ଧମା: ସମ୍ବଲପୁରରେ ମାତିଛନ୍ତି ହାଇୱେ ଲୁଟେରା। ଲୁଟେରାଙ୍କ ଦୌରାତ୍ମ୍ୟ ଦେଖି ରାତିରେ ଗାଡ଼ି ଚଳାଇବାକୁ ଏବେ ଚାଳକମାନେ ଭୟ କଲେଣି। ଶନିବାର ରାତି ଏକ ଟ୍ରକ୍କୁ ହାଇଜାକ୍ କରି ଲୁଟ୍ କରାଯାଇଥିବା ଅଭିଯୋଗ ହେବା ପରେ ଲୋକେ ଅଧିକ ଭୟଭୀତ। ଗୋଟିଏ ପଟେ ପୁଲିସର ଢିଲା ପାଟ୍ରୋଲିଂ ଓ ଅନ୍ୟପଟେ ଅପରାଧୀଙ୍କ ଦୌରାତ୍ମ୍ୟ ଏବେ ସାଧାରଣ ଲୋକଙ୍କୁ ଭୟଭୀତ କରି ରଖିଛି। ଧମା ଥାନା ଗୁଲୁଣ୍ଡିପାଲି ଠାରେ ଏତ ଟ୍ରକ୍ରୁ ଡିଜେଲ୍ ଏବଂ ଚାଳକଙ୍କ ଠାରୁ ଟଙ୍କା ଲୁଟ୍ ହୋଇଛି।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଏକ ୧୪ ଚକିଆ କୋଇଲା ବୋଝେଇ ଟ୍ରକ୍(ଓଡି ୦୪ ଏନ୍ ୬୭୩୭) ତାଳଚେରରୁ ରେଙ୍ଗାଲି ଆସୁଥିଲା। ରାତି ପ୍ରାୟ ଅଢେଇଟା ବେଳେ ଟ୍ରକ୍ ଚାଳକ ପରିସ୍ରା ପାଇଁ ଫୁଲଝରଣ ନିକଟରେ ଓହ୍ଲାଇଥିଲେ। ସେତିକି ବେଳେ ଗୋଟିଏ ବାଇକ୍ରେ ୩ ଯୁବକ ଯୁଯୁମୁରା ଆଡ଼ୁ ସେଠାରେ ପହଞ୍ଚି ଥିଲେ। ଡ୍ରାଇଭର୍କୁ ଧମକ ଚମକ ଦେଇ ପ୍ରଥମେ ଡ୍ରାଇଭର୍ଙ୍କ ପକେଟ୍ରୁ ଟଙ୍କା ଓ ମୋବାଇଲ୍ ନେଇ ଯାଇଥିଲେ। ଏହାପରେ ଚାଳକଙ୍କୁ ଗାଡ଼ିରେ ବାନ୍ଧି ୨ ଜଣ ଯୁବକ ଟ୍ରକ୍ ହାଇଜାକ୍ କରିଥିଲେ। ଅନ୍ୟ ଯୁବକ ଜଣକ ବାଇକ୍ରେ ଆଗରେ ଯାଇଥିଲା। ଦୁର୍ବୃତ୍ତମାନେ ଧମା-ସୋନ୍ପୁର ୧୫ ନଂ ରାଜ୍ୟ ରାଜପଥରେ ଆସି ଗୁଲୁଣ୍ଡିପାଲି ନିକଟରେ ଏକ କେନାଲ୍ ରାସ୍ତାରେ ଗାଡ଼ିକୁ ପୂରାଇ ଦେଇଥିଲେ। ତାପରେ ଚାଳକଙ୍କୁ ତେଲ ଟାଙ୍କି ଖୋଲିବାକୁ କହିଥିଲେ।
ସେ ମନା କରିବାରୁ ତାକୁ ଦୁର୍ବୃତ୍ତମାନେ ମାଡ ମାରିଥିଲେ। ଏହାପରେ ଭୟରେ ସେ ଟାଙ୍କି ଖୋଲିଦେଇଥିଲେ। ଦୁର୍ବୃତ୍ତମାନେ ଟାଙ୍କିରୁ ପାଖାପାଖି ୬୦ ଲିଟର ତେଲ ନେଇଯିବା ସହ ଗାଡ଼ିରେ ଥିବା ୬ ହଜାର ଟଙ୍କା ନେଇ ସେଠାରୁ ଫେରାର୍ ହୋଇଯାଇଥିଲେ। ଏହାପରେ ଗାଡ଼ି ଚାଳକ କଡ଼ୁ ସୁନା ଧମା ଥାନା ମାଳତୀଗୁଣ୍ଡେରପୁର ଠାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟରେ ସଦର ଥାନା ଅଞ୍ଚଳରେ ମଧ୍ୟ କିଛି ଦୁର୍ବୃତ୍ତ ଲୁଟ୍ ପାଇଁ ଜଣେ ଟ୍ରକ୍ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପୁଲିସର ଢିଲା ପାଟ୍ରୋଲିଂ କାରଣରୁ ଏଭଳି ଲୁଟ୍ ବଢ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଗକୁ ଶୀତଳ ଷଷ୍ଠୀ ଆସୁଥିବାରୁ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହୋଇଛି।