ଶିମିଳିପାଳ ସୁରକ୍ଷାରେ ଲାଗିବ ଡ୍ରୋନ୍‌

ବାରିପଦା: ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ କାର୍ଯ୍ୟ କରିବ ଡ୍ରୋନ୍‌। ଘଞ୍ଚ ଜଙ୍ଗଲ ଭିତରେ ବନ କର୍ମଚାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଏହି ଡ୍ରୋନ୍‌ର ସହାୟତା ନିଆଯିବ। ଏ ନେଇ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ବନ କର୍ମଚାରୀଙ୍କୁ ଡ୍ରୋନ୍‌ର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ଡ୍ରୋନ୍‌ରେ ପାଣି ବୋତଲ, ଔଷଧ ସାମଗ୍ରୀ ଜଙ୍ଗଲର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇବାକୁ ଚେଷ୍ଟା କରାଯାଇ ସଫଳ ହୋଇଛି ବନ ବିଭାଗ।

ଖାଲି ସାମଗ୍ରୀ ନୁହେଁ ବରଂ ଅଭୟାରଣ୍ୟରେ ନିଆଁ ଲାଗୁଥିବା ସ୍ଥାନ ଚିହ୍ନଟ ଓ ସେଠାକାର ସ୍ଥିତି ସମ୍ପର୍କରେ ମଧ୍ୟ ଡ୍ରୋନ୍‌ ଦ୍ବାରା ଯାଞ୍ଚ କରାଯିବ। ତେବେ ଅନ୍ଧାର ରାତିରେ ବି ଏହା କେମିତି ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିପାରିବ ସେ ନେଇ ଅଧିକ ଅନୁଧ୍ୟାନ ପାଇଁ ଆଗକୁ ଆହୁରି ପରୀକ୍ଷଣ କରାଯିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା। କିଛିଦିନ ତଳେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇବାକୁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। ଏହିପରି ଜରୁରୀକାଳୀନ ସ୍ଥିତି ସମୟରେ ସାହାଯ୍ୟ ପାଇଁ ଡ୍ରୋନ୍‌ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର