କଟକ : କଟକ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୧୯୮୩ରେ ସିଡିଏ(କଟକ ଉନ୍ନୟନ କର୍ତୃପକ୍ଷ) ସାଟେଲାଇଟ୍ ସହର ମର୍କତନଗରର ପରିକଳ୍ପନା କରିଥିଲେ। ହେଲେ, ଦୀର୍ଘ ୪୦ବର୍ଷ ପରେ ସିଡିଏ ସେତିକିରେ ସୀମିତ ରହିଛି। ନୂଆ ଯୋଜନା କରୁନି, ସୁଯୋଗ ଥିଲେ ବି ଆନ୍ତରିକତା ଦେଖାଉ ନାହିଁ। ନେତାଜୀ ସୁଭାଷ ସେତୁ ନିର୍ମାଣ ପରେ ମଧ୍ୟ ତ୍ରିଶୂଳିଆ ଓ ଏହାର ଆଖପାଖ ଅଞ୍ଚଳରେ ପରିବର୍ଦ୍ଧିତ କଟକର ସ୍ବପ୍ନ ପୂରଣ ହୋଇ ପାରୁ ନାହିଁ। ଏହି ପୋଲ କଟକ ଓ ଭୁବନେଶ୍ବର ମଧ୍ୟରେ ନୂତନ ସଂଯୋଗ କରିଥିଲେ ବି ସିଡିଏ ଯେଉଁଠି ଥିଲା ସେଇଠି ଅଟକିଛି। ବାଲିକୁଦାରୁ ତ୍ରିଶୂଳିଆ, ତ୍ରିଶୂଳିଆରୁ ବାରଙ୍ଗ ଓ ତ୍ରିଶୂଳିଆରୁ ରବିଶଙ୍କର ବିଶ୍ବବିଦ୍ୟାଳୟ, ବିଦ୍ୟାଧରପୁର ପର୍ଯ୍ୟନ୍ତ ଏକ ‘ବିସ୍ତାରିତ କଟକ’ ଅଣଯୋଜନାରେ ମୁଣ୍ଡ ଟେକୁଛି। ଏପରିକି ତ୍ରିଶୂଳିଆ ନରଣପୁରରେ ଥିବା ସିଡିଏର ନିଜସ୍ବ ପ୍ରକଳ୍ପ ମଧ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ବାରଙ୍ଗ ତହସିଲକୁ ଲାଗି ନରଣପୁରରେ ସିଡିଏ ଅକ୍ତିଆର କରି ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଟାଉନସିପ୍ ଯୋଜନା ଦୀର୍ଘ ୧୦ ବର୍ଷ ହେବ କେବଳ ପାଚେରି ନିର୍ମାଣରେ ଅଟକିଯାଇଛି।
ପ୍ରକାଶ ଯେ, ନେତାଜୀ ସୁଭାଷ ସେତୁ ନିର୍ମାଣ ହେବାର ବହୁ ପୂର୍ବରୁ ଅର୍ଥାତ ୨୦୧୧ ମସିହାରେ ସିଡିଏ କର୍ତୃପକ୍ଷ ବାରଙ୍ଗ ତହସିଲ କାର୍ଯ୍ୟାଳୟକୁ ଲାଗି ନରଣପୁର ମୌଜାର ପ୍ରାୟ ୨୦ ଏକର ଜମି ଦଖଲକୁ ନେଇଥିଲେ। ଲକ୍ଷ୍ୟ ଥିଲା ମର୍କତନଗର ଭଳି ଏଠାରେ ବ୍ୟବସ୍ଥିତ ଢଙ୍ଗରେ ଏକ ଛୋଟ ତଥା ଅତ୍ୟାଧୁନିକ ଟାଉନସିପ୍ ନିର୍ମାଣ କରିବା। ପାନୀୟଜଳ, ଡ୍ରେନେଜ୍, ପାର୍କ, ଖେଳପଡିଆ, ବିଦ୍ୟାଳୟ ଓ ଅନ୍ୟାନ୍ୟ ସମସ୍ତ ସୁବିଧା ଥାଇ ଏଠାରେ ଏକ ପ୍ରକଳ୍ପ ଗଢ଼ି ଉଠିବ। ତିନିବର୍ଷ ଭିତରେ ହାଉସିଂ ପ୍ରକଳ୍ପ ଶେଷ ହେବ, ସିଡିଏ ଘର ନିର୍ମାଣ କରି ଲୋକଙ୍କୁ ବିକ୍ରି କରିବ। ଏଠାରେ ଏକ ସୁନ୍ଦର ସହର ଗଢ଼ି ଉଠିବ। ମାତ୍ର ଏହି ମହତ ଯୋଜନା ୧୦ବର୍ଷ ପରେ ବି କିଛି ଅଗ୍ରଗତି କରି ନାହିଁ। ସିଡିଏ କେବଳ ପାଚେରି ବୁଲାଇ ଛାଡି ଦେଇଛି। ମାତ୍ର ସିଡିଏର ଏହି ପ୍ରକଳ୍ପକୁ ଦୃଷ୍ଟିରେ ରଖି ଏଠାରେ ଘରୋଇ ସଂସ୍ଥା କଲୋନି ଓ ବଡ ଆପାର୍ଟମେଣ୍ଟ ନିର୍ମାଣ କରିସାରିଲେଣି। ବହୁ ବିଲଡଡ ଆକଶଛୁଆଁ ଦରରେ ଜମି ପ୍ଲଟିଂ କରି ବିକ୍ରି କରୁଛନ୍ତି। ତ୍ରିଶୂଳିଆରେ ଏକ ନୂଆ କଟକ ପାଇଁ ଯେଉଁ ଆଶା ଥିଲା, ସିଡିଏ କିନ୍ତୁ ତାହା କରିବାକୁ ଦେଉ ନାହିଁ।
ଗୋପାଳପୁର ବସ ଟର୍ମିନାଲକୁ ଖାନନଗରରେ ସ୍ଥାପନ କରିବା ପରେ ବାଲିକୁଦା-ଗୋପାଳପୁର ବିକାଶକୁ ନେଇ ଲୋକ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅନ୍ଧାର ଭିତରେ ରହିଛି। ଏବେ ତ୍ରିଶୂଳିଆରେ ସିଡିଏର ନିରବତା ପରେ ଏଠାରେ ଅଣଯୋଜନାବଦ୍ଧ ସହର ମୁଣ୍ଡ ଟେକିବାକୁ ଯାଉଛି। ମନଇଛା ଘର ନିର୍ମାଣ ହେଉଛି, ଛୋଟ-ବଡ଼ କଲୋନି ତିଆରି ହେଉଛି। ଏହା ଯୋଜନାବଦ୍ଧ ଭାବେ ହେଉ ନଥିବାରୁ ପୁଣି ଥରେ ନୂଆ କଟକକୁ ଭରସା କରୁଥିବା ଲୋକ ସମାନ ସମସ୍ୟା ଭୋଗ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ସିଡିଏ ବିସ୍ତୃତ ଅଞ୍ଚଳକୁ ନେଇ ଏକ ମାଷ୍ଟରପ୍ଲାନ୍ କରିବା ସହିତ ନରଣପୁର ପ୍ରକଳ୍ପକୁ ଏକ ସୁନ୍ଦର ଟାଉନସିପ୍ର ରୂପ ଦେଲେ ଏ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି।