ନିରୀକ୍ଷଣରେ ଗୋପାଳ ଏହି ଔଷଧ ଖାଉଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଗୋପାଳ କହିଛି ଯେ ୧୯୮୬ ମସିହାରେ ତା’ର ମାନସିକ ରୋଗ ୪-୫ ମାସ ପାଇଁ ବାହାରିଥିଲା। ୨୦୧୪ରୁ କିଛି ମାସ ପାଇଁ ବାହାରିଥିବା ଏହି ରୋଗ ପାଇଁ ସେ ନଭେମ୍ବର ୨୦୨୨ ଯାଏ ଔଷଧ ଖାଇଥିବା ଏହି ରିପୋର୍ଟରେ ରହିଛି। ଗୋପାଳ କିନ୍ତୁ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ଜମାନବନ୍ଦୀରେ ଏ ସମ୍ପର୍କରେ ଗୋଟିଏ ବି ଶବ୍ଦ କହିନି। ମାତ୍ର ଗାନ୍ଧୀନଗରରେ ହୋଇଥିବା ପଲିଗ୍ରାଫ୍‌ ଟେଷ୍ଟରେ କିନ୍ତୁ ସେ ପ୍ରତିଶୋଧ ନେବା ପାଇଁ ଘଟଣାର ୩ ମାସ ପୂର୍ବରୁ ଔଷଧ ଖାଇବା ବନ୍ଦ କରିଦେଇଥିବା ନେଇ କହିଥିବା ଉଲ୍ଲେଖ ରହିଛି।