ପୁରୀ : ଶ୍ରୀମନ୍ଦିର ବେହେରଣ ଦ୍ବାର ସମ୍ମୁଖ ଖିଲଣ ରୁପାଷଣ ଆଚ୍ଛାଦିତ ହେବ। ଏ ବାବଦକୁ ୩ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଶ୍ରୀମନ୍ଦିର ଦକ୍ଷିଣୀ ଘର ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଦ୍ବାର ବି ରୁପା ଆଚ୍ଛାଦିତ କରାଯିବ। ଶ୍ରୀମନ୍ଦିରକୁ ଦାନରେ ମିଳିଥିବା ରୁପାରେ ଏହି କାମ ହେବ। ଅର୍ଥ ସବ୍କମିଟିର ଅନୁମୋଦନ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ଚୂଡ଼ାନ୍ତ ମୋହର ମାରିଛି। ପ୍ରତ୍ନତତ୍ତ୍ବ ବିଭାଗର ଅନୁମତି ମିଳିବା ମାତ୍ରେ ଏହି କାମ ଆରମ୍ଭ କରି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି।
ପୂର୍ବରୁ ଶ୍ରୀମନ୍ଦିରର ୮ ପ୍ରମୁଖ ଦ୍ବାର ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ଦ୍ବାର, ସାତପାହାଚ ଦ୍ବାର, ମହାଲକ୍ଷ୍ମୀ ମନ୍ଦିର, ନୃସିଂହ ମନ୍ଦିର, କଳାହାଟ ଦ୍ବାର ଓ ମା’ ବିମଳାଙ୍କ ମନ୍ଦିର ଦ୍ବାର ରୁପା ଆଚ୍ଛାଦିତ କରାଯାଇଛି। ରିଲିଆନ୍ସ ଜୁଏଲାରି ପକ୍ଷରୁ ମିଳିଥିବା ପ୍ରାୟ ୨୩ଶହ କେଜି ରୁପାରେ ଏହି କାମ ସଂପନ୍ନ କରାଯାଇଛି। ୮ ପ୍ରମୁଖ ଦ୍ବାରରେ ବର୍ମା ଟିକ୍ରେ ପ୍ରସ୍ତୁତ ନୂଆ କବାଟ ଲାଗିବା ପରେ ଏହାଉପରେ ରୁପାର ଚାଦର ଓ ପ୍ଲେଟ୍ ଲଗାଯାଇଛି। ଏହାଦେଖି ପଶ୍ଚିମବଙ୍ଗର ଭକ୍ତ ତଥା ଭିରିଙ୍ଗ କମର୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଏସ୍ ଏନ୍ ସିଂହ ମହାପ୍ରଭୁଙ୍କ ଜୟ-ବିଜୟ ଦ୍ବାର ସମ୍ମୁଖରେ ଥିବା ଖିଲଣରେ ରୁପା ଆଚ୍ଛାଦନ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବେ ବୋଲି କହିଥିଲେ। ୩ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନ ପରେ ଶ୍ରୀ ସିଂହ ଏହି ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଦାନସ୍ବରୂପ ପ୍ରଦାନ କରିଛନ୍ତି।
ସେହିଭଳି ଶ୍ରୀମନ୍ଦିର ପାର୍ଶ୍ବ ଦେବାଦେବୀ ମନ୍ଦିର ଦ୍ବାର ରୁପା ଆଚ୍ଛାଦିତ କରିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ। ଗଜପତିଙ୍କ ପ୍ରସ୍ତାବ ପୂର୍ବକ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିସର ଦକ୍ଷିଣୀ ଘର ଦ୍ବାରରେ ରୁପା ଆଚ୍ଛାଦନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗତ ପରିଚାଳନା କମିଟିରେ ବେହେରଣ ଦ୍ବାର ସମ୍ମୁଖ ଖିଲଣ, ଦକ୍ଷିଣୀ ଘର ଓ ଅନ୍ୟାନ୍ୟ ପାର୍ଶ୍ବ ଦେବାବେଦୀ ମନ୍ଦିର ଦ୍ବାର ରୁପା ଆଚ୍ଛାଦନ କାମକୁ ମଞ୍ଜୁରି ମିଳିଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗରୁ ଅନୁମତି ମିଳିବା ପରେ କାମ ଆରମ୍ଭ ହେବ।