ସ୍ବପ୍ନରେ ରହିଗଲା ବିଶ୍ବସ୍ତରୀୟ ଇସ୍ପାତ ପ୍ରତିଷ୍ଠାନ: ୨୦ ଏକରରେ ଶିଳାନ୍ୟାସ, ୨୦ ବର୍ଷରେ ଇଟା ଖଣ୍ଡେ ପଡ଼ିଲାନି

ପୁରୀ: ଯେବେ ଓଡ଼ିଶାରେ କୌଣସି ବଡ଼ ଜାତୀୟସ୍ତରୀୟ ଶିକ୍ଷା ପ୍ରତିଷ୍ଠାନ ନଥିଲା, ସେତେବେଳେ ପୁରୀ ବାଲିଘାଇରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ପାଇଁ ନିଅଁ ପଡ଼ିଥିଲା। ବେଶ୍‌ ଆଡ଼ମ୍ବରରେ ଶିଳାନ୍ୟାସ ପର୍ବ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତତ୍କାଳୀନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ମୂଳଦୁଆ ପଡ଼ିଥିଲା। ମାତ୍ର ଦିନ କେଇଟା ଯାଇନି, ସବୁ ଆଡ଼ମ୍ବର ଫିକା ପଡ଼ିଗଲା। ୨୦୦୧ ମସିହା ଜାନୁଆରି ପହିଲାରେ ପୁରୀରେ ‌ଏହି ଇସ୍ପାତ ଶିକ୍ଷା ପ୍ରତିଷ୍ଠାନର ସ୍ବପ୍ନ ଦେଖା ଯାଇଥିଲେ ବି ତାକୁ ଆଜି ପର୍ଯ୍ୟନ୍ତ ଆଗେଇ ନିଆଯାଇ ପାରିଲା ନାହିଁ। କେବଳ ଯେ ଏହି ସ୍ବପ୍ନର ପ୍ରକଳ୍ପ ସମାଧି ନେଇଛି ତାହା ନୁହେଁ, ‌ଏହାର ସ୍ମୃତି ବହନ କରୁଥିବା ଫଳକକୁ ବି ଜଙ୍ଗଲ ଘେରି ଗଲାଣି। ୨୦ ଏକରରେ ଶିଳାନ୍ୟାସ ହୋଇଥିଲେ ହେଁ, କୋଡ଼ିଏ ବର୍ଷ ହୋଇଗଲା ଆଜି ଯାଏ ଇଟା ଖଣ୍ଡେ ବି ପଡ଼ିଲା ନାହିଁ।

ଇସ୍ପାତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ପିଲାମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ସୁଯୋଗ ମିଳିଥାଆନ୍ତା। ତେଣୁ ୮ ଏକର ସରକାରୀ ଜମି ସହ ଆଉ ୧୨ ଏକର ଘରୋଇ ଜମି କିଣି ଏହା ମଧ୍ୟରେ ବିଶ୍ବବିଦ୍ୟାଳୟ ସ୍ତରୀୟ ଏକ ଶିକ୍ଷା ପ୍ରତିଷ୍ଠାନ ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ସରକାର ସ୍ବପ୍ନ ଦେଖାଇ ତାକୁ ଧୂଳିସାତ କରିଦେଲେ। ଯଦିଓ ପରବର୍ତ୍ତୀ ସମୟରେ ବେଦାନ୍ତକୁ ଶହଶହ ଏକର ଜମି ଭେଟି ଦିଆଗଲା, କିନ୍ତୁ ଜଙ୍ଗଲ ବିଭାଗ ଅନୁମତି ଆଳରେ ଏହି ପ୍ରକଳ୍ପକୁ ଝୁଲାଇ ରଖାଗଲା।

ଉଲ୍ଲେଖଯୋଗ୍ୟ ଯେ ବେଶ୍‌ କିଛିଦିନ ପର୍ଯ୍ୟନ୍ତ ସମୁଦ୍ରକୂଳ ନିକଟରେ ଏକ ବିଲ୍‌ଡିଂରେ ଅସ୍ଥାୟୀ ଭାବେ ଏହି ପ୍ରତିଷ୍ଠାନର ଶୁଭାରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଥିଲା। ମାତ୍ର ପରେ ଏହାକୁ ଗୁଣ୍ଡିଚା ମନ୍ଦିର ପଛପାର୍ଶ୍ବକୁ ଉଠାଇ ଦିଆଗଲା। ଧୀରେଧୀରେ ଛାତ୍ରଛାତ୍ରୀ ମଧ୍ୟ ଏହି ପ୍ରତିଷ୍ଠାନରୁ ମୁହଁ ଫେରାଇ ନେଲେ। ତେଣୁ ସମୟ ଗଡ଼ିଚାଲିବା ସହ ଏହା ଅଲୋଡ଼ା ହୋଇଗଲା। ପିଲାଏ ଆଉ ପଢ଼ିବାକୁ ଆସିଲେ ନାହିଁ କି ଆଡ୍‌ମିସନ ନେଲେ ନାହିଁ। କର୍ମଚାରୀମାନେ ବସିବସି ଦରମା ନେଉଥିବା ଅଭିଯୋଗ ଉଠିଲା। ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରୁ, ପ୍ରତିଷ୍ଠାନକୁ ଭୁବନେଶ୍ବର ଉଠାଇ ନିଆଗଲା। ପରବର୍ତ୍ତୀ ସମୟରେ ଯାଜପୁରକୁ ନେଇ ସେଠାରେ ଏକ ଭଡ଼ା ଘରେ ପ୍ରତିଷ୍ଠାନ ଚଳାଇବାକୁ ଉଦ୍ୟମ ଆରମ୍ଭ ହେଲା। ଅଥଚ ତାହା ବି ବେଶି ଦିନ ଚାଲି ପାରିଲା ନାହିଁ କି ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ କୌଣସି ଉଦ୍ୟମ କରାଗଲା ନାହିଁ। ତେଣୁ ଏକ ବିଶ୍ବସ୍ତରୀୟ ଶିକ୍ଷା ପ୍ରତିଷ୍ଠାନ ମୁଣ୍ଡ ଟେକିବା ଆଗରୁ ମୁହଁ ମାଡ଼ି ପଡ଼ିଗଲା। ତତ୍କାଳୀନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ କହିବା ମୁତାବକ, ତତ୍କାଳୀନ ଜିଲ୍ଲାପାଳ ପ୍ରକଳ୍ପର ସୁପାରିଶ କରି ପଠାଇଥିଲେ। କ୍ୟାବିନେଟ୍‌ରେ ଏହାକୁ ମଞ୍ଜୁରି ମିଳିସାରିଥିଲା। ବଜେଟ୍‌ ମଧ୍ୟ ଅନୁମୋଦନ ହୋଇ ସାରିଥିଲା। ମାତ୍ର ଆନ୍ତରିକତା ଅଭାବରୁ ଏହି ପ୍ରକଳ୍ପ ଆଗେଇ ପାରିଲା ନାହିଁ ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର