ସ୍ୱପ୍ନ ସାକାର ହେଲା; ‌ଦେଖିବାକୁ ମା’ ରହିଲେନି: ଜୁବିନ୍‌

ଭୁବନେଶ୍ବର : ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ୪୬ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ଜୁବିନ୍‌ ମହାପାତ୍ର। ଲଗାତାର ତୃତୀୟ ଥର ପାଇଁ ସେ ଏଭଳି ସଫଳତା ପାଇଛନ୍ତି। ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଭଲ ରୢାଙ୍କ୍‌ ମିଳି ନ ଥିବାରୁ ଆଇପିଏସ୍‌ ପଦ ମିଳିଥିଲା। ତେବେ ଏଥର କଠିନ ପରିଶ୍ରମ କରି ସେ ଦେଶର ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇବା ସହ ଆଇଏଏସ୍‌ ହେବାର ଲକ୍ଷ୍ୟ ପୂରଣ କରିଛନ୍ତି। ମା’ଙ୍କ ପ୍ରେରଣା ଯୋଗୁଁ ସେ ଆଜି ସଫଳତା ପାଇଛନ୍ତି ସତ। ହେଲେ ‌ତାଙ୍କର ଏହି ସଫଳତାର ଖୁସି ଦେଖିବାକୁ ମା’ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇ ଗତ ଜୁଲାଇ ମାସରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ତା’ପରେ ବି ସେ ହାରି ନାହାନ୍ତି। ଦେଶର ସେବା କରିବାକୁ ସେ ବଦ୍ଧପରିକର ଥିବା କହିଛନ୍ତି।

ସଫଳତା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଜୁବିନ୍ ‘ସମ୍ବାଦ’କୁ କହିଛନ୍ତି ଯେ ୪୬ତମ ସ୍ଥାନରେ ରହିଥିବାରୁ ବହୁତ ଖୁସି ଲାଗୁଛି। ଆଇଏଏସ୍‌ ହେବାର ସ୍ବପ୍ନ ସାକାର ହୋଇଛି। କୋଭିଡ୍‌-୧୯ ଭିତରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବହୁତ କଷ୍ଟକର ଥିଲା। ତା’ପରେ ବି ପ୍ରୟାସ ଜାରି ରଖିଥିଲି। ଚାକିରି କରିବା ସହ ପାଠପଢ଼ା‌ ପ୍ରତି ମଧ୍ୟ ଧ୍ୟାନ ଦେଉଥିଲି। ରୁର୍‌କି ଆଇଆଇଟିରେ ସ୍ନାତ କୋତ୍ତର ଶିକ୍ଷା ଗ୍ରହଣ ପରେ ଚାକିରି କରିବା ସହ ସିଭିଲ୍‌ ସର୍ଭିସ୍‌ ପାଇଁ ମଧ୍ୟ ପ୍ରୟାସ ଜାରି ରଖିଥିଲି। ଏଥିପାଇଁ କୌଣସି ସ୍ବତନ୍ତ୍ର କୋଚିଂ ନେଇ ନଥିଲି। ବରଂ ଇଣ୍ଟରନେଟ୍‌ ମାଧ୍ୟମରେ ଯାହା କିଛି ପଢ଼ାପଢ଼ି କରୁଥିଲି। ‘ଆପ୍ଟି ପ୍ଲସ୍‌’ରେ ଇଣ୍ଟରଭ୍ୟୁ ଗାଇଡାନ୍ସ ପ୍ରୋଗ୍ରାମରେ ଭାଗ ନେଇଥିଲି। ଟାଇମ୍ ମ୍ୟାନେଜ୍‌ମେଣ୍ଟ କରିବା ମୋ ପାଇଁ ସବୁଠାରୁ ବଡ଼ ଆହ୍ବାନ ଥିଲା।

ସେ ଆହୁରି କହିଛନ୍ତି ଯେ ମା’ ମୋର ପ୍ରେରଣା ଥିଲେ। ସେ ଅଧ୍ୟାପିକା ଭାବେ ରାଜଧାନୀ କଲେଜ, ବାଲେଶ୍ବର କଲେଜ, ଶୈଳବାଳା କଲେଜରେ ୩୦ରୁ ୩୨ ବର୍ଷ ଧରି ସେବା କରିଥିଲେ। ତାଙ୍କ ହାତରେ ବହୁ ଛାତ୍ରଛାତ୍ରୀ ସୃଷ୍ଟି ହୋଇଛନ୍ତି। ମୋ ସଫଳତା ପଛରେ ହିଁ ତାଙ୍କର ପ୍ରେରଣା ରହିଛି। ପ୍ରତିଟି କ୍ଷଣରେ ସେ ମୋତେ ପରାମର୍ଶ ଦେଇଥିଲେ। ଆଇଏଏସ୍‌ ହୋଇ ଦେଶ ପାଇଁ କାମ କରିବା ମୋର ପ୍ରଥମ ଲକ୍ଷ୍ୟ। ଯେଉଁଠି ବି ଚାକିରି କରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଧିକ ପ୍ରାଥମିକତା ଦେବି। ସମାଜର ପ୍ର‌ତିଟି ପିଲା ଯେପରି ପାଠ ପଢ଼ିପାରିବେ ତାହାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବି। କିଛିଟା ପରିବର୍ତନ କରିବାକୁ ଚେଷ୍ଟା କରିବି। ପ୍ରଶାସକ ଓ ଲୋକଙ୍କ ମଧ୍ୟରେ ବ୍ୟବଧାନ କିଭଳି ଭାବେ ଦୂର ହୋଇପାରିବ ସେଥିପ୍ରତି ପ୍ରାଥମିକତା ଦେବି ବୋଲି ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର