ରାୟଗଡ଼ା: ନାଗାବଳୀ ନଦୀର ଏମିତି ଅବସ୍ଥା ପୂର୍ବରୁ କେବେ କେହି ଦେଖିନଥିଲେ। ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ସଂକୁଚିତ ହୋଇଯାଇଛି ଚିରସ୍ରୋତା ନାଗାବଳୀ। ନିୟମଗିରି ପାହାଡ଼ରୁ ଉତ୍ପତ୍ତି ଏହି ନଦୀ ବର୍ତ୍ତମାନ ଛୋଟିଆ ନାଳରେ ପରିଣତ ହୋଇଛି। ତେଣୁ ନାଗାବଳୀ ଉପରେ ନିର୍ଭରଶୀଳ ତଟବର୍ତ୍ତୀ ଅଞ୍ଚଳବାସୀ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଛନ୍ତି। ସେହିପରି ଜେକେ କାଗଜକଳ ମଧ୍ୟ ନଦୀର ଏହି ଅବସ୍ଥା ଯୋଗୁ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଜେକେ କାଗଜକଳ ନିମନ୍ତେ ଦୈନିକ ୪ଲକ୍ଷ ଲିଟର ଜଳ ଆବଶ୍ୟକ ହେଉଛି। ପାଖାପାଖି ୮୦% ଜଳ ଶିଳ୍ପ ପାଇଁ ବ୍ୟବହୃତ ହେଉଥିବା ବେଳେ ୨୦% ଜଳ ଶିଳ୍ପାଞ୍ଚଳରେ ରହୁଥିବା ଲୋକ ବ୍ୟବହାର କରୁଛନ୍ତି।

Advertisment

କିଛି ବର୍ଷ ହେଲା ରାୟଗଡ଼ା‌ ଜିଲ୍ଲାରେ ବର୍ଷା ପରିମାଣ କମିଛି। ଯେତିକି ବି ବର୍ଷା ହେଉଛି ପାଣିକୁ ସଂରକ୍ଷଣ ନିମନ୍ତେ ଏଯାଏ ସ୍ଥାୟୀ ବ୍ୟବସ୍ଥା ହୋଇନାହିଁ। ଜଙ୍ଗଲ କ୍ଷୟ ବଢ଼ିବା କାରଣରୁ ନାଗାବଳୀ ନଦୀର କ୍ୟାଚ୍‌ମେଣ୍ଟ ଅଞ୍ଚଳ ଯଥେଷ୍ଟ ହ୍ରାସ ପାଇଛି। ଯାହାଫଳରେ ନଦୀର ଜଳସ୍ତର କମିଥିବା କୁହାଯାଉଛି। ଏହାବ୍ୟତୀତ ଜଳ ଅପଚୟ ଯୋଗୁ ଭୂତଳ ଜଳସ୍ତର କମିଯାଇଛି। ଚଳିତବର୍ଷ ତାତି ବଢ଼ିବା ପୂର୍ବରୁ ନାଗାବଳୀ ନଦୀ ଶୁଖିଯିବା ବଡ଼ଧରଣର ଜଳ ସଂକଟର ସଂକେତ ଦେଉଛି। ପାନୀୟ ଜଳ ଅଭାବ ସହ ଚାଷ ସଂପୂର୍ଣ୍ଣ ଉଜୁଡ଼ିଯିବ ବୋଲି ଆକଳନ କରାଯାଉଛି। ଏହାବ୍ୟତୀତ ପଶୁପକ୍ଷୀ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେବା ନିଶ୍ଚିତ। କୈଳବୈଶାଖୀ ପ୍ରଭାବରେ ଭଲ ବର୍ଷା ନହେଲେ ନଦୀ ସଂପୂର୍ଣ୍ଣ ଶୁଷ୍କ ହୋଇଯିବ। ଏପ୍ରିଲ ଏବଂ ମେ’ ମାସରେ ଜଳ ସଂକଟ ‌ଉତ୍କଟ ହେବ ବୋଲି ବିଶେଷଜ୍ଞ ଏବଂ ପରିବେଶବିତ୍‌ ସତର୍କ କରିଛନ୍ତି। ନଦୀ ଅବବାହିକା ଅଞ୍ଚଳରେ ବସବାସ କରୁଥିବା ୧୮ଟି ଗାଁ ଏବେ ଜଳ ସଂକଟ ଆଡ଼କୁ ଗତି କରୁଛି। ଏହି ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମିରେ ଖରାଟିଆ ଚାଷ ହେବା ତ ଦୂରର କଥା ପାଣି ଟୋପାଏ ପାଇଁ ହାହାକାର ପରିସ୍ଥିତି। ଗତ ୫ବର୍ଷର ତଥ୍ୟକୁ ଯଦି ଆକଳନ କରାଯାଏ ତେବେ ଜିଲ୍ଲାରେ ଜଳସ୍ତର ହାରାହାରି ୧.୯୪ ମିଟର ଖସିଛି। ସହରରେ ୨୧ମିଟର ତଳେ ପାଣି ରହିଥିବା ବେଳେ ଗ୍ରାମାଞ୍ଚଳରେ ନଳକୂପ ଖୋଳିଲେ ୭୦ମିଟରରେ ପାଣି ବାହାରୁଛି। ନଦୀ ଜଳ ପରିଚାଳନାରେ ତ୍ରୁଟି ଏବଂ ଭୂତଳ ଜଳ ସଂରକ୍ଷଣ କ୍ଷେତ୍ରରେ ଅବ୍ୟବସ୍ଥା ଏହାର ପ୍ରମୁଖ କାରଣ। ଜିଲ୍ଲାରେ ଅନେକ ଛୋଟବଡ଼ ଶିଳ୍ପାନୁଷ୍ଠାନ ମନଇଛା ନଳକୂପ ଖୋଳି ପାଣି ଶୋଷି ଚାଲିଛନ୍ତି। ଯାହାର ପରିଣତି ଏବେ ଦେଖିବାକୁ ମିଳିଛି।