ଅନୁଗୁଳ: ଜୈବ ବିବିଧତାରେ ପରିପୂର୍ଣ୍ଣ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଗ୍ରୀଷ୍ମଋତୁ ଆରମ୍ଭରୁ ଜଳ ସମସ୍ୟା ଆରମ୍ଭ ହୋଇଗଲାଣି। ଅଭୟାରଣ୍ୟରେ ଛୋଟ ବଡ଼ ଏକାଧିକ ନାଳ, ଝରଣା ଶୁଖିଯାଇଥିବା ଦେଖିବାକୁ ମିଳିଛି। ଫଳରେ ବନ୍ୟପ୍ରାଣୀମାନେ ପିଇବା ପାଣି ପାଇଁ ଗାଁମୁହାଁ ହେଉଛନ୍ତି। ତେବେ ଅନ୍ୟବର୍ଷ ଭଳି ଚଳିତବର୍ଷ ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବାକୁ ପ୍ରସ୍ତୁତି ଚାଲିଥିବା ଡିଏଫ୍ଓ ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି।
ସୂଚନା ମୁତାବକ କିଛିବର୍ଷ ପୂର୍ବରୁ ଖରାଦିନେ ସାତକୋଶିଆ ଅଭୟାରଣ୍ୟରେ ଥିବା ନାଳ, ଝରଣା ପ୍ରଭୃତି ଶୁଖିଲା ପଡୁ ନଥିଲା। ପ୍ରବଳ ଗ୍ରୀଷ୍ମରେ ମଧ୍ୟ ଝରଣାଗୁଡ଼ିକରେ ପାଣି ରହୁଥିଲା। କିନ୍ତୁ ପ୍ରାୟ ୧୦ ବର୍ଷ ହେଲା ବଡ଼ ପରିବର୍ତ୍ତନ ଦେଖାଯାଇଛି। ଜଳବାୟୁ ପରିବର୍ତ୍ତନ ଓ ଶିଳ୍ପାୟନ ଯୋଗୁଁ ମାଟି ତଳୁ ଜଳସ୍ରୋତ ଶୁଖିଆସୁଛି। ଏଥିରୁ ସାତକୋଶିଆ ମଧ୍ୟ ବାଦ୍ ପଡ଼ିନାହିଁ। ସେଠାରେ ଥିବା ଛୋଟ, ବଡ଼ ନଈନାଳ ଗ୍ରୀଷ୍ମ ଆରମ୍ଭରୁ ଶୁଖିଲା ପଡ଼ୁଛି। ଏ ବର୍ଷ ଝରଣାଗୁଡ଼ିକ ଧୀରେ ଧୀରେ ଜଳଶୂନ୍ୟ ହେବାରେ ଲାଗିଲାଣି। ଅଭୟାରଣ୍ୟ ଅଞ୍ଚଳର ୨୦ରୁ ଅଧିକ ନାଳ ଶୁଖିବାକୁ ବସିଥିବାବେଳେ ଖୋଳା ଯାଇଥିବା ୫୦ରୁ ଅଧିକ ପୋଖରୀ ମଧ୍ୟ ଆଉ ଦିନ କେଇଟାରେ ଶୁଖିଯିବାର ଆଶଙ୍କା ଦେଖାଦେଇଛି। ଫଳରେ ସାତକୋଶିଆରେ ଥିବା କୁଟୁରା, ସମ୍ବର, ହରିଣ ସମେତ ବିଭିନ୍ନ ବନ୍ୟପ୍ରାଣୀ ଏବେ ଜନବସତି ମୁହାଁ ହେଉଥିବା ଦେଖାଯାଉଛି। ଜନବସତିରେ ରହିଥିବା ଜଳାଶୟଗୁଡ଼ିକୁ ବନ୍ୟପ୍ରାଣୀ ପାଣି ପିଇବାକୁ ଯିବାବେଳେ ବିଭିନ୍ନ ସମୟରେ ବିପଦରେ ପଡ଼ୁଛନ୍ତି। ଏଥିଯୋଗୁଁ ପୂର୍ବରୁ କଲରାପତରିଆ ବାଘ, ବିଭିନ୍ନ ତୃଣଭୋଜୀ ପ୍ରାଣୀ ଶିକାରୀଙ୍କ ଫାଶରେ ପଡ଼ିଥିବାର ନଜିର ରହିଛି। ତେବେ ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ବନ୍ୟପ୍ରାଣୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସିମେଣ୍ଟ କୁଣ୍ଡ ତିଆରି କରାଯାଇଛି। ସାତକୋଶିଆର ଜଳଭାବ ଥିବା ସ୍ଥାନ ଓ ଉଚ୍ଚ ସ୍ଥାନଗୁଡ଼ିକରେ ଏହି ସିମେଣ୍ଟ କୁଣ୍ଡଗୁଡ଼ିକୁ ରଖାଯାଇ ସେଥିରେ ପାଣି ଦିଆଯିବ। ପ୍ରତି ୧ କିମି ଦୂରରେ ଏହି କୁଣ୍ଡ ରଖାଯାଇ ଟ୍ୟାଙ୍କର୍ରେ ପ୍ରତିଦିନ ଜଳ ଯୋଗାଣ କରାଯିବ ବୋଲି ସାତକୋଶିଆ ଡିଏଫ୍ଓ ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/15/8IVZAzTdx4wgyIrmGV0z.jpg)