ଭୁବନେଶ୍ବର : ମେଡିକାଲ ରିପୋର୍ଟ ଦାଖଲ କରୁ ନାହାନ୍ତି ଡାକ୍ତର। ରାଜ୍ୟରେ ଅନ୍ଲାଇନ୍ ଜରିଆରେ ମେଡିକାଲ ରିପୋର୍ଟ ଦାଖଲ ପାଇଁ ବ୍ୟବସ୍ଥା ରହିଥିଲେ ବି ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। ଏପରିକି ରାଜ୍ୟବ୍ୟାପୀ ୧୬୯୨୫ ମେଡିକାଲ ରିପୋର୍ଟ ଦାଖଲ ନ ହୋଇ ପଡ଼ି ରହିଛି। ତେଣୁ ଆସନ୍ତାମାସ ୫ତାରିଖ ସୁଦ୍ଧା ଏସବୁ ରିପୋର୍ଟ ଦାଖଲ କରିବା ଲାଗି କଡ଼ା ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ସବୁ ମେଡିକାଲ କଲେଜ, ସିଡିଏମ୍ଓମାନଙ୍କୁ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି।
ପଡ଼ି ରହିଛି ୧୬୨୯୫ ରିପୋର୍ଟ
୫ ନଭେମ୍ବର ସୁଦ୍ଧା ବଳକା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ
ଅନ୍ଲାଇନ୍ରେ ରିପୋର୍ଟ ଦାଖଲ ପାଇଁ ଡାକ୍ତରଙ୍କୁ ଦିଆଯିବ ତାଲିମ୍
ହତ୍ୟା, ଦୁଷ୍କର୍ମ, ଯୌନ ନିର୍ଯାତନା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାରେ ଡାକ୍ତରଙ୍କ ମେଡିକାଲ ରିପୋର୍ଟ(ମତ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାତ୍ର ଡାକ୍ତରମାନେ ଏ ସଂକ୍ରାନ୍ତୀୟ ରିପୋର୍ଟ ଅନ୍ଲାଇନ୍ରେ ଦାଖଲ କରୁ ନ ଥିବା ନଜରକୁ ଆସିଛି। ମାତ୍ର ଗୃହ ବିଭାଗ ପକ୍ଷରୁ ନିକଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟବ୍ୟାପୀ ୧୬୯୨୫ ରିପୋର୍ଟ ଡାକ୍ତର ଦାଖଲ କରି ନାହାନ୍ତି। ତେବେ ଅନଲାଇନ୍ରେ ରିପୋର୍ଟ ଦାଖଲ କରିବାରେ କେତେକ ସମସ୍ୟା ରହିଥିବା ନଜରକୁ ଆସିଛି। ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କ ନାଁରେ ପ୍ରସ୍ତୁତ ହୋଇଥିବା ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର ନ ହେବା କାରଣରୁ ନିଷ୍କ୍ରିୟ ହୋଇଯାଇଛି। ଡାକ୍ତରଙ୍କ ନିକଟକୁ ଆସିଥିବା ରିକ୍ବିଜିସନ୍କୁ ଡାଉନଲୋଡ କରିବା ଓ ରିପୋର୍ଟ ଅପଲୋଡ କରିବାରେ ସମସ୍ୟା, ହସ୍ପିଟାଲ ପକ୍ଷରୁ ଏକାଧିକ ଆଇଡି ପ୍ରସ୍ତୁତ କରାଯାଇଥିବା ବେଳେ କୌଣସି ଆଇଡି କାମ ନ କରିବା ଓ ଅନେକ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଛୁଟିରେ ଯାଇଥିବା ବେଳେ ନବନିଯୁକ୍ତ ଡାକ୍ତରଙ୍କ କୌଣସି ଆଇଡି ପ୍ରସ୍ତୁତ କରାଯାଇ ନାହିଁ। ତେଣୁ ହସ୍ପିଟାଲ କର୍ତୃପକ୍ଷ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/doctor.jpg)