ସମ୍ବଲପୁର : ଦାବିପୂରଣ ନହେଲେ ଆସନ୍ତା ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଓମ୍‌ସା ବୈଠକରେ ସ୍ଥିର କରାଯାଇଛି। ଗତ ୨୫ ତାରିଖ ଦିନରେ ଓମ୍‌ସା, ସମ୍ବଲପୁର ଶାଖାର ଏକ ବୈଠକ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ୪ ଦଫା ଦାବି ନେଇ ଆଲୋଚନା ହୋଇଥିଲା। ଶୀଘ୍ର କ୍ୟାଡର ପୁନର୍ଗଠନ କରିବାକୁ ଦାବି କରାଯାଇଛି।

Advertisment

ତ‌େବେ, କ୍ୟାଡର ପୁନର୍ଗଠନ ସମୟରେ ଜୁନିଅର କ୍ଲାସ-୧, ସିନିଅର କ୍ଲାସ-୧, ଜେଡି, ଏଡି ଏବଂ ୨୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସେବା ଦେଇଥିବା ଡାକ୍ତରମାନଙ୍କୁ ଏସ୍‌ଏଜି ବର୍ଗରେ ନେବା ପାଇଁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ଭଳି ତୁରନ୍ତ ସିଏସିପି ଲାଗୁ କରିବାକୁ ଦାବି କରାଯାଇଛି। ୨୫ ବର୍ଷ ଚାକିରି ପରେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ନିସର୍ତ୍ତ ଗ୍ରହଣ କରିବାକୁ ଦାବି କରାଯାଇଛି। ଏସବୁ ଦାବି ପୂରଣ ନହେଲେ ଆସନ୍ତା ୧ ତାରିଖରୁ ରୋଗୀ ସେବା ପ୍ରଭାବିତ ନକରି ନିରବ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଛି। ବୈଠକରେ ଜିଲ୍ଲା ଶାଖାର ସାଧାରଣ ସଂପାଦକ ଡାକ୍ତର ରାଜରାମ ଦାଶ, ଡାକ୍ତର ବିଜୟ ପଣ୍ଡା, ଡାକ୍ତର ବ୍ୟାସଦେବ ହୋତା, ଅଲେଖ ମହାପାତ୍ର, ମହେନ୍ଦ୍ର ନନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।