ମାହାଙ୍ଗା ଡବଲ ମର୍ଡର ଘଟଣାର ନାଟକୀୟ ମୋଡ଼, ରାସ୍ତାକଡ଼ରେ ପ୍ରଫୁଲ୍ଲଙ୍କ ମୃତଦେହ

ପୁଲିସ କହିଲା ଦୁର୍ଘଟଣା, ବିଜେପିର ହତ୍ୟା ଅଭିଯୋଗ

ମାହାଙ୍ଗା/ଟାଙ୍ଗୀ: ଏକ ନାଟକୀୟ ଘଟଣାକ୍ରମରେ ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ (କାବୁଆ)ଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ ପାର୍ଶ୍ବରୁ କାବୁଆଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ପୁଲିସ ଏହାକୁ ଏକ ଦୁର୍ଘଟଣା କହୁଥିବା ବେଳେ ବିଜେପି ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛି। ୨୦୧୮ରେ ମାହାଙ୍ଗାରେ ଘଟିଥିବା ବିକାଶ ଯେନା ହତ୍ୟାକାଣ୍ଡ ଆଉ ୨୦୨୧ ଜାନୁଆରି ୨ ତାରିଖରେ ଘଟିଥିବା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ କାବୁଆ ଅଭିଯୁକ୍ତ ରହିଥିବା ବେଳେ ପୁଲିସ ରେକର୍ଡରେ ଫେରାର ଥିଲେ। ପୁଲିସ କାବୁଆଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏଭଳି ମୃତ୍ୟୁ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଟାଙ୍ଗୀ ଥାନା ଅନ୍ତର୍ଗତ ୫ ନଂ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ନିର୍ମାଣାଧୀନ ଟୋଲ୍ ଗେଟ୍ ନିକଟରୁ ଟାଙ୍ଗୀ ଥାନା ପୁଲିସ କାବୁଆଙ୍କୁ ଉଦ୍ଧାର କରି ଗତକାଲି ବିଳମ୍ବିତ ରାତିରେ କଟକ ବଡ ଡାକ୍ତରଖାନା ନେଇଥିଲା। କାବୁଆଙ୍କ ଶରୀର କ୍ଷତାକ୍ତ ଓ ବିକୃତ ହୋଇ ଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ପୁଲିସ କାବୁଆ ବ୍ୟବହାର କରୁଥିବା ଏକ ଗ୍ଲାମର୍ ବାଇକ୍ (ଓଡି ୦୫ ଏଜି ୫୪୭୭), ସେଥିରେ ଲାଗିଥିବା ଏକ ବ୍ୟାଗ, ମୋବାଇଲ୍ ଫୋନ୍ ଓ ହେଲମେଟ ଜବତ କରିଥିଲା। ତାଙ୍କ ସାର୍ଟ ପକେଟରୁ ମିଳିଥିବା ଏକ କାଗଜରେ ଲେଖାଥିବା ଫୋନ ନମ୍ବର ସହିତ ପୁଲିସ ଯୋଗାଯୋଗ କରିବା ପରେ ତାହା କାବୁଆଙ୍କ ପରିବାର ବୋଲି ଜଣା ପଡିଥିଲା। ମୃତ କାବୁଆଙ୍କ ସଢୁ ଧର୍ମଶାଳା ଥାନା କଣ୍ଟିଗଡ଼ିଆ ଗ୍ରାମର ଅରୁପାନନ୍ଦ ଜେନା ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଜଣା ଗାଡି ଧକ୍କାରେ ତାଙ୍କ ସଢୁଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଟାଙ୍ଗୀ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାଲଲା (ନଂ ୧୬/୨୧) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ଡିସେମ୍ବର ମାସରେ ଯଁକୋଟୀ ଗ୍ରାମରେ ବିଜେପିର ସ୍ଥାନୀୟ ନେତା ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ କାବୁଆ ଅନ୍ୟତମ ଅଭିଯୁକ୍ତ ଥିବା ବେଳେ ସେବେ‌ଠାରୁ ଫେରାର ଥିଲେ। ଗଲା ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ ନୁର୍ତ୍ତାଙ୍ଗ ଗ୍ରାମର କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟାକରାଯାଇଥିଲା। ସେହି ଘଟଣାରେ କାବୁଆଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଅଭିଯୋଗ କରିଥିଲେ। ରମାକାନ୍ତ ୧୪ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ ଗିରଫ କରି ସାରିଛି ଓ ୨ ଜଣ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ଥିବା କାବୁଆଙ୍କ ଭାଇ ପ୍ରମୋଦ ବିଶ୍ବାଳ ବି ଆତ୍ମସମର୍ପଣ କରି ସାରିଛି। ଏଭଳି ସ୍ଥିତିରେ ପୁଲିସ କବଜାକୁ ଆସିବା ପୂର୍ବରୁ କାବୁଆଙ୍କ ମୃତ୍ୟୁ ଚର୍ଚ୍ଚାର କାରଣ ହୋଇଛି। ଆଜି ସକାଳେ କାବୁଆଙ୍କ ପତ୍ନୀ ନୁର୍ତ୍ତାଙ୍ଗର ସରପଂଚ ସବିତା ନାୟକ ତାଙ୍କ ସଂପର୍କୀୟଙ୍କ ସହିତ କଟକ ବଡ ଡାକ୍ତରଖାନାରେ ପହଞ୍ଚି ପୁଲିସ ଉପସ୍ଥିତିରେ ମୃତଦେହକୁ ଚିହ୍ନଟ କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

କାବୁଆଙ୍କ ପତ୍ନୀ ସବିତା ନାୟକ କହିବା ଅନୁଯାୟୀ ପୁଲିସ ତାଙ୍କ ସ୍ବାମୀଙ୍କୁ ଠାବ କରି ଗିରଫ କରିବା ବଦଳରେ ତାଙ୍କର ବହୁ ସଂର୍ପକୀୟଙ୍କୁ ଥାନାରେ ଅଟକ ରଖି ନିର୍ଯ୍ୟାତନା ଦେଉଥିଲା। ଜାନୁଆରି ୨ ତାରିଖଠାରୁ କାବୁଆ କେବେ ବି ତାଙ୍କୁ ଯୋଗାଯୋଗ କରି ନଥିଲେ। ଗତକାଲି ରାତିରେ ଟାଙ୍ଗୀ ପୁଲିସ ଠାରୁ କାବୁଆଙ୍କ ମୃତ୍ୟୁ ସଂପର୍କରେ ଖବର ପାଇ ଆଜି କଟକ ମେଡିକାଲରେ ପହଞ୍ଚି ଚିହ୍ନଟ କରିଥିଲେ ବୋଲି ସବିତା କହିବା ସହ ଦୀର୍ଘ ୫ ବର୍ଷ ହେବ ସେ ଅକଥନୀୟ ନିର୍ଯାତନା ଓ କଷ୍ଟ ପାଇ ଆସୁଛନ୍ତି ବୋଲି କହିଛନ୍ତି। ତାଙ୍କ ଶ୍ବଶୁର ଓ ଦିଅର ଏବେ ଜେଲରେ। ତାଙ୍କୁ ନ୍ୟାୟ ଦେବାକୁ ଆଇନ କି କୌଣସି ରାଜନୈତିକ ଦଳ ତାଙ୍କ ପାଖରେ ନାହାନ୍ତି। ଭଗବାନ ହିଁ ଏ ଘଟଣାର ବିଚାର କରିବେ ବୋଲି ସବିତା କହିଛନ୍ତି। ଅନ୍ୟପଟେ ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ସେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ଆଡକୁ ଆଙ୍ଗୁଳି ଦେଖାଇଛନ୍ତି। ମନ୍ତ୍ରୀଙ୍କ ଗୋଦାମ ପାଖାପାଖି ଅଞ୍ଚଳରୁ କାବୁଆଙ୍କ ଶରୀର ମିଳିଥିବା ବେଳେ ତାଙ୍କୁ ଦଳି ଚକଟି ମାରି ଦେବା ଭଳି ଅନୁଭବ ହେଉଛି। ‌‌ସେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର