ସେପ୍ଟେମ୍ବର ୧୫ ପରେ ‘ଆଶୀର୍ବାଦ’ ଦ୍ୱାର ବନ୍ଦ

ଯୋଜନାକୁ ତରବରିଆ ସ୍ଥଗିତ ରଖିବା ନେଇ ପ୍ରଶ୍ନବାଚୀ

ଅଭିଭାବକଙ୍କୁ ହରାଇଲେଣି ୩୧ ହଜାର
ଆହୁରି ୨୦ ହଜାର କୋମଳମତୀଙ୍କୁ ମିଳିନି ସହାୟତା

ଭୁବନେଶ୍ବର : ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାଙ୍କୁ ଆଉ ‘ଆଶୀର୍ବାଦ’ ଯୋଜନାରେ ସାମିଲ କରାଯିବ ନାହିଁ। ୧୫ ପରେ ଅଭିଭା‌ବକଙ୍କୁ ହରାଉଥିବା ଶିଶୁ ପୂର୍ବ ପରି ଶିଶୁ ସୁରକ୍ଷା ଯୋଜନାର ପୁରୁଣା ଆଇନରେ ସାମିଲ ହେବେ। ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଏହି ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁମାନେ ଆଶୀର୍ବାଦରେ ସାମିଲ ହୋଇଛନ୍ତି, ସେମାନେ ୧୮ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର ସବୁ ସୁବିଧା ପାଇବେ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ କୋଭିଡ୍‌ର ଭୟାବହତା ସମ୍ପୂର୍ଣ୍ଣ କମି ନ ଥିଲା ବେଳେ ତରବରିଆ ଭାବେ ଏହି ଯୋଜନାକୁ ସ୍ଥଗିତ ରଖାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନ୍‌ସିପିସିଆର୍‌ରେ ଦାଖଲ ସତ୍ୟପାଠ ଅନୁସାରେ, ଅଗଷ୍ଟ ୨୩ ତାରିଖ ସୁଦ୍ଧା ଦେଶର ୧ ଲକ୍ଷରୁ

ଊର୍ଧ୍ବ ଶିଶୁ ନିଜର ଉଭୟ କିମ୍ବା ଜଣେ ଅଭିଭାବକଙ୍କୁ ହରାଇଛନ୍ତି। ଏଥିରେ ମହାରାଷ୍ଟ୍ର ପ୍ରଥମ, ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଛି। ୨୦୨୦ ମସିହା ଏପ୍ରିଲ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୩୧ ହଜାର ଶିଶୁ ଉଭୟ ମା, ବାପା କିମ୍ବା ପରିବାରରେ ଅର୍ଥ ଉପାର୍ଜନ କରୁଥିବା ଜଣେ ଅଭିଭାବକଙ୍କୁ ହରାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୨୫ ହଜାର ଶିଶୁ ଅଭିଭାବକଙ୍କୁ ହରାଇଥିଲେ। ମାତ୍ର ୧୩ ଦିନରେ ଆହୁରି ୬ ହଜାର ଶିଶୁ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ତେଣୁ ଅଭିଭାବକ ହରାଉଥିବା ପିଲାଙ୍କ ସଂଖ୍ୟା କେଉଁ ହାରରେ ବୃଦ୍ଧି ପାଉଛି ଏହା ସ୍ପଷ୍ଟ ଜଣାପଡ଼ୁଛି। ଏଥିରୁ ଆଜି ପର୍ଯ୍ୟନ୍ତ କେବଳ ୧୦ ହଜାର ଶିଶୁଙ୍କୁ ହିଁ ଆଶୀର୍ବାଦ ଅନ୍ତର୍ଗତରେ ସହାୟତା ମିଳିଛି। ୨୦ ହଜାରରୁ ଅଧିକ ପିଲାଙ୍କୁ ସହାୟତା ମିଳିବାକୁ ବାକି ରହିଛି। ବିଭାଗର ସୂଚନା ଅନୁସାରେ ମୃତ୍ୟୁ ପ୍ରମାଣପତ୍ର ଅଭାବରୁ ଏହି ୨୦ ହଜାର ପିଲାଙ୍କୁ ଏହି ଯୋଜନାରେ ସାମିଲ କରିବାରେ ବିଳମ୍ବିତ ହେଉଛି। ଯେଉଁ ଦିନ ସେମାନେ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ଦେବେ ସେମାନଙ୍କୁ ଆଶୀର୍ବାଦରେ ସହାୟତା ଦିଆଯିବ। କିନ୍ତୁ ସେପ୍ଟେମ୍ବର ମାସ ୧୫ ତାରିଖ ପରେ ଉଭୟ କୋଭିଡ କିମ୍ବା ଅଣକୋଭିଡରେ ଅଭିଭାବକଙ୍କ ମୃତ୍ୟୁ ହେଲେ ‘ଆଶୀର୍ବାଦ’ ଯୋଜନାରେ କୌଣସି ପ୍ରକାର ସହାୟତା ରାଶି ମିଳି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

uhshawkeye.com

ଗତ ଜୁନ୍ ମାସରେ ସରକାର ‘ଆଶୀର୍ବାଦ’ ଯୋଜନା ଘୋଷଣା କରିଥିଲେ। ବାପା-ମା ଉଭୟଙ୍କୁ ହରାଇଥିବା କିମ୍ବା ଉପାର୍ଜନକ୍ଷମ ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ସାମିଲ କରାଯାଇଥିଲା। ଉଭୟ ‌କୋଭିଡ୍‌ କିମ୍ବା ଅଣକୋଭିଡ୍‌ ମୃତକଙ୍କ ପାଇଁ ଏହା ଲାଗୁ ହେଉଥିଲା। ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୨୫ ଶହ, ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୫ ଶହ ଦେବାର ବ୍ୟବସ୍ଥା ରହିଛି। ଏଥି ସହିତ ଶିକ୍ଷା, ସ୍ବାସ୍ଥ୍ୟର ଯତ୍ନ ମଧ୍ୟ ସରକାର ନେବେ। ଏପରି ଏକ ଅଭିନବ ଯୋଜନା ପ୍ରଣୟନ କରି ରାଜ୍ୟ ସରକାର ବେଶ୍‌ ପ୍ରଶଂସା ସାଉଁଟିଥିଲେ।

କିନ୍ତୁ ଏହି ଯୋଜନା ହଠାତ ବନ୍ଦ ହେବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କୋଭିଡ୍‌ ଦୈନିକ ସଂକ୍ରମଣ କମିଛି ସତ। କିନ୍ତୁ କୋଭିଡ୍‌ ପରବର୍ତ୍ତୀ ଜଟିଳତା ଯୋଗୁ ଅନେକ ବ୍ୟକ୍ତି ଏବେ ବି ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ପୁଣି ତୃତୀୟ ଲହରର ଆଶଙ୍କା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ପ୍ରଶ୍ନ ଉଠୁଛି, ଯଦି ଆଗକୁ କୌଣସି ପିଲା କୋଭିଡ୍‌ରେ ତା’ ବାପା-ମା’ଙ୍କୁ ହରାଇବେ, ସେମାନେ କାହିଁକି ଆଶୀର୍ବାଦ ଯୋଜନାରେ ସାମିଲ ହେବେନି ? ସେହି କୋମଳମତୀ ପିଲାଙ୍କ ଦୋଷ କ’ଣ?

ସୂଚନା ଅନୁଯାୟୀ, ରାଜ୍ୟରେ ମାତ୍ର ୨୩୮ଟି ବିଭିନ୍ନ ପ୍ରକାର ଶିଶୁ ଯତ୍ନ ଅନୁଷ୍ଠାନ ରହିଛି। ବାଳାଶ୍ରମରେ ସମୁଦାୟ ପ୍ରାୟ ୮୫୦୦ ଜଣ ଅନ୍ତେବାସୀ ରହୁଛନ୍ତି। ପୂର୍ବରୁ ଦାରିଦ୍ର୍ୟ କିମ୍ବା ବିଭିନ୍ନ କାରଣରୁ ଜଣେ ଅଭିଭାବକ କିମ୍ବା ଅଭିଭାବକ ଗରିବ ଥିଲେ ମଧ୍ୟ ବାଳାଶ୍ରମମାନଙ୍କରେ ରଖାଯାଉ ଥିଲା। ୫ ବର୍ଷ ହେଲା ସେହି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ସ୍ପନସରସିପ ଏବଂ ପୋଷ୍ଟ୍‌ କେୟାର ଆଡପ୍‌ସନ୍‌କୁ ଗୁରୁତ୍ବ ଦିଆଯାଉଛି। ଅର୍ଥାତ ପିଲାଙ୍କୁ ବାଳାଶ୍ରମରେ ରଖାନଯାଇ ସମ୍ପର୍କୀୟଙ୍କ ଘରେ ରହିବେ କିମ୍ବା ସେମାନଙ୍କୁ ପୋଷ୍ଟର କେୟାର ଆଡପ୍‌ସନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି। ପୋଷ୍ଟ୍‌ କେୟାର ଆଡପ୍‌ସନର ପ୍ରଚାର-ପ୍ରସାର ପ୍ରତି ବିଶେଷ ଗୁରୁତ୍ବ ନାହିଁ। ଲୋକଙ୍କ ମାନସିକତା ଏବଂ ଆର୍ଥିକ ସ୍ଥିତି ଅନୁସାରେ ଅନେକ ଏହାକୁ ଗ୍ରହଣ କରିପାରନ୍ତି ନାହିଁ। କେବଳ ୩୦ ଜଣ ହିଁ ଏଥିରେ ସାମିଲ ହୋଇଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ଘାସିରାମ ପଣ୍ଡାଙ୍କ କହିବା ଅନୁସାରେ, ସ୍ପନ୍‌ସର୍‌ସିପରେ ମାସକୁ ୧୫୦୦ ଟଙ୍କା ଦିଆଯାଏ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାକୁ ଅନୁମୋଦିତ ଟଙ୍କା ଏତେ କମ ଥାଏ ଯେ ଆବେଦନ ପରେ ବି ଶିଶୁଙ୍କୁ ମିଳେ ନାହିଁ। ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୩୦ ହଜାର ଶିଶୁ ଆବେଦନ କରିଥିଲେ ବି ତାଙ୍କୁ ଏହାର ଲାଭ ମିଳି ନାହିଁ। ଆଗାମୀ ଦିନରେ ସ୍ଥିତି ଏହିଭଳି ରହିପାରେ। ଏଥି ସହିତ ଅନେକ ପିଲାଙ୍କ ସମ୍ପର୍କୀୟଙ୍କ ଆର୍ଥିକ ସ୍ଥିତି, ସେମାନଙ୍କ ନିଜସ୍ବ ସନ୍ତାନଙ୍କ ସଂଖ୍ୟା ଏତେ ଥାଏ ଯେ ସେମାନେ ସମ୍ପର୍କୀୟ ସନ୍ତାନଙ୍କୁ ରଖିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଆଶୀର୍ବାଦ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର