ଲେଫ୍ରିପଡ଼ା: ଏକଦା ଲେଫ୍ରିପଡ଼ା ଓ ଟାଙ୍ଗରପାଲି ବ୍ଲକ୍ର ୧୦ଟି ପଞ୍ଚାୟତର ପ୍ରାୟ ୫୦ ଗାଁ ପାଇଁ ଜୀବନରେଖା ସାଜିଥିବା ‘ଇଚ୍ଛାନଦୀ’ ଏବେ ଶୁଖିଲା। ପ୍ରାୟ ୭୦ କିମିରୁ ଅଧିକ ପଥ ଦେଇ ପୂର୍ବଦିଗକୁ ପ୍ରବାହିତ ଏହି ନଈଟି ବିଲେଇଗଡ଼-ଯମୁନାଢ଼ିପା ନିକଟରେ ଇବ୍ ସହିତ ମିଶିଛି। ହେଲେ ବର୍ତ୍ତମାନ ଏହାର ଭୌଗୋଳିକ ରୂପରେ ବିରାଟ ପରିବର୍ତ୍ତନ ହୋଇସାରିଛି। ଛୋଟିଆ ନାଳ ଭଳି ସଂପ୍ରତି ଦୃଶ୍ୟମାନ ହେଉଥିବା ଏହି ନଦୀ ପଥର, ଘାସବୁଦାରେ ଭର୍ତ୍ତି ହୋଇଗଲାଣି। ଫଳରେ ନଦୀକୂଳବାସୀଙ୍କ ଜୀବନଜୀବିକା ଉପରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି।
ଲେଫ୍ରିପଡ଼ା ବ୍ଲକ୍ର ଡୁମାବାହାଲ ପଞ୍ଚାୟତ ସିପୋକଚ୍ଛାର ଗାଁର ଏକ ପାହାଡ଼ରୁ ଜନ୍ମନେଇଛି ‘ଇଚ୍ଛାନଦୀ’। ତେବେ ଜନ୍ମସ୍ଥଳୀରୁ ମାତ୍ର ୧୦୦ ମିଟର ପରେ ନଦୀର ସ୍ରୋତ ୩ କିମି ପର୍ଯ୍ୟନ୍ତ ଶୁଖିଲା ପଡ଼ିଛି। ଏହାର ମୁଖ୍ୟ କାରଣ ଏହା ନିକଟରେ ବିଶାଳ କୋଇଲାଖଣି। କୋଇଲା ଖଣି ପ୍ରଭାବରେ ଅଞ୍ଚଳର ଭୂତଳ ଜଳ ନିମ୍ନଗାମୀ ହୋଇଛି। ନଦୀ ପ୍ରବାହର ପ୍ରାୟ ୧୦ କିମି ପରେ ତେଲେନଡ଼ିହିରେ ଏକ ନାଳ ଓ ଉତ୍ତରପଟୁ ଛେଦଲଗନ ନାଳ ଆସି ମିଶିଛି। ଯେଉଁଠାରୁ ପାଣି ଧାର ଟିକିଏ ବୃଦ୍ଧି ପାଇଛି। ଲେଫ୍ରିପଡ଼ା ବ୍ଲକ୍ର ସରଫଗଡ଼, ଡୁମାବାହାଲ, ଲେଫ୍ରିପଡ଼ା, ଛଟେନପାଲି, ଝୁରିମାଲ, ସର୍ଗିପାଲି ଓ ବଡ଼ବଙ୍ଗା ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ପାଇଁ ଏହି ନଦୀ ଜୀବନରେଖା। ଟାଙ୍ଗରପାଲି ବ୍ଲକ୍ର ଉଜ୍ଜ୍ବଳପୁର, ନିଆଲିପାଲି, କିରିପସିରା ଓ ଯୋଗୀମାଲ ପଞ୍ଚାୟତର ଅନେକ ଗ୍ରାମ ଏହାର ପାଣି ଉପରେ ନିର୍ଭର କରନ୍ତି।
ଗାଧୋଇବାଠାରୁ ଆରମ୍ଭ କରି ଚାଷବାସ, ପାନୀୟଜଳ ଓ ଗୋରୁଗାଈଙ୍କ ପାଇଁ ଏହି ନଦୀ ପାଣି ଯୋଗାଇ ଆସୁଥିବାବେଳେ ସଂପ୍ରତି ଶୁଷ୍କ ପ୍ରାୟ ହୋଇପଡ଼ିଛି। ଫଳରେ ୫୦ରୁ ଅଧିକ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ‘ଇଚ୍ଛା’ର ଉପନାଳ ଭାବେ ପରିଚିତ ଛେଦଲଗନ ନାଳ ଉପରେ ସରଫଗଡ଼ ନିକଟରେ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଗଲା ପରେ ୧୯୮୫ ମସିହାରୁ ଏହାର ଜଳସ୍ରୋତ ହ୍ରାସ ପାଇଚାଲିଲା। ଏହି ପ୍ରକଳ୍ପ ଦ୍ବାରା ୫ଟି ଗ୍ରାମ ଲାଭାନ୍ବିତ ହୋଇଥିବାବେଳେ ନଦୀତଳ ମୁଣ୍ଡରେ ୫୦ ଗ୍ରାମ ପ୍ରଭାବିତ ହୋଇଛନ୍ତି। ସୁର୍ଗୁଡ଼ାଠାରେ କ୍ଷୁଦ୍ରସେଚ ବିଭାଗ ପକ୍ଷରୁ ଡାଇଭର୍ସନ ଡ୍ୟାମ୍ ନିର୍ମାଣ ହୋଇଛି। ସେହିଭଳି ବଡ଼ଗାଁମାଲ ନାଳ ଉପରେ ଏକ ଡ୍ୟାମ୍ ନିର୍ମାଣ ହେବାରୁ ସେପଟୁ ମଧ୍ୟ ପାଣି ଆଉ ‘ଇଚ୍ଛା’ରେ ପଡ଼ିପାରୁନି। ପାହାଡ଼ିଆ ଘାଟିରୁ ଆସି ‘ଇଚ୍ଛା’ରେ ମିଶିଥିବା ସଂଖ୍ୟାଧିକ ନାଳ ଉପରେ ଡ୍ୟାମ୍ ଓ ଚେକ୍ ଡ୍ୟାମ୍ ନିର୍ମାଣ ହେବାରୁ ନଦୀସ୍ରୋତ ହ୍ରାସ ପାଇଛି। ଏହାର ଖନନ ଓ ପୁନରୁଦ୍ଧାରର ଆବଶ୍ୟକତା ରହିଥିଲେ ସୁଦ୍ଧା ପ୍ରାଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ପରିଲକ୍ଷିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/04/xHpAa29blW7qXXsbSHCS.jpg)